କେମିତି ମଲା ମହାବଳ ? ବିଶେଷଜ୍ଞ କହିଲେ, ବାହ୍ୟ ଆଘାତରୁ ହୋଇଥିଲା ସଂକ୍ରମଣ, ବନ ବିଭାଗର ପାରିବା ପଣିଆ ନେଇ ଉଠିଲା ପ୍ରଶ୍ନ ।

256

କନକ ବ୍ୟୁରୋ : ମହାବଳ ବାଘ ମହାବୀରର ମୃତ୍ୟୁ ବାହ୍ୟ ଆଘାତରୁ ହୋଇଛି , ଝିଙ୍କ ଖାଇବା କାରଣରୁ ନୁହେଁ । ମହାବଳର ମୃତ୍ୟୁ ପରେ ଏବେ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଏଥିସହ ତରବରିଆ ଭାବେ ପୋଷ୍ଟମର୍ଟମ ରିପୋର୍ଟ ଦେବାନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବାହ୍ୟ ଆଘାତରୁ ମହାବୀରର ମୃତ୍ୟୁ ହୋଇଛି । ଆଉ ଏହି ବାହ୍ୟ ଆଘାତ ବେକ ପାଖରେ ହୋଇଛି । କୌଣସି ତୀକ୍ଷଣ ବସ୍ତୁରୁ ହୋଇଥିବା ସନ୍ଦେହ କରାଯାଉଛି । ତୀର ଲାଗିବା କାରଣରୁ ହୋଇଥାଇପାରେ ବୋଲି ମଧ୍ୟ କୁହାଯାଉଛି । ଏହା ମଧ୍ୟ ଅନୁମାନ କରାଯାଉଛି କେହି ଫାଶ ବସାଇବା କାରଣରୁ ସେହି ଫାଶରେ ପଡି ମହାବୀରର ବେକରେ ଆଘାତ ଲାଗିଥାଇପାରେ । କିଛି ଦିନ ଧରି ଏହି ଆଘାତ ସ୍ଥାନରେ ହୋଇଥିଲା ସଂକ୍ରମଣ  । ଏହି ସଂକ୍ରମଣ ବ୍ୟାପିଥିଲା ପୁରା ଶରୀରକୁ ।  ମଲଟି ଅର୍ଗାନକୁ ବ୍ୟାପିବା ପରେ ଏହା ଫେଲ୍ୟୁୟର ହୋଇଥିଲା । ଆଉ ସେଥିପାଇଁ ଜୀବନ ଗଲା ମହାବୀରର ।

ସେପଟେ ମହାବଳ ମହାବୀରର ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଝିଙ୍କ ଖାଇ ମହାବୀରର ମୃତ୍ୟୁ କଥାକୁ ଅସ୍ୱିକାର କରିଛନ୍ତି । ଏଥି ସହ ମହାବଳର ମୃତ୍ୟୁରେ ତରବରିଆ ଭାବେ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ଚେଷ୍ଟା କରାଯାଇଛି ବୋଲି କହିଛନ୍ତି ବିଶେଷଜ୍ଞ ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୋଷ୍ଟମର୍ଟମ ରିପୋର୍ଟ ଅନୁଧ୍ୟାନ କରିବା ପରେ ବିଶେଷଜ୍ଞ କହିଛନ୍ତି, ମହାବୀର ୬ରୁ ୭ଦିନ ଧରି ସଂକ୍ରମଣର ଶିକାର ଥିଲା । ସଂକ୍ରମଣ କାରଣରୁ ଶିକାର କରିବାକୁ ଅସମର୍ଥ ଥିଲା ମହାବୀର । ଏହି ସମୟରେ ଦେହରେ ରେଡିଓ କଲାର ଲାଗିଥିବା ସତ୍ୱେ କିପରି ମହାବୀରର ଗତିବିଧିକୁ ଜାଣିପାରିଲାନାହିଁ ବନବିଭାଗ ? ମହାବୀର ନିକଟରେ ପହଂଚିବାବେଳକୁ  ମୃତ୍ୟୁକୁ ୨୪ଘଂଟାରୁ ଅଧିକ ସମୟ ବିତିଯାଇଥିଲା । ତେଣୁ ମହାବୀରକୁ ଟ୍ରାକ କରିବାରେ ବନବିଭାଗର ଅପାରଗତାକୁ ନେଇ ପ୍ରଶ୍ନ ଉଠିଛି ।