ନିର୍ଭୟାକୁ ନ୍ୟାୟ ଦେବାକୁ କାହିଁକି ହେଉଛି ଡେରି ? ଝିଅର ସର୍ବନାସ କରିଥିବା ସୈତାନଙ୍କୁ ସଜ୍ଜା ଦେବାକୁ ସାତ ବର୍ଷ କଣ ପାଇଁ…?? ନ୍ୟାୟ ବ୍ୟବସ୍ଥାକୁ ନିର୍ଭୟା ପରିବାରର ପ୍ରଶ୍ନ

668

କନକ ବ୍ୟୁରୋ : କେବେ ମିଳିବ ନିର୍ଭୟାଙ୍କୁ ନ୍ୟାୟ? ଦିଲ୍ଲୀ ଗଣଦୁଷ୍କର୍ମ ଘଟଣାକୁ ୭ ବର୍ଷ ପୂରିଛି । ହେଲେ ଏବେ ବି ଦୋଷୀଙ୍କୁ ମିଳିନି ଫାଶୀ । ନ୍ୟାୟ ପାଇବା ପାଇଁ ଯେଉଁ ଦେଶରେ ଦଶନ୍ଧି ଦଶନ୍ଧି ଅପେକ୍ଷା କରିବାକୁ ପଡୁଛି ସେଠାରେ ୭ ବର୍ଷରେ ନ୍ୟାୟ ଆଶା କରିବା ବା କେମିତି? କିନ୍ତୁ ଦିଲ୍ଲୀ ଗଣଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାରେ ନ୍ୟାୟିକ ପ୍ରକ୍ରିୟା ବିଳମ୍ବିତ ହେଉଥିବା ବେଳେ ଏହାକୁ ନେଇ ଅନେକ ଥର ପ୍ରଶ୍ନ ଉଠିଛି । ନ୍ୟାୟ ପାଇଁ ପୀଡିତାଙ୍କ ପରିବାର ୭ ବର୍ଷ ସଂଘର୍ଷ କରିବା ଆମର ନ୍ୟାୟିକ ପ୍ରକ୍ରିୟା ଉପରେ ପ୍ରଶ୍ନର ପାହାଡ ଛିଡା କରୁଛି । କେଉଁଠି ନା କେଉଁଠି ଆମ ନ୍ୟାୟ ବ୍ୟବସ୍ଥାରେ ଟିକିଏ ଢିଲା ରହିଛି ଆଉ ଯାହାର ଫାଇଦା ଉଠାଉଛନ୍ତି ଏହିଭଳି ନରପିଶାଚ ।

ଯେଉଁଥିପାଇଁ ହାଇଦ୍ରାବାଦ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ପରେ ଲୋକେ ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ କରିବା ବଦଳରେ ଅପରାଧୀଙ୍କୁ ଯଥାଶୀଘ୍ର ଦଣ୍ଡ ଦେବାକୁ ଦାବି କରୁଥିଲେ । ଏପରିକି ଏନକାଉଣ୍ଟରରେ ଅଭିଯୁକ୍ତଙ୍କ ମୃତ୍ୟୁକୁ ନେଇ ଦେଶବାସୀ ସେଲିବ୍ରେସନ କରିବାକୁ ପଛାଇ ନଥିଲେ । ତଦନ୍ତ ତାତି କମିବା ପୂର୍ବରୁ ନରରାକ୍ଷସଙ୍କୁ ନିପାତ କରିଥିବାରୁ ପୋଲିସକୁ ଧନ୍ୟବାଦ ଜଣାଇଥିଲେ । ଏହାପଛରେ ଲୋକଙ୍କ ମନରେ ଗୋଟିଏ ଧାରଣା ରହିଥିଲା ଯେ, ଦୁଷ୍କର୍ମକାରୀଙ୍କୁ ଏଭଳି ଦଣ୍ଡ ଦିଆଗଲେ ହୁଏତ ନାରୀଙ୍କୁ ଆଖି ଉଠାଇବା ପୂର୍ବରୁ ବାରମ୍ବାର ଭାବିବେ ନରରାକ୍ଷସ । କାରଣ ଆଇନର ଗଳାବାଟ ଦେଇ ଅନେକ ଅପରାଧୀ ଖସି ଯାଉଥିବା ବେଳେ ଅନେକ କ୍ଷେତ୍ରରେ ନ୍ୟାୟ ମିଳିବା ବେଳକୁ ବର୍ଷ ବର୍ଷ ବିତି ଯାଉଥିଲା । ସେଥିପାଇଁ ତ ହାଇଦ୍ରାବାଦ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର ନିଷ୍ପତିକୁ ପ୍ରଂଶସା କରିଥିଲେ ଅଧିକାଂଶ ଦେଶବାସୀ । କାରଣ ନ୍ୟାୟିକ ପ୍ରକ୍ରିୟାରେ ଯାଇଥିଲେ ନ୍ୟାୟ ପାଇବା ପାଇଁ ହୁଏତ ନିର୍ଭୟାର ପରିବାର ଭଳି ଦିଶାର ପରିବାରକୁ ମଧ୍ୟ ବର୍ଷ ବର୍ଷ ଧରି ଏହିଭଳି ଅପେକ୍ଷା କରିବାକୁ ପଡିଥାନ୍ତା । ସେଥିପାଇଁ ତ ନ୍ୟାୟିକ ପ୍ରକ୍ରିୟା ଅପେକ୍ଷା ପୋଲିସ ଏନକାଉଣ୍ଟରକୁ ପ୍ରଂଶସା କରିଥିଲେ ଦିଶାର ପରିବାର ।

୭ ବର୍ଷ ବିଳମ୍ବରେ ହେଉ ପଛେ ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ବିହାର ବକ୍ସର ଜେଲରେ ସ୍ୱତନ୍ତ୍ର ଦଉଡି ପ୍ରସ୍ତୁତ ହେଉଛି । ସେଠାରେ ସଜା କାଟୁଥିବା କଏଦୀମାନେ ଏହି ଦଉଡି ପ୍ରସ୍ତୁତ କରୁଛନ୍ତି । ଚଳିତ ସପ୍ତାହର ଶେଷ ସୁଦ୍ଧା ଫାଶୀ ପାଇଁ ୧୦ଟି ଫାଶୀ ଫନ୍ଦା ପ୍ରସ୍ତୁତ କରି ରଖିବାକୁ ବକ୍ସର ଜେଲକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ୧୦ଟି ଫନ୍ଦାରୁ ୪ଟି ଫନ୍ଦା ନିର୍ଭୟା ମାମଲାର ଦୋଷୀଙ୍କ ପାଇଁ ବୋଲି ଚର୍ଚ୍ଚା ହେଉଛି ।

ଆଉ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଦୋଷୀ ପୱନ ଗୁପ୍ତାଙ୍କ ତିହାର ଜେଲ ସ୍ଥାନାନ୍ତର । ପୱନଙ୍କୁ ଆଗରୁ ମଣ୍ଡୋଲି ରଖାଯାଇଥିଲା । ଗତ ମଙ୍ଗଳବାର ମଣ୍ଡୋଲି ଜେଲରୁ ତିହାର ଜେଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ତିହାରରେ ଅନ୍ୟ ୩ ଯୌନରାକ୍ଷସ କାରାଦଣ୍ଡ ଭୋଗୁଛନ୍ତି । ତିହାର ଜେଲର ଯେଉଁ ସେଲ ଗୁଡିକରେ ଦୋଷୀଙ୍କୁ ରଖାଯାଇଛି, ସେଠାରେ ସୁରକ୍ଷାକୁ ବଢାଇ ଦିଆଯାଇଛି । ୪ ଦୋଷୀଙ୍କୁ ଜେଲରେ କୌଣସି କାମ ବି କରିବାକୁ ଦିଆଯାଉ ନାହିଁ । ପ୍ରତ୍ୟେକ ଦିନ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଆଉ ଜେଲ ଭିତରେ ହେଉଥିବା ଏପରି କିଛି ହଲଚଲ ସୂଚାଉଛି ଯେ ଦୋଷୀଙ୍କୁ ଖୁବଶୀଘ୍ର ଝୁଲାଇ ଦିଆଯିବ ଫାଶୀ ଖୁଣ୍ଟରେ ।