ସାତକୋଶିଆରେ ମହାବଳ ‘ମହାବୀର’ର ମୃତ୍ୟୁ! ହରିଣ ଫାଶରେ ପଡି ମରିଥିବା ସୂଚନା, ସ୍ପଷ୍ଟ କରୁନି ଜଙ୍ଗଲ ବିଭାଗ

223

କନକ ବ୍ୟୁରୋ: ସୁନ୍ଦରୀକୁ ନେଇ ବିବାଦ ଥମି ନଥିବା ବେଳେ ଏବେ ପୁଣିଥରେ ଚର୍ଚ୍ଚାରେ ସାତକୋଶିଆ । ସାତକୋଶିଆ ଅଭୟାରଣ୍ୟରେ ମହାବଳ ବାଘ ମହାବୀରର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଇଗଡ ଅଞ୍ଚଳରେ ବାଘର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପ୍ରାୟ ତିନି ଦିନ ହେବ ବାଘଟିର ମୃତ୍ୟୁ ହୋଇଥିବା କୁହାଯାଉଛି । କେଉଁ କାରଣରୁ ବାଘର ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଆସନ୍ତାକାଲି ବାଘର ଶବ ବ୍ୟବଚ୍ଛେଦ କରିବା ପରେ ଏହା ଉପରୁ ପରଦା ହଟିବ । ତେବେ ମହାବୀର ବାଘର ମୃତ୍ୟୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

ବାଘ ବଂଶ ବୃଦ୍ଧି ପାଇଁ କାହ୍ୱା ଅଭୟାରଣ୍ୟରୁ ମହାବୀରକୁ ସାତକୋଶିଆକୁ ଅଣାଯାଇଥିଲା । ସାତକୋଶିଆର କୋର ଏରିଆରେ ରହୁଥିଲା ମହାବଳ ମହାବୀର । ଏପରିକି ବାଘର ପ୍ରତିଟି ଗତିବିଧି ଉପରେ ନଜର ରଖିବା ପାଇଁ ମହାବୀର ଦେହରେ ରେଡିଓ କଲାର ଲଗାଯାଇଥିଲା । ତେବେ ଏହା ସ୍ଥିର ହୋଇଯିବାରୁ ବାଘର ମୃତ୍ୟୁ ହୋଇଥିବା ସନ୍ଦେହ ହୋଇଥିଲା । ଏପରିକି ମହାବୀର ହରିଣ ଶିକାର କରାଯାଉଥିବା ଜାଲରେ ପଡିଥିବା ସୂଚନା ମିଳିଛି । ତେଣୁ ମହାବୀରକୁ ଯୋଜନାବଦ୍ଧ ଭାବେ ମାରିଦିଆଯାଇଛି ବୋଲି ସନ୍ଦେହ ସୃଷ୍ଟିୁ ହୋଇଛି ।

ଗୋଟିଏ ପଟେ ବନବିଭାଗ ବାଘ ବଂଶ ବୃଦ୍ଧି କରିବା ପାଇଁ ସାତକୋଶିଆରେ ବାଘ ଛାଡିଥିଲା । କିନ୍ତୁ ମହାବୀରର ମୃତ୍ୟୁ ପରେ ଏହା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃ୍ଷ୍ଟି ହୋଇଛି । କାରଣ ଆଗକୁ ଆହୁରି ୪ଟି ବାଘକୁ ଆଣିବାକୁ ଯୋଜନା କରିଥିଲା ବନବିଭାଗ । ତେଣୁ ବନବିଭାଗର ଏହି ଯୋଜନା ମଧ୍ୟ ଫସର ଫାଟି ଯାଇପାରେ । ପୂର୍ବରୁ ସାତକୋଶିଆରେ ମଧ୍ୟ ଅନେକ ବାଘ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି ।