ଦୋକାନରେ ମିଳୁଥିବା ସାମଗ୍ରୀ ଅସଲି ନା ନକଲି ! କେବଳ ଗୋଟିଏ ଏସଏମଏସରେ ଜାଣିପାରିବେ ସତ , ଭାରତରେ ଉପଲବ୍ଧ ହେବାକୁ ଯାଉଛି ଏହି ସୁବିଧା

59

ଏବେ ଅଧିକାଂଶ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀରେ ଅପମିଶ୍ରଣ କରାଯାଉଛି । ଏପରିକି ବଜାରରେ ମଧ୍ୟ ନକଲି ବ୍ରାଣ୍ଡର ସାମଗ୍ରୀ ମିଳୁଛି । ଯାହାକୁ ନେଇ ସାଧାରଣ ଲୋକ ଏବେ ଚିନ୍ତାରେ । ବଜାରରୁ କୌଣସି ସାମଗ୍ରୀ କିଣିଲେ ତାହା ଅସଲି କି ନକଲି ତାହାକୁ ନେଇ ଭ୍ରମରେ ପଡୁଛନ୍ତି ସାଧାରଣ ଲୋକ । କିନ୍ତୁ ଏବେ ଆଉ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଗୋଟିଏ ଚୁଟକିରେ ଅସଲି ସାମଗ୍ରୀ କେଉଁଟା ଆଉ ନକଲି କେଉଁଟା ତାହା ଜଣାପଡିଯିବ । ଆମେରିକା କମ୍ପାନି ଫାର୍ମାସିକ୍ୟୁର ଆରମ୍ଭ କରିଛି ପ୍ରୟାସ । ଏଥିପାଇଁ ଫାର୍ମାସିକ୍ୟୁର କମ୍ପାନି ଅନ୍ୟ କମ୍ପାନି ସହ ଚୁକ୍ତି କରିଛି । ଯାହାଫଳରେ କେବଳ ଗୋଟିଏ ଏସଏମଏସ ଦ୍ୱାରା କେଉଁ ପ୍ରଡକ୍ଟ ଅସଲି ଓ କେଉଁ ପ୍ରଡକ୍ଟ ନକଲି ତାହା କମ୍ପାନି ପକ୍ଷରୁ ଗ୍ରାହକଙ୍କୁ ସୂଚନା ଦିଆଯିବ ।

ପ୍ରଥମେ ଏହି କମ୍ପାନି ଏସଏମଏସ ଜରିଆରେ କେବଳ ଔଷଧ ଅସଲି ନା ନକଲି ତାହାର ସୂଚନା ଦେଉଥିଲା । ତେବେ ପରେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ମଧ୍ୟ ଏହି ଯୋଜନାରେ ସାମିଲ କରିଥିଲା । ଏବେ ଭାରତରେ ଏହି ଯୋଜନା ଆରମ୍ଭ କରିବାକୁ ଫାର୍ମାସିକ୍ୟୁର କମ୍ପାନି ଅଣ୍ଟା ଭିଡିଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ କମ୍ପାନି ସହ ଚୁକ୍ତି ଆରମ୍ଭ ହୋଇଛି । ଫାର୍ମାସିକ୍ୟୁର କମ୍ପାନି ପକ୍ଷରୁ କୁହାଯାଇଛି ଯେ, କେବଳ ଏସଏମଏସ ନୁହେଁ ବରଂ କମ୍ପାନିର ଆପରେ ବିଭିନ୍ନ ସାମଗ୍ରୀର ବାରକୋଡ ଦେଇ ଏହା ଅସଲି ନା ନକଲି ତାହା ଜାଣି ପାରିବେ । ଏହାଛଡା କମ୍ପାନିର ୱେବସାଇଟରେ ମଧ୍ୟ ଅସଲି ଓ ନକଲି ସାମଗ୍ରୀକୁ ଚିହ୍ନଟ କରି ପାରିବେ ।
ଫାର୍ମାସିକ୍ୟୁରର ଅଧ୍ୟକ୍ଷ ନକୁଲ ପସରୀଚାଙ୍କ କହିବା ଅନୁଯାୟୀ, ଭାରତ ସମେତ ପୂରା ବିଶ୍ୱରେ ଏବେ ନକଲି ସାମଗ୍ରୀର କାରବାର ଏବେ ଜୋରଦାର ଚାଲିଛି । ଏହାଦ୍ୱାରା ବ୍ରାଣ୍ଡେଡ ସାମଗ୍ରୀ ଉପରେ ଲୋକଙ୍କର ବିଶ୍ୱାସ ରହୁନାହିଁ ଏବଂ ବଡ ବଡ କମ୍ପାନି ପ୍ରବଳ ମାତ୍ରାରେ କ୍ଷତି ଭୋଗୁଛନ୍ତି । ତାଙ୍କ କହିବା ଅନୁଯାୟୀ, ନକଲି ସାମଗ୍ରୀ କାରବାର ଯୋଗୁଁ ଭାରତ ସରକାର ବାର୍ଷିକ ୩୯ ହଜାର କୋଟି ଟଙ୍କା କ୍ଷତି ଭୋଗୁଛନ୍ତି । ତେଣୁ କେତେ ପରିମାଣର ନକଲି ସାମଗ୍ରୀ ଭାରତୀୟ ବଜାରରେ ବିକ୍ରି ହେଉଛି ତାହା ଏହି ରିପୋର୍ଟରୁ ସ୍ପଷ୍ଟ ଜଣାପଡୁଛି ।

ନକଲି ସାମଗ୍ରୀ କାରବାରକୁ ରୋକିବା ପାଇଁ ଏବେ ବିଭିନ୍ନ କମ୍ପାନି ସହ ଫାର୍ମାସିକ୍ୟୁର କମ୍ପାନି ଚୁକ୍ତି କରୁଛି । ଏହାଦ୍ୱାରା ବିଭିନ୍ନ କମ୍ପାନିର ସାମଗ୍ରୀରେ ଦିଆଯାଇଥିବା କୋର୍ଡ ଫାର୍ମାସିକ୍ୟୁର ପାଖରେ ରହିଥାଏ । ଏହି କୋର୍ଡରେ ସାମଗ୍ରୀର ବ୍ୟାଚ ସଂଖ୍ୟା, ଅବଧି ତାରିଖ ଓ ଫୋନ ନମ୍ବର ଉଲ୍ଲେଖ ରହିଥାଏ । ତେଣୁ ଗ୍ରାହକ କିଛି କିଣିବା ବେଳେ ଯଦି ସେହି ଫୋନ ନମ୍ବରରେ ସାମଗ୍ରୀର କୋର୍ଡ ଏସଏମଏସ କରିବେ ତେବେ ତୁରନ୍ତ ତାଙ୍କ ପାଖକୁ ଏକ ମେସେଜ ଆସିବ । ଏଥିରେ ଆପଣ କିଣୁଥିବା ଜିନିଷ ଅସଲି କି ନକଲି ତାହା ଜଣାପଡିଯିବ । ଏପରିକି ସାମଗ୍ରୀର ସର୍ବାଧିକ ଖୁଚୁରା ମୂଲ୍ୟ ମଧ୍ୟ ଆପଣ ଜାଣି ପାରିବେ ।

ପସରୀଚାଙ୍କ କହିବା ଅନୁଯାୟୀ, ଫାର୍ମାସିକ୍ୟୁର କମ୍ପାନି ବର୍ତ୍ତମାନ ଭାରତରେ ଅଳ୍ପ କିଛି କମ୍ପାନି ସହ ଚୁକ୍ତି କରିଛି । ଏହି ଯୋଜନାରେ ପଲିକ୍ୟାବ, ୟୁନିକେମ ଓ ଏନଡିଟିବି କମ୍ପାନି ଫାର୍ମାସିକ୍ୟୁର ସହ ଚୁକ୍ତି କରିଛନ୍ତି । ତେବେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ଅନ୍ୟ କମ୍ପାନି ସହ ମଧ୍ୟ ଯୋଗଯୋଗ କରାଯାଇଛି ଏବଂ ଖୁବଶୀଘ୍ର ସେମାନଙ୍କ ସହ ଚୁକ୍ତି କରାଯିବ ।