ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ବୁଥ୍ ମୁହାଁ ହେଲେ ପୋଲିଂ ଅଫିସର, ଶୃଙ୍ଖଳିତ ମତଦାନ ନେଇ ପ୍ରସ୍ତୁତି ।

80

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସରିଲା ପ୍ରଚାର । ଦିନକ ପରେ ଅର୍ଥାତ୍ ଆସନ୍ତା ମେ ୨୩ ତାରିଖରେ ଅନୁଷ୍ଠିତ ହେବାକୁଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରସ୍ତୁତି ଚୂଡ଼ାନ୍ତ । ତେଣୁ ଏନେଇ ପୋଲିଂ କର୍ମଚାରୀମାନେ ନିଜ ନିଜର ବୁଥ୍ ଉଦ୍ଦେଶ୍ୟରେ ବାହାରିଲେଣି । ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ ଟି ବିଧାନସଭା ଆସନରେ ମତ ସାବ୍ୟସ୍ତ କରିବେ ମତଦାତା । ଏଥିରେ ଭୁବନେଶ୍ୱର, ପୁରୀ, ସମ୍ବଲପୁର,କଟକ,ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା କ୍ଷେତ୍ରପାଇଁ ଭୋଟଗ୍ରହଣ ହେବ।

ସୂଚନା ମୁତାବକ, ସମ୍ବଲପୁରର ସରକାରୀ ମହିଳା ମହା-ବିଦ୍ୟାଳୟର ପରିସରରୁ ପୋଲିଂ କର୍ମଚାରୀମାନେ ଇଭିଏମ୍ ଧରି ନିଜ ନିଜର ପୋଲିଂ ବୁଥ୍ କୁ ବାହାରିଛନ୍ତି । ଏଠାରୁ ୪୦୮ଟି ବସରେ କର୍ମଚାରୀମାନେ ଯାତ୍ରା କରୁଛନ୍ତି । ଏଠାରୁ ସମ୍ବଲପୁର ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀକୁ ପୋଲିଂ କର୍ମଚାରୀମାନେ ଯାଇଛନ୍ତି । ତେବେ ସମ୍ବଲପୁର ଲୋକସଭା ଆସନରେ ଚଳିତଥର ମୋଟ୍ ୧୪ ଲକ୍ଷ ୬୬ ହଜାର ୯୭୪ ଜଣ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ । ତେଣୁ ଏଠାରେ ଥିବା ୧୭୮୯ଟି ବୁଥରେ ମତଦାନ ହେଉଥିବା ଜଣାଯାଇଛି ।

ଅନ୍ୟପଟେ ନିର୍ବାଚନ ଆୟୋଗଙ୍କ ଗାଇଡ଼ ଲାଇନ୍ ବା ଆଚରଣ ବିଧି ନିୟମ ଅନୁସାରେ ସନ୍ଧ୍ୟାରେ ଶେଷ ହୋଇଛି ପ୍ରାର୍ଥୀଙ୍କ ପ୍ରଚାର । ତେଣୁ ୬ ଲୋକସଭା ଓ ୪୨ ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀମାନେ ମାରାଥନ ପ୍ରଚାର କରି ଶେଷ ସୁଯୋଗରେ ଭୋଟରଙ୍କୁ ମନାଇବା ପାଇଁ ରଣନୀତି କରୁଥିବା ଦେଖିବାକୁ ମିଳିଛି ।