ସୁନ୍ଦରୀକୁ ଧରିବା ପାଇଁ ବନବିଭାଗର ନୂଆ ବ୍ଲୁ-ପ୍ରିଣ୍ଟ! ବାଘୁଣୀକୁ କାବୁ କରିବା ଲାଗି ୪ ଦିନରେ ଫେଲ ମାରିଲାଣି ୫ଟି ଅପରେସନ, ଏବେ ଛେଳି ଭରସା

40

କନକ ବ୍ୟୁରୋ : ସାତକୋଶିଆରେ ଲୋକଙ୍କ ନିଦ ହଜାଇ ଦେଇଥିବା ବାଘୁଣୀ ‘ସୁନ୍ଦରୀ’କୁ କାବୁ କରିବା ପାଇଁ ବନବିଭାଗ ନାକେଦମ ହୋଇଛି । ୪ଦିନରେ ୫ଥର ଅପରେସନ୍ କରାଯାଇଥିଲେ ସୁଦ୍ଧା ସବୁ ଯୋଜନା ଫେଲ ମାରିଛି । ଆଉ ଏଭଳି ସ୍ଥିତିରେ ବାଘୁଣୀକୁ କାବୁ କରିବା ପାଇଁ ମଧ୍ୟପ୍ରଦେଶର କାହ୍ନା ଓ ପେଂଚ ଜଙ୍ଗଲରୁ ଆସୁଛନ୍ତି ୨ଟି ଟିମ୍ । ଏପଟେ ସୁନାବେଡ଼ାରୁ ମଗା ଯାଇଛି ଯନ୍ତା ।

ବାଘୁଣୀର ଆଚରଣ ଓ ବିଚରଣ ବନବିଭାଗକୁ ଚିନ୍ତାରେ ପକାଇ ଦେଇଥିବା ବେଳେ ସୁନ୍ଦରୀକୁ କାବୁ କରିବା ପାଇଁ ଆପଣା ଯାଉଛି ଗୋଟିଏ ପରେ ଗୋଟିଏ କୌଶଳ । ଆଉ ଏବେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବା ପାଇଁ କିଛି ଏହି ଭଳି ଯୋଜନା ରହିଛି ବନବିଭାଗ । ଘଂଚ ଜଙ୍ଗଲରେ ଭିତରେ ବସିବ ଯନ୍ତା, ଆଉ ଯନ୍ତା ଭିତରେ ଛଡ଼ା ଯିବ ଛେଳି । ଛେଳିକୁ ଢ଼ାଳ କରି ବାଘୁଣୀକୁ ଆୟତ କରିବା ପାଇଁ ପ୍ରସ୍ତୁତ ହୋଇଛି ନୂଆ କୌଶଳ । ଏହି ଯନ୍ତ୍ରା ସୁନାବେଡ଼ାରୁ ଆସୁଥିବା ବେଳେ ଏହା ଭିତରେ ଛେଳି ରଖି ଛକି ରହିବ ବନବିଭାଗ ।

ssundari tigressଗତ ୪ଦିନ ଭିତରେ ବନବିଭାଗ ୫-୫ଥର ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାକୁ ଉଦ୍ୟମ କରିଛି । ଏମିତି କି ଗଛ ଉପରେ ମଂଚା ବନାଇ ଛକି ରହିଥିଲେ ବିଶେଷଜ୍ଞ ଟିମ୍ । ହେଲେ ଲକ୍ଷ୍ୟ ବିଚ୍ୟୁତ ହେବାରୁ ଡିଆଁ ମରି ଚମ୍ପଟ୍ ହୋଇଗଲା ସୁନ୍ଦରୀ । ଏହା ପରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ବାଘୁଣୀକୁ ଠାବ କରାଯାଇଥିଲା, ହେଲେ ଚାହୁଁ ଚାହୁଁ ଚମ୍ପଟ୍ ହୋଇଯାଉଥିଲା ସୁନ୍ଦରୀ ।
ବନ ବିଭାଗର ଏହି ପ୍ରସ୍ତୁତି ଭିତରେ କିନ୍ତୁ ସମସ୍ତଙ୍କୁ ଚକମା ନେଇ ପୁଣି ଅଭୟାରଣ୍ୟର କୋର୍ ଏରିଆକୁ ଚାଲି ଆସିଛି ବାଘୁଣୀ । ଏନଟିସିଏର ଏସଓପି ଅନୁସାରେ କୋର ଏରିଆ ବା ଅଭୟାରଣ୍ୟର ନିର୍ଦ୍ଧାରିତ ଅଂଚଳ ଭିତରେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରିବାର ନିୟମ ନାହିଁ । ତେଣୁ ଏତେ ପ୍ରସ୍ତୁତି ଭିତରେ କ’ଣ ହେବ ପରବର୍ତୀ ପଦକ୍ଷେପ ତାକୁ ନେଇ ସନ୍ଦେହ ।

ଏପଟେ ବାଘୁଣୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟଣାକୁ ନେଇ ହୋଇଥିବା ପୋଡ଼ାଜଳା ପ୍ରସଙ୍ଗରେ ଲାଗିଛି ରାଜନୀତିର ରଙ୍ଗ । ପୁଲିସ୍ ୧୯ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ନିର୍ଦ୍ଦେଶ ଲୋକଙ୍କୁ ଛାଡିବାକୁ ଦାବି କରିଛନ୍ତି । ଲୋକଙ୍କ ଅଭିଯୋଗ କରିଛନ୍ତି-ଟାଇଁସି ଗାଁରେ ଆନ୍ଦୋଳନ ହୋଇଥିବା ବେଳେ ଅନ୍ୟ ଗାଁ ଲୋକଙ୍କୁ ଅକାରଣରେ ଗିରଫ କରାଯାଇଛି ।