‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନ ବିଭାଗର ନୂଆ କୌଶଳ । ବାଘୁଣୀକୁ ଧରିବା ପାଇଁ ସୁନାବେଡ଼ାରୁ ଆସୁଛି ସ୍ବୟଂଚାଳିତ ଯନ୍ତା । ସେପଟେ ବାଘୁଣୀ ଭୟରେ ସ୍କୁଲ୍ ଖୋଲା, ପଢ଼ା ବନ୍ଦ

57

କନକ ବ୍ୟୁରୋ: ତୃତୀୟ ଦିନରେ ବି ବିଫଳ ହୋଇଛି ‘ସୁନ୍ଦରୀ’ ବନ୍ଦୀ ଅଭିଯାନ। ଜଙ୍ଗଲରେ ଦୀର୍ଘ ୭୨ଘଣ୍ଟାର କସରତ ପରେ ବି ଓଡ଼ିଶାର ନାମୀ ଟ୍ରାଙ୍କୁଲାଇଜ ବିଶେଷଜ୍ଞଙ୍କୁ କାଣିଚାଏ ସଫଳତା ମିଳି ପାରିନାହିଁ। ବରଂ ସବୁ ପ୍ରକାର ଫନ୍ଦୀକୁ ପାର୍ କରିଛି ଧୂର୍ତ୍ତ ବାଘୁଣୀ। ଓଡ଼ିଶା ଟିମର ବିଫଳତା ପରେ ଅଭିଜ୍ଞ ଓ ଦକ୍ଷ ଟ୍ରାଙ୍କୁଲାଇଜ୍ ଟିମ୍ ପଠାଇବାକୁ ମଧ୍ୟପ୍ରଦେଶକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। ‘କାହ୍ନା’ ଓ ପେଞ୍ଚ ବ୍ୟାଘ୍ର ପ୍ରକଳ୍ପରୁ ଟ୍ରାଙ୍କୁଲାଇଜ୍ ବିଶେଷଜ୍ଞଙ୍କୁ ପଠାଇବାକୁ ମଧ୍ୟପ୍ରଦେଶ ସରକାର ବି ରାଜି ହୋଇଥିବା ସାତକୋଶିଆ କ୍ଷେତ୍ର ନିଦେର୍ଶକ ତଥା ଅତିରିକ୍ତ ପିସିସିଏଫ୍ ଡ. ସୁଦର୍ଶନ ପଣ୍ଡା ଗଣମାଧ୍ୟମକୁ ଗତକାଲି କହିଛନ୍ତି। ଅଳ୍ପ ଦିନରେ ରାଜ୍ୟ ବାହାର ଟିମ୍ ସାତକୋଶିଆରେ ପହଞ୍ଚିବେ ବୋଲି ସେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଦଶହରା ଛୁଟି ପରେ ଗତକାଲି ସବୁ ସ୍କୁଲ୍ ଖୋଲା ଯାଇଥିଲେ ହେଁ ଟାଇଁସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପାଠ ପଢ଼ିବାକୁ ଛାଡ଼ି ନାହାନ୍ତି। ସେହିପରି ବାଘମୁଣ୍ଡା ଆଶ୍ରମ ସ୍କୁଲ୍ ଓ ପ୍ରାଥମିକ ସ୍କୁଲକୁ ଯଦିଓ ଶିକ୍ଷକମାନେ ଆସିଥିଲେ, କିନ୍ତୁ ଅେନକ ପିଲା ଅନୁପସ୍ଥିତ ଥିଲେ। ଛୋଟକେଇ ଓ ନୂଆପଡ଼ା ଆଶ୍ରମ ସ୍କୁଲ୍ ଜଙ୍ଗଲ ପାଖରେ ରହିଥିବା ବେଳେ ପିଲାମାନେ କେମିତି ପାଠ ପଢ଼ିବେ ସେହି ଚିନ୍ତା ଅଭିଭାବକଙ୍କୁ ଘାରିଛି।

ସୁନାବେଡ଼ାରୁ ଆସୁଛି ନୂଆ ଯନ୍ତା‘ସୁନ୍ଦରୀ’କୁ କାବୁ କରିବା ପାଇଁ ନୂଆ କୌଶଳ ଆପଣେଇଛି ବନ ବିଭାଗ। ସୁନ୍ଦରୀକୁ ଅଚେତ ନୁହେଁ, ବରଂ ସଚେତନ ଅବସ୍ଥାରେ ଯେମିତି ଧରାଯାଇ ପାରିବ ସେଥିପାଇଁ ସୁନାବେଡ଼ା ବ୍ୟାଘ୍ର ପ୍ରକଳ୍ପରୁ ଏକ ସ୍ବୟଂଚାଳିତ ଯନ୍ତା ସାତକୋଶିଆକୁ ଅଣାଯାଉଛି। ଯଦି ବାଘୁଣୀ ଯନ୍ତା ସଂସ୍ପର୍ଶରେ ଆସେ, ତେବେ ବିନା ଟ୍ରାଙ୍କୁଲାଇଜରେ ବାଘୁଣୀ ବନ୍ଦୀ ହୋଇ ପାରିବ ବୋଲି ବନ ବିଭାଗ ଆଶା ରଖିଛି।

ଉଲ୍ଲେଖଯୋଗ୍ୟ, ବାଘୁଣୀକୁ ଧରିବା ପାଇଁ ସାତକୋଶିଆ କର୍ତୃପକ୍ଷଙ୍କ ନିକଟରେ ପୂର୍ବରୁ ଏକ ଯନ୍ତା ରହିଛି। କିନ୍ତୁ ତାହା ସ୍ବୟଂଚାଳିତ ନୁହେଁ। ଟ୍ରାଙ୍କୁଲାଇଜ କରିବା ପରେ ହିଁ ବାଘୁଣୀକୁ ଏଥିରେ ଭର୍ତ୍ତି କରାଯାଇ ପାରିବ। କିନ୍ତୁ ଯେହେତୁ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରାଯାଇ ପାରୁନି। ତେଣୁ ସ୍ବୟଂଚାଳିତ ଯନ୍ତାରେ ‘ସୁନ୍ଦରୀ’କୁ ଫସେଇବାକୁ ବନ ବିଭାଗ ଏହି ଯୋଜନା କରିଛି। ପୂର୍ବରୁ ମଧ୍ୟ ଏହିଭଳି ଯନ୍ତା ଜରିଆରେ ସୁନାବେଡ଼ାରେ ଜୀବନ୍ତ ଯନ୍ତୁ ଧରା ଅଭିଯାନ ସଫଳ ହୋଇଥିଲା। ତାକୁ ଲକ୍ଷ୍ୟ କରି ସାତକୋଶିଆରେ ଏହାର ପ୍ରୟୋଗ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି।