ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ ଦୀପ୍ତିକୁ ଗିରଫ କଲା କ୍ରାଇମବ୍ରାଞ୍ଚ !  ଜଗତସିଂହପୁର ଓ ଭୁବନେଶ୍ୱରରେ ଚଢ଼ାଉ କରି ବନ୍ଧୁକ ଓ ଅଡି କାର୍ କଲା ଜବତ ।

42

କନକ ବ୍ୟୁରୋ : ଧରାପଡିଲା ଗ୍ୟାଙ୍ଗଷ୍ଟର ଟିଟୋର ‘ଡାହାଣ ହାତ’ । ଉଭୟ ଜଗତସିଂହପୁର ଓ ଭୁବନେଶ୍ୱରରେ ଛାପା ମାରିବା ପରେ ଟିଟୋର ସହଯୋଗୀ ଦୀପ୍ତିରଂଜନ ଦାସକୁ ଉଠାଇ ଆଣିଛି ଏସଟିଏଫ୍ । ଚଢାଉ ବେଳେ ଦୀପ୍ତି ନିକଟରୁ ବନ୍ଧୁକ, ଗୁଳି ଜବତ କରାଯିବା ସହ ଲକ୍ଷ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଓ ବୀମା ବଣ୍ଡ ଜବତ କରାଯାଇଛି । ଦାମୀ ଅଡି କାର ସହ ଦୁଇଟି କାର ମଧ୍ୟ ଜବତ ରଖିଛି ଏସଟିଏଫ୍ । କୁହାଯାଉଛି, ଟିଟୋର ଜଗତସିଂହପୁର ନେଟୱର୍କକୁ ସମ୍ଭାଳୁଥିଲା ଦୀପ୍ତି । ସଂଦେହ କରାଯାଉଛି, ଟେଣ୍ଡର ଫିକ୍ସିଂ, ଦାଦାବଟି ଆଦି ଗ୍ୟାଙ୍ଗଷ୍ଟରର ସବୁ କଳା ଧଳା କାରବାରରେ ଥିଲା ତା’ର ସଂପୃକ୍ତି ।

କ୍ରାଇମବ୍ରାଂଚ କବଜାରେ ଟିଟୋର ସହଯୋଗୀ । ଦୀପ୍ତିରଂଜନ ଦାସକୁ ଉଠାଇ ଆଣିଲା ଏସଟିଏଫ୍ । କୁହାଯାଉଛି, ଟିଟୋର ଡାହାଣ ହାତ ଭାବେ କାମ କରୁଥିବା ଦୀପ୍ତି ବୁଝୁଥିଲା ଗ୍ୟାଙ୍ଗଷ୍ଟରର ଜଗତସିଂହପୁର ନେଟ୍ୱର୍କ । କଳା-ଧଳା ସବୁପ୍ରକାର ବ୍ୟବସାୟରେ ଥିଲା ଦୀପ୍ତିର ଭାଗିଦାରୀ । ସଂଦେହ କରାଯାଉଛି, ଟେଣ୍ଡର ଫିକ୍ସିଂ, ଦାଦା ବଟି ଆଦି ଗ୍ୟାଙ୍ଗଷ୍ଟରର ସବୁ ବେଆଇନ୍ କାରବାରରେ ଥିଲା ତା’ର ସଂପୃକ୍ତି । ଯାହା ଫଳରେ ଖୁବ କମ୍ ଦିନ ମଧ୍ୟରେ କୋଟି କୋଟି ଟଙ୍କାର ମାଲିକ ହୋଇ ପାରିଥିଲା ଦୀପ୍ତି । ଦୀପ୍ତିର ଜଗତସିଂହପୁର ଘର ଓ ଭୁବନେଶ୍ୱରର ଫ୍ଲାଟ ଉପରେ ଏକକାଳୀନ ଚଢ଼ାଉ କରିଛି ଏସଟିଏଫ୍ ।

ଗାଙ୍ଗଷ୍ଟର ଟିଟୋକୁ ନେଇ ଏସଟିଏଫର ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ରହସ୍ୟ ଖୋଲିବାରେ ଲାଗିଛି । ଟିଟୋର ନେଟୱର୍କର ଚେରର ଗଭୀରତା ଦେଖି ତାଜୁବ ହୋଇ ଯାଉଛନ୍ତି ତଦନ୍ତକାରୀ ଟିମ୍ । ପୋଲିସ ଠାରୁ ଆରମ୍ଭ କରି ନେତା, ବ୍ୟବସାୟୀ ପର୍ଯ୍ୟନ୍ତ ଲମ୍ବିଛି ଟିଟୋ ଗ୍ୟାଙ୍ଗର ଚେର ।

ରବିବାର ସକାଳୁ ଜଗତସିଂହପୁରରେ ଥିବା ଦୀପ୍ତିରଂଜନ ଦାସର ଘର ଉପରେ ଛାପା ମାରିଥିଲା ଏସଟିଏଫର ୮ ଜଣିଆ ଟିମ୍ । ସହରରେ ଥିବା ଦୀପ୍ତିର ଦୁଇଟି ଗେଷ୍ଟ ହାଉସ, ବ୍ୟବସାୟ ପ୍ରତିଷ୍ଠାନ ଓ ତା’ ମାଲିକାନାରେ ଥିବା ଗୋଟିଏ ଜିମ୍ ଉପରେ ଚଢ଼ାଉ କରିଥିଲା ଏସଟିଏଫ୍ । ଦୀପ୍ତିର ଘରୁ ବନ୍ଧୁକ ଓ ୧୨ ରାଉଣ୍ଡ ଗୁଳି ଜବତ ହେବା ପରେ ତା’ ଉପରେ କ୍ରାଇମବ୍ରାଂଚର ସଂଦେହ ଆହୁରି ବଢିଯାଇଛି । ଏହା ଛଡ଼ା ଦାମୀ ଅଡି କାର୍, ନଗଦ ଟଙ୍କା, ପୁଳା ପୁଳା ବ୍ୟାଙ୍କ ପାସ୍ ବୁକ୍, ଲକ୍ଷ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ଓ ବୀମା ବଣ୍ଡ ଜବତ କରିଛି ତଦନ୍ତକାରୀ ଦଳ । ସେପଟେ ଭୁବନେଶ୍ୱର ପଟିଆରେ ଥିବା ଦୀପ୍ତିର ଘର ଉପରେ ମଧ୍ୟ ଚଢାଉ କରାଯାଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଟିଟୋ ଲିଙ୍କ୍ ନେଇ କେହି ମୁହଁ ଖୋଲୁନଥିଲେ ବି ଦୀପ୍ତିକୁ ଉଠାଇ ନେଇଛି ଏସଟିଏଫ୍ ।

ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି କାହିଁକି ଏସଟିଏଫ ଟାର୍ଗେଟରେ ଦୀପ୍ତି ?ଖୋଲିବ କି ଗ୍ୟାଙ୍ଗଷ୍ଟରର ରହସ୍ୟ ? ଦୁଇ ବର୍ଷ ତଳୁ ଦୀପ୍ତି ଥିଲା ପୋଲିସର ସ୍କାନରରେ । କାରଣ ଯେତେବେଳେ ଟିଟୋର ଭାଇ ଦୁର୍ଦ୍ଦାନ୍ତ ଅପରାଧୀ ସାଫୋକୁ ପୋଲିସ ଗିରଫ କରିଥିଲା, ସେତେବେଳେ ସେ ଦୀପ୍ତିର ନାଁ ନେଇଥିଲା । ଟିଟୋ ସହ କିପରି ଦୀପ୍ତିର ଘନିଷ୍ଠ ସଂପର୍କ ରହିଛି, କହିଥିଲା ସାଫୋ । ନିକଟରେ ଲାଂଚ ନେବା ମାମଲାରେ ଗିରଫ ହୋଇଥିବା ଜଟଣୀ ଥାନା ଅଧିôକାରୀ ସଂଜୀବ ମହାନ୍ତିଙ୍କର ମଧ୍ୟ ଟିଟୋ ସହ ଭଲ ସଂପର୍କ ଥିବା, ସେତେବେଳେ ଅଭିଯୋଗ କରିଥିଲା ସାଫୋ ।