କନକ ବ୍ୟୁରୋ : ରାଜସ୍ଥାନର ବିକାନେର ଜିଲ୍ଲାରେ ଗଙ୍ଗାସହର ପୁଲିସ ଚେନ୍ ଲୁଟ ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଗଙ୍ଗାସହରରେ ଜଣେ ମହିଳାଙ୍କ ଗଳାରୁ ଚେନ୍ ଛିଣ୍ଡାଇ ଫେରାର ହୋଇଯାଇଥିଲେ । ପୁଲିସ ତଦନ୍ତ କରି ଏହି ଦୁଇ ଚେନ୍ ଲୁଟେରାଙ୍କୁୁ ଧରିଥିଲା । ପୁଲିସ ଭୟରେ ଚେନ୍ ଲୁଟେରା ଚେନ୍କୁ ଗିଳି ପକାଇ ଥିଲା । ଏବେ ପୁଲିସ ଯୁବକ ପେଟରୁ ଚେନ୍ ବାହାର କରିବା ପାଇଁ ଚିକିତ୍ସକଙ୍କ ସାହାଯ୍ୟ ନେଇଛି ।
ସୂଚନାଯୋଗ୍ୟ, ଗଙ୍ଗା ସହରରେ ନୂଆ ଲାଇନ୍ ନିବାସୀ ମହିଳା ଜୟଶ୍ରୀ ଡାଗା ମଙ୍ଗଳବାର ଦିପହରରେ ମୁଖ୍ୟ ବଜାରରୁ କିଛି କିଣାକିଣି କରି ଘରକୁ ଫେରୁଥିଲେ । ଏହି ସମୟରେ ବାଇକ୍ରେ ଆସି ଦୁଇଜଣ ଯୁବକ ମହିଳାଙ୍କ ବେକ୍ରୁ ଚେନ୍ ଛିଣ୍ଡାଇ ନେଇ ଯାଇଥିଲେ । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଗଙ୍ଗାସହର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ।
ସିସିଟିଭି ଫୁଟେଜରୁ ପୁଲିସ ଲୁଟେରାଙ୍କ ପରିଚୟ ପାଇଥିଲା । ଜଣଙ୍କ ନାମ ରାକେଶ ସୋନି ଓ ଅନ୍ୟ ଜଣକଙ୍କ ନାମ ମେହନଗର ନିବାସୀ ବିକ୍ରମ ଭାର୍ଗବ ବୋଲି ଜଣାପଡ଼ିଛି । ଏହାପରେ ପୁଲିସ ରାକେଶ ସୋନି ଘରେ ପହଞ୍ଚିଥିଲା । ପୁଲିସ ଭୟରେ ରାକେଶ ଚୋରି କରିଥିବା ଚେନ୍କୁ ଗିଳି ପକାଇଥିଲା । ଏହାପରେ ପୁଲିସ ଉକ୍ତ ଯୁବକକୁ ହସ୍ପିଟାଲ୍ ନେଇ ଏକ୍ସ-ରେ କରାଇଥିଲା । ଏକ୍ସ-ରେ ପରେ ଚୋର ପେଟରେ ଚେନ୍ ଥିବା ଜଣାପଡ଼ିଥିଲା ।