ସୈତାନଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତ ପବନ ଜହ୍ଲାଦ । ଆଉ ୩ ଦିନର ଅପେକ୍ଷା, ନିର୍ଭୟାଙ୍କୁ ମିଳିବ ନ୍ୟାୟ, ନରରାକ୍ଷସଙ୍କ ରଡିରେ କମ୍ପିବ ତିହାର ଜେଲ୍ ।

1,100

କନକ ବ୍ୟୁରୋ : ଦୀର୍ଘ ୭ ବର୍ଷ ଅପେକ୍ଷାର ଅନ୍ତ ଘଟିବ । ଆଉ ଫାଶୀ ଖୁଂଟରେ ଝୁଲିବେ ନରରାକ୍ଷସ । ଆଉ ମାତ୍ର ୩ ଦିନର ଅପେକ୍ଷା । ନ୍ୟାୟ ପାଇବ ନିର୍ଭୟା । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣାର ୪ ସୈତାନଙ୍କୁ ହାତ ଠାରି ଡାକୁଛି ମୃତ୍ୟୁ । ଆସନ୍ତା ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଫାଶୀ ଖୁଂଟରେ ଝୁଲିବେ ନରପିଶାଚ । ଆଉ ଏହି ୪ ରାକ୍ଷସ, ମୁକେଶ, ପବନ, ଅକ୍ଷୟ ଓ ବିନୟକୁ ଫାଶୀ ଖୁଂଟରେ ଝୁଲାଇବେ ଘାତକ ପବନ ଜହ୍ଲାଦ ।

ଉତ୍ତରପ୍ରଦେଶର ମିରଟ ବାସିନ୍ଦା ପବନ, ଜହ୍ଲାଦ ବୃତିକୁ କୌଳିକ ବୃତି ଭାବେ ପାଇଛନ୍ତି । ପରିବାରର ଚତୁର୍ଥ ପିଢି ଭାବେ ଫାଶୀ ଦେବାକୁ ପ୍ରସ୍ତୁତ ହେଉଛନ୍ତି ପବନ । ଆଉ କହିଛନ୍ତି, ଏପରି ଘୃଣ୍ୟ ତଥା ପାଶବିକ ଦୁଷ୍କର୍ମ କରିଥିବା ଦୋଷୀଙ୍କୁ ଫାଶୀ ଖୁଂଟରେ ଝୁଲାଇଦେଲେ ଦେଶର କୋଟି କୋଟି ଲୋକଙ୍କୁ ଏହା କିଛି ମାତ୍ରାରେ ଖୁସି କରିବ ।

ପ୍ରଥମଥର ପାଇଁ ଏକାସଙ୍ଗେ ଫାଶୀ ପାଇବେ ୪ଜଣ ଦୋଷୀ । ତେବେ ଆସନ୍ତୁ ଜାଣିବା ଏହି ନରରାକ୍ଷସଙ୍କୁ ଫାସୀ ଦେବା ପାଇଁ ପବନ ଜହ୍ଲାଦଙ୍କୁ କାହିଁକି ମନୋନୀତ କରିଛି ତିହାର ଜେଲ ।

ଜହ୍ଲାଦ ବୃତି ହେଉଛି ପବନଙ୍କ ବଂଶଗତ ପେସା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରିଥିବା ୨ ହତ୍ୟାକାରୀଙ୍କ ସମେତ ଦୁର୍ଦ୍ଦାନ୍ତ ଅପରାଧୀ ରଙ୍ଗା ଓ ବିଲ୍ଲାଙ୍କୁ ଫାଶୀ ଖୁଂଟରେ ଝୁଲାଇଥିଲେ ପବନଙ୍କ ଜେଜେବାପା । ପବନ ହେଉଛନ୍ତି ତାଙ୍କ ବଂଶର ତୃତୀୟ ପୀଢିର ଜହ୍ଲାଦ । ସେ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଓ ଶକ୍ତିଶାଳୀ ବି ଅଛନ୍ତି । ଫାଶୀ ଦେବା ସମୟରେ ପବନ ଜହ୍ଲାଦ କୌଣସି ଭୁଲ କରିବେ ନାହିଁ, ସେ ବିଶ୍ୱାସ ସମସ୍ତଙ୍କ ରହିଛି ।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଫାଶୀ ଦେବା ପାଇଁ ଜହ୍ଲାଦ ମାନଙ୍କୁ କେତେ ଟଙ୍କା ମିଳିଥାଏ । ପବନଙ୍କ କହିବା ଅନୁଯାୟୀ, ଫାଶୀ ଦେବା ପାଇଁ ପୂର୍ବରୁ ଭଲ ଟଙ୍କା ମିଳୁଥିଲା । ସେତେବେଳର ସମୟ ଅନୁଯାୟୀ, ଫାଶୀ ପିଛା ୧୦୦ ଟଙ୍କା ମିଳୁଥିଲା । ୨୦୧୩ରେ ପାରିଶ୍ରମିକ ରାଶି ବୃଦ୍ଧି ପାଇ ୩ ହଜାର ଟଙ୍କା ହୋଇଥିଲା । କିନ୍ତୁ ଏହି ପାରିଶ୍ରମିକ ରାଶି ପୂର୍ବ ଅପେକ୍ଷା ବେଶ କମ୍ ଥିଲା । ଆଉ ଏନେଇ ବିରୋଧ କରିବାରୁ ଏବେ କଏଦୀଙ୍କୁ ଫାଶୀରେ ଝୁଲାଇବା ପାଇଁ ୫ ହଜାର ଟଙ୍କା ମିଳୁଛି ।

ଜହ୍ଲାଦ ପ୍ରସ୍ତୁତ, ଜେଲ ବି ପ୍ରସ୍ତୁତ, ଆଉ ସଜେଇ ହେଉଛି ଫାଶୀ ଖୁଂଟ । ନିର୍ଭୟାଙ୍କୁ ମିଳିବ ନ୍ୟାୟ, ଯେତେବେଳେ ୪ ନରପିଶାଚଙ୍କ ମୃତ୍ୟୁ ରାବରେ କମ୍ପି ଉଠିବ ତିହାର ଜେଲ୍ ।