ପଦ୍ମଶ୍ରୀ ସମ୍ମାନ ପାଇବା ତାଲିକାରେ ସାମିଲ ହେଲେ ୩ ଓଡିଆ । ଜାଣନ୍ତୁ ଓଡିଆ ପଦ୍ମଶ୍ରୀଙ୍କ କାହାଣୀ

407

ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ ସମ୍ମାନ ଘୋଷଣା ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥର ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ୮୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିବେ। ଓଡ଼ିଶାରୁ ଏହି ତାଲିକାରେ ୩ଜଣଙ୍କୁ ସାମିଲ କରାଯାଇଛି। ସମାଜ ସେବା ପାଇଁ କଟକର ଚା’ ଦୋକାନୀ ଡି. ପ୍ରକାଶ ରାଓ, କୃଷି କ୍ଷେତ୍ରରେ ଅବଦାନ ପାଇଁ କମଳା ପୂଜାରୀ ଏବଂ ସାମାଜିକ ସେବା ପାଇଁ ଦୈତାରୀ ନାୟକଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ।

ଆସନ୍ତୁ ଜାଣିବା ୩ ଓଡିଆ ପଦ୍ମଶ୍ରୀଙ୍କ କାହାଣୀ

କମଳା ପୂଜାରୀ : କୋରାପୁଟର ଆଦିବାସୀ ମହିଳା କମଳା ପୂଜାରୀଙ୍କ ଅବଦାନ ମଧ୍ୟ କମ୍ ନୁହେଁ। ଜଣେ ଆଦିବାସୀ ଅଶିକ୍ଷିତ ମହିଳା ହୋଇଥିଲେ ହେଁ, ଜୈବିକ ପ୍ରଣାଳୀରେ ଚାଷ କରିବା ସହ ୧୦୦ କିସମର ଧାନକୁ ଏଯାବତ ସଂରକ୍ଷିତ ରଖିଛନ୍ତି। ଖାଲି ନିଜେ ନିଜକୁ ଗରିମାମୟ କରିନାହାନ୍ତି, ବରଂ ରାସାୟନିକ ସାରରୁ ଦୂରେଇ ରହି ଜୈବିକ ସାର ବିନିଯୋଗ କରିବା ପାଇଁ ଗାଁ’ର ଲୋକମାନଙ୍କୁ ବୁଝାଇଛନ୍ତି। ଯେଉଁଥିପାଇଁ ଦକ୍ଷିଣ ଆଫ୍ରିକାର ‘ଇକ୍ବେଟିଭ୍ ଇନିସିଏଟିଭ୍ ସମ୍ମାନ’ ଅର୍ଜନ କରିଛନ୍ତି। ତାଙ୍କର ଏହି ଅବଦାନ ପାଇଁ ଚଳିତ ବର୍ଷ ସେ ପଦ୍ମଶ୍ରୀ ଭଳି ମର୍ଯ୍ୟାଦାଜନକ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି।

ଅନ୍ୟପକ୍ଷରେ, ଗୋଟିଏ ପଟେ ପଦ୍ମଶ୍ରୀ ପାଇଁ କମଳା ପୂଜାରୀ ମନୋନୀତ ହୋଇଥିବା ବେଳେ ଆରପଟେ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ିବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ୨୪ଘଣ୍ଟା ଧରି ତାଙ୍କୁ ନିରୀକ୍ଷଣରେ ରଖିବା ପରେ ପରବର୍ତ୍ତୀ ଚିକିତ୍ସା କରାଯିବ। ଆବଶ୍ୟକ ପଡ଼ିଲେ କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବ ବୋଲି ମେଡିକାଲ ସୂତ୍ରରୁ ଜଣାପଡ଼ିଛି।

ଦୈତାରୀ ନାୟକ : ଅଖ୍ୟାତ ପଲ୍ଲୀର ଜଣେ ଅଜଣା ଅଶୁଣା ବ୍ୟକ୍ତି ଏବେ ବିଖ୍ୟାତ ହୋଇଯାଇଛନ୍ତି। ତାଙ୍କ ନାଁକୁ ନେଇ ଏବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା। ଦିନେ ପାହାଡ଼ କାଟି ଗାଁକୁ କେନାଲ ଖୋଳିଥିଲେ ଦୈତାରୀ ନାୟକ। ଏବେ ତାଙ୍କ ନାଁ ଆଗରେ ଯୋଡ଼ି ହୋଇଯାଇଛି ପଦ୍ମଶ୍ରୀ।

କେନ୍ଦୁଝର ଜିଲ୍ଲା ନିପଟ ମଫସଲ ବା˚ଶପାଳ ବ୍ଲକର ଗୋନାସିକା ପଞ୍ଚାୟତର ତଳ ବୈତରଣୀ ଗାଁର ମାଉଣ୍ଟେନ ମ୍ୟାନ ଭାବେ ପରିଚିତ ଦୈତାରୀ ନାଏକଙ୍କୁ ମିଳିବ ସମ୍ମାନଜନକ ପଦ୍ମଶ୍ରୀ। ଆଜି ଏଥିନେଇ ଘୋଷଣା ହୋଇଛି। ଏହି ଖବର ମିଳିବା ପରେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। କେନ୍ଦୁଝର ଜିଲ୍ଲା ବା˚ଶପାଳ ବ୍ଲକ ତଳବୈତରଣୀ ଗ୍ରାମର ଦୈତାରୀ ନାଏକ ଗୋନାସିକା ପାହାଡ ତଳେ ରହିଛି ତଳବୈତରଣୀ ଗାଁ। ଏହି ଗାଁର ଚାଷ ଜମିକୁ ବର୍ଷ ତମାମ ଜଳ ନିଅଣ୍ଟ ପଡିଥାଏ। ଫଳରେ ବର୍ଷ ତମାମ ଏଠାକାର ଲୋକେ ଜୀବନ ଜୀବିକା ପାଇଁ ସ˚ଘର୍ଷ କରିଥାନ୍ତି। ତେବେ ତଳବୈତରଣୀ ଗାଁର ଆଦିବାସୀ ସ˚ପ୍ରଦାୟର ଦୈତାରୀ ନାଏକଙ୍କୁ ଏହା ଖୁବ୍ ବାଧିଥିଲା। ଫଳରେ ସେ ଗୋନାସିକା ପାହାଡରେ ବହି ଯାଉଥିବା ବୈତରଣୀର ଶାଖା ନଈ ପଥରକଟା ନାଳକୁ କାଟି ଦୀର୍ଘ ୪ କିଲୋମିଟର ପର୍ଯ୍ୟନ୍ତ ନାଳ ଖୋଳି ନିଜ ଗାଁ ଚାଷ ଜମିକୁ ପାଣି ମଡାଇଥିଲେ। ଏ ସ˚ପର୍କରେ ସମ୍ବାଦରେ ପ୍ରଥମେ ଗତ ଜୁନ୍ ୧୮ ତାରିଖରେ ‘କେନ୍ଦୁଝରର ମାଂଝୀ ଦୈତାରୀ’ ଶୀର୍ଷକରେ ଏକ ସ୍ୱତନ୍ତ୍ର ଖବର ପ୍ରକାଶ ପାଇବା ପରେ ସମଗ୍ର ରାଜ୍ୟ ଏବ˚ ଦେଶର ନଜର ପଡ଼ିଥିଲା ଦୈତାରୀଙ୍କ ଉପରେ।

ଡି.ପ୍ରକାଶ ରାଓ : ସ୍ୱତନ୍ତ୍ର ଢଙ୍ଗରେ ଚା’ ବିକ୍ରି କରି ଚର୍ଚ୍ଚାରେ ରହିଥିବା କଟକ ସହରର ବିଶିଷ୍ଟ ସମାଜସେବୀ, ୨୧୮ ଥର ରକ୍ତଦାନ କରି ରେକର୍ଡ କରିଥିବା ଡି. ପ୍ରକାଶ ରାଓଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ବକ୍ସିବଜାର ପେନସନ ଲେନର ଡି. କ୍ରିଷ୍ଣମୂର୍ତ୍ତି ଏବଂ ଡି. ଲକ୍ଷ୍ମୀଙ୍କ ୩ ଜଣ ସନ୍ତାନଙ୍କ ମଧ୍ୟରେ ଡି. ପ୍ରକାଶ ରାଓ ହେଉଛନ୍ତି ବଡ। ମାତ୍ର ଏକାଦଶ ଯାଏଁ ପାଠ ପଢିଥିବା ଶ୍ରୀ ରାଓ କହିଛନ୍ତି ଯେ ୪୨ ଟଙ୍କା ଦେଇ ସେତେବେଳେ ଫର୍ମ ପୂରଣ କରିବାର ସାମର୍ଥ୍ୟ ନଥିବାରୁ ସେ ପାଠପଢା ଛାଡି ଦେଇଥିଲେ। ପରେ ସେ ନିଆରା ଢଙ୍ଗରେ ଚା’ ବିକ୍ରି କରି ରୋଜଗାର କରିବା ସହ ପରିବାରର ଦାୟିତ୍ୱ ନେଇଥିଲେ। ବକ୍ସି ବଜାରରେ ଥିବା ତାଙ୍କ ଚା’ ଦୋକାନରେ ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଏବଂ ଖବର କାଗଜ, ମାଗାଜିନ ପଢିବାର ସୁଯୋଗ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ। ୧୯ ବର୍ଷ ପୂର୍ବେ ସେ ଆଶା ଓ ଆଶ୍ୱାସନା ନାମରେ ସ୍କୁଲ କରି ବସ୍ତି ପିଲାଙ୍କୁ ମାଗଣା ପଢିବାର ସୁଯୋଗ ଦେଇଥିଲେ। ନିୟମିତ ରକ୍ତଦାନ କରି ଏଯାଏଁ ୨୧୮ ଥର ରକ୍ତଦାନ ଏବଂ ୧୭ ଥର ପ୍ଲେଟଲେଟ୍ସ ଦାନ କରିସାରିଥିବା ଶ୍ରୀ ରାଓ କହିଛନ୍ତି। ‘ସମ୍ବାଦ’ ପକ୍ଷରୁ ଗଲା ୧୯ ତାରିଖରେ ଅନୁଷ୍ଠିତ ଏକ ରକ୍ତଦାନ ଶିବିରରେ ମଧ୍ୟ ଶ୍ରୀ ରାଓ ଉପସ୍ଥିତ ରହି ରକ୍ତଦାନ କରିଥିଲେ।

ଶ୍ରୀ ରାଓଙ୍କ ପରିବାର କହିଲେ ତାଙ୍କ ପତ୍ନୀ ପି. ବିଜୟଲକ୍ଷ୍ମୀ ଓ ଦୁଇ ଝିଅ ହରିପ୍ରିୟା ଏବଂ ଭାନୁପ୍ରିୟା। ପି. ବିଜୟଲକ୍ଷ୍ମୀ ଏବେ କଟକ ବଡ ମେଡିକାଲରେ ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ। ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮, ମେ’ ୨୬ରେ କଟକ ଆସିଥିବା ସମୟରେ ଶ୍ରୀ ରାଓଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ ଦେଇ ତାଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ଶ୍ରୀ ରାଓ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ ଆୱାର୍ଡ, ଆନିବେଶାନ୍ତ ସମ୍ମାନ, ଭାରତ ବିକାଶ ସମ୍ମାନ ଭଳି ବହୁ ସମ୍ମାନ ପାଇଛନ୍ତି।