ସବୁଠୁ ବଡ଼ ପର୍ଯ୍ୟାୟ ମତଦାନରେ ଭୋଟ ଦେଲା ଓଡ଼ିଶା । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ମତଦାନ । କେନ୍ଦୁଝରରେ ସର୍ବାଧିକ, ଭୁବନେଶ୍ୱରରେ ସର୍ବନିମ୍ନ ମତଦାନ ।

210

କନକ ବ୍ୟୁରୋ : ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ହାତଗଣତି କେତୋଟି ବୁଥରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମତଦାନ ବିଳମ୍ବ ହୋଇଥିବା ବେଳେ ଆଉ ୨ଟି ବୁଥରେ କ୍ରସ୍ ପେୟାରିଂ ଯୋଗୁଁ ସାନି ମତଦାନ ହେବ । ତେବେ ସୂଚନା ଅନୁସାରେ ଶେଷ ଖବର ସୁଦ୍ଧା ସଂଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୧ ପ୍ରତିଶତ ମତଦାନ ହୋଇଛି । ଆଜି ମତଦାନ ହୋଇଥିବା ଓଡ଼ିଶାର ୬ଟି ଲୋକସଭା ଆସନ ମଧ୍ୟରୁ କେନ୍ଦୁଝରରେ ସର୍ବାଧିକ ୬୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ସର୍ବନିମ୍ନ ୫୦.୪୬ ପ୍ରତିଶତ ମତଦାନ ହୋଇଛି । ସେହିପରି ଢ଼େଙ୍କାନାଳରେ ୬୨.୩୨ ପ୍ରତିଶତ, ପୁରୀରେ ୫୮.୧୧ ପ୍ରତିଶତ, ସମ୍ବଲପୁରରେ ୫୬.୩୪ ପ୍ରତିଶତ ଏବଂ କଟକରେ ୫୬.୯୭ ପ୍ରତିଶତ ମତଦାନ ହୋଇଛି ।

ଏସବୁ ଭିତରେ କୁଚିଣ୍ଡାର ୩ଟି ବୁଥ୍ ଓ କେନ୍ଦୁଝରରେ ୨୪୬ ଓ ୨୪୭ ନଂ ବୁଥରେ ଭୋଟ ବର୍ଜନ କରିଛନ୍ତି ଭୋଟର । କୁଚିଣ୍ଡାର ବାମଣ୍ଡାଗଡ, ଲେପେଇକାନି ଓ ପରଙ୍ଗାମାଳବାସୀ ଭୋଟ୍ ବର୍ଜନ କରିଛନ୍ତି । ସେହିପରି କେନ୍ଦୁଝରର କେହ୍ନଇଗୋଳା ଓ ରାଣୀପଦା ଗ୍ରାମବାସୀ ଭୋଟ୍ ବର୍ଜନ କରିଛନ୍ତି । ପାନୀୟ ଜଳ, ଶିକ୍ଷା , ସ୍ୱାସ୍ଥ୍ୟ ଓ ଯାତାୟତ ଭଳି ବିଭିନ୍ନ ପ୍ରକାର ମୌଳିକ ସୁବିଧା ପାଇବାରୁ ବଂଚିତ ହୋଇଥିବାରୁ ଏହି ଗ୍ରାମବାସୀମାନେ ଭୋଟ୍ ବର୍ଜନ କରିଥିବା ପ୍ରକାଶ କରିଛନ୍ତି ।

ଆଉ ଏପଟେ ଆସନ୍ତା ୨୫ରେ ୯ଟି ବୁଥରେ ସାନି ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ ସମୟରେ ହୋଇଥିବା ପରିଚାଳନା ଗତ ତ୍ରୁଟି ଯୋଗୁଁ ବରଗଡରେ ୪, ସୁନ୍ଦରଗଡ ଓ କନ୍ଧମାଳରେ ୨ଟି ଏବଂ ଆସ୍କାର ଗୋଟିଏ ବୁଥରେ ସାନି ମତଦାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦେଶ ଦେଇଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଥିବା ବେଳେ ଆସନ୍ତା ୨୯ ତାରିଖ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଆଉ ମେ’ ୨୩ ତାରିଖରେ ପ୍ରକାଶ ପାଇବ ଫଳାଫଳ ।