ପଶ୍ଚିମ ଓଡ଼ିଶାରେ ବଢୁଛି ତାତିି : ଟିଟିଲାଗଡ ଓ ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ

31

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ଅଧିକାଂଶ ସହର ତାପମାତ୍ରା ୩୮ ଡିଗ୍ରି ଉପରକୁ ଚାଲିଯାଇଥିବା ବେଳେ ଲଗାତାର ଦ୍ୱିତୀୟ ଦିନ ଲାଗି ଟିଟିଲାଗଡ଼ ତତଲା ସହର ପାଲଟିଥିଲା । ତାଳଚେରର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା। ଏଠାରେ ଗତକାଲିର ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା । ଟିଟିଲାଗଡ଼ ଓ ତାଳଚେର ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଗଣିତ ହେବା ସହ ଦେଶର ସର୍ବୋଚ୍ଚ ତାପମାତ୍ରା ମଧ୍ୟ ଏହି ଦୁଇ ସହରରେ ରେକର୍ଡ କରାଯାଇଥିଲା ।

ଓଡ଼ିଶାର ଉକ୍ତ ଦୁଇ ସହର ସମେତ ରୟାଲସୀମାର କୋଠାଗୁଡେମ୍, ତେଲେଙ୍ଗାନାର କୁରନୁଲ, ତାମିଲନାଡ଼ୁର ମଦୁରାଇ ସହର ତାପାମତ୍ରା ୪୦ ଡିଗ୍ରି ରହିଥିଲା। ଏହି ସମୟରେ ଜମ୍ମୁ ଓ କାଶ୍ମୀର, ଉତ୍ତର ପ୍ରଦେଶ ଓ ତାମିଲନାଡ଼ୁର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୩.୧ ଡିଗ୍ରିରୁ ୫ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ସେହିପରି ଏହି ସମୟରେ ଓଡ଼ିଶାର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ପଶ୍ଚିମ ଉତ୍ତର ପ୍ରଦେଶ, ଝାରଖଣ୍ଡ ଏବଂ ଜମ୍ମୁ ଓ କାଶ୍ମୀରର କିଛି ଅଂଶରେ ତାପମାତ୍ରା ମଧ୍ୟ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହୁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ତାଳଚେର, ଟିଟିଲାଗଡ଼ ବ୍ୟତୀତ ଅନୁଗୁଳ ଓ ବଲାଙ୍ଗୀରର ତାପମାତ୍ରା ୩୯.୭ ଡିଗ୍ରି ରେକର୍ଡ କରାଯାଇଥିଲା। ଭବାନୀପାଟଣାରେ ୩୯.୫, ମାଲକାନଗିରିରେ ୩୯.୪, ବାରିପଦାରେ ୩୮.୪, ଝାରସୁଗୁଡ଼ା ଓ ହୀରାକୁଦରେ ୩୮.୩, ସମ୍ବଲପୁରରେ ୩୮, ସୋନପୁରରେ ୩୭.୮, ଢ଼େଙ୍କାନାଳରେ ୩୭.୪, କେନ୍ଦୁଝରଗଡ଼ ଓ ଫୁଲବାଣୀରେ ୩୭ ଡିଗ୍ରି ରେକର୍ଡ ହୋଇଥିଲା । ଆସନ୍ତା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ସାରା ରାଜ୍ୟରେ ତାତି ଜାରି ରହିବ। ୨୭ରୁ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରି ଉପରକୁ ଚାଲିଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।