ଲୋକଙ୍କ ସମସ୍ୟା ନିଜେ ପଚାରିବେ ନବୀନ ! ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ । ଲୋକେ କହିବେ କେମିତି ଚାଲିଛି ଦପ୍ତର ।

715

କନକ ବ୍ୟୁରୋ : ପ୍ରଶାସନର ଉତରଦାୟିତ୍ୱ ବଢାଇବାକୁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୩ ତମ ସ୍ୱାଧୀନତା ଦିବସରେ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଗାନ୍ଧୀ ଜୟନ୍ତୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ସବୁ ଥାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜେ ନବୀନ ଫୋନ କରି ଲୋକଙ୍କ ସମସ୍ୟା ବୁଝିବେ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯିବ । ସରକାରୀ ଦପ୍ତର କେମିତି ଚାଲିଛି, ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଲୋକଙ୍କ ଠାରୁ ଫିଡ୍ ବ୍ୟାକ୍ ନେବେ । ତେବେ ନବୀନଙ୍କ ଏହି ନୂଆ କାର୍ଯ୍ୟକ୍ରମକୁ ଧୁଆଁ ବାଣ କହିଛନ୍ତି ବିରୋଧୀ ।

ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ । ଲୋକେ କହିବେ କେମିତି ଚାଲିଛି ଦପ୍ତର । ୭୩ ତମ ସ୍ୱାଧୀନତା ଦିବସରେ ତ୍ରିରଙ୍ଗା ଉତୋଳନ କରିବା ଅବସରରେ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ‘ଫାଇଭ-ଟି’ କୁ ଭିତି କରି ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଉତ୍ତରଦାୟିତ୍ୱ କରିବା ଲକ୍ଷ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ ।

ନବୀନ କହିଛନ୍ତି, ‘ଲୋକଙ୍କ ସେବା ପାଇଁ ହିଁ ସରକାର । ଲୋକଙ୍କ ପାଇଁ ସରକାର ଚାଲିଛି । ଲୋକଙ୍କ ଟଙ୍କାରେ ସରକାର ଚାଲିଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ତେଣୁ ଆମ ପାଇଁ ଆପଣଙ୍କ ମତାମତ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ‘ଫାଇଭ୍-ଟି’କୁ ଭିତ୍ତି କରି ଆମେ ଆରମ୍ଭ କରୁଛୁ ‘ମୋ ସରକାର’ କାର୍ଯ୍ୟକ୍ରମ ।’ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହା ସବୁ ଥାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟକାରୀ ହେବ । ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହାକୁ କାର୍ଯ୍ୟକାରୀ କରାଯିବ ।

ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀ । ନିଜେ ଆପଣଙ୍କୁ ଫୋନ କରିବି । ଥାନା ଓ ହସପିଟାଲରେ ଆପଣ କିପରି ରେସପୋନ୍ସ ପାଇଲେ, ସେ କଥା ବୁଝିବି । ହସପିଟାଲରେ ଆପଣ କିପରି ସେବା ପାଇଲେ, ସେ କଥା ପଚାରି ବୁଝିବି । ସରକାରୀ ଅଫିସରେ ଆପଣଙ୍କ ଅନୁଭବ ବିଷୟରେ ପଚାରି ବୁଝିବି ।
କେବଳ ମୁଖ୍ୟମନ୍ତ୍ରୀ ନୁହେଁ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମାନେ ମଧ୍ୟ ଫୋନ୍ କରି ସରକାରୀ କାର୍ଯ୍ୟାଳୟରେ ଲୋକଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବେ । ଏପରି କି’ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଲୋକଙ୍କ ଠାରୁ ଫିଡବ୍ୟାକ୍ ନେବେ ।

ପ୍ରଥମ ଥର ଫିଡବ୍ୟାକ୍ ପାଇଁ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା ସରକାରୀ ସେବାରେ ଉନ୍ନତି ଆସିବ ଏବଂ ଲୋକଙ୍କ ସହ ପ୍ରଶାସନର ସଂପର୍କକୁ ମଜବୁତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବିରୋଧୀ ଏହାକୁ ଧୁଆଁବାଣ ବୋଲି ଆକ୍ଷେପ କରିଛନ୍ତି ।