ବିଚାରପତିଙ୍କ ଘରେ ପଶିଲା ଭାଲୁ ! ଦୁଇ ଛୁଆ ଭାଲୁ ସହ ମା ଭାଲୁ ପଶିଆସିଥିବା ସନ୍ଦେହ, ଧରିବାକୁ ବନବିଭାଗ ନାକେଦମ୍ ।

132

କନକ ବ୍ୟୁରୋ : ବିଚାରପତିଙ୍କ ଘରେ ପଶିଲା ଜଙ୍ଗଲି ଭାଲୁ । ଏଭଳି ଘଟଣା ଘଟିଛି ଛତିଶଗଡ କାଙ୍କେର ଜିଲ୍ଲା ଜଜ ପ୍ରଶାନ୍ତ କୁମାର ଶିବହରେଙ୍କ ଘରେ । ଖାଦ୍ୟ ଅନ୍ୱେଷଣରେ ମା ଭାଲୁ ସହ ଦୁଇ ଛୁଆ ଭାଲୁ ସହରକୁ ପଶିଆସିଥିବା ସନ୍ଦେହ କରାଯାଉଛି । ଭାଲୁକୁ କାବୁ କରିବାକୁ ବନବିଭାଗକୁ ନାକେଦମ ହେବାକୁ ପଡିଛି । ଗତକାଲି ଏହି ଘଟଣା ଘଟିଥିଲା । ଏହି ସମୟରେ ବିଚାରପତିଙ୍କ ପୂରା ପରିବାର ଘର ଭିତରେ ଥିଲେ । ସକାଳୁ ଉଠିବା ପରେ ଭାଲୁଙ୍କୁ ବିଚାରପତି ଦେଖିବାକୁ ପାଇଥିଲେ । ଏହା ପରେ ସେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ ।

ବିଚାରପତିଙ୍କ ଘରେ ଭାଲୁ ପଶିଥିବା ଜାଣଇବା ପରେ ବନ ବିଭାଗରେ ତତ୍ପରତା ପ୍ରକାଶ ପାଇଥିଲା । ଖବର ପାଇ ପୋଲିସ ଓ ବନବିଭାଗ ପଂହଚି ଭାଲୁକୁ ଧରିବା ଅଭିଯାନ ଜାରି ରଖିଥିଲେ । ବିଚାରପତିଙ୍କ ଘରେ ଭାଲୁ ପଶିଥିବା ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏପରିକି ବିଚାରପତିଙ୍କ ଘର ଆଗରେ ଭିଡ ମଧ୍ୟ ପରିଲକ୍ଷିତ ହୋଇଥିଲା । ପ୍ରଥମେ ଦୁଇ ଛୁଆ ଭାଲୁଙ୍କୁ ଧରିବାରେ ସଫଳ ହୋଇଥିଲା ବନବିଭାଗ । ମା ଭାଲୁକୁ ଧରିବା ପାଇଁ ବନବିଭାଗକୁ ନାକେଦମ ହେବାକୁ ପଡିଥିଲା । ପରେ ତିନୋଟି ଯାକ ଭାଲୁକୁ ଧରି ଜଙ୍ଗଲରେ ଛାଡିଦେଇଥିବା ସୂଚନା ମିଳିଛି । କିଛିଦିନ ତଲେ ଭାଲୁ ବିଜେପି ନେତାଙ୍କ ଘର ଭିତରେ ପଶି ଆକ୍ରମଣ କରିଥିଲା ।