ଶିଶୁ ଶ୍ରମିକରୁ ମହିଳା ସରପଞ୍ଚ ! ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଓଡ଼ିଶାର ରଞ୍ଜିତା ପାତ୍ର

48

କନକ ବ୍ୟୁରୋ : ପୁରୁଷପ୍ରଧାନ ସମାଜରେ ମହିଳାଙ୍କର ନିଷ୍ପତି ନେବାର ଅଧିକାର ନାହିଁ । ସବୁଠି ନିଷ୍ପତି ନିଏ ପୁରୁଷ । ଦକ୍ଷତା ଥିଲେ ବି ମହିଳାଙ୍କୁ ଅଗ୍ରାଧିକାର ମିଳେନାହିଁ । ତେବେ ଯେଉଁଠି ମହିଳାଙ୍କୁ ନିଷ୍ପତି ନେବାର ଅଧିକାର ମିଳିଛି, ସମାଜର ଯେଉଁ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦିଆଯାଇଛି, ସେଠାରେ ମହିଳା ଭଲ ପ୍ରଦର୍ଶନ କରିଛନ୍ତି । ଏଭଳି ଏକ ଉଦାହରଣ ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ମଦନପୁରର ରଂଜିତା ପାତ୍ର । ଯିଏ ଶିଶୁ ଶ୍ରମିକରୁ ସରପଂଚ ହୋଇପାରିଛନ୍ତି । ଶୁଣିବାକୁ ଏକ କାହାଣୀ ଭଳି ଲାଗୁଥିଲେ ବି ଏହା ସତ । ଆଉ ଏହାକୁ ଅଙ୍ଗେ ନିଭାଇଛନ୍ତି କଳାହାଣ୍ଡି ମଦନପୁରର ରଂଜିତା ପାତ୍ର । ପିଲାଦିନେ ରଂଜିତା ଜଣେ ଶିଶୁ ଶ୍ରମିକ ଥିଲେ । ହେଲେ ଏବେ ସେ ସରପଞ୍ଚ । ସଂର୍ଘଷମୟ ଜୀବନ ସହ ଲଢେଇ କରି ଏବେ ସେ ସମାଜରେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଏହାଛଡା ସରପଞ୍ଚ ଭାବେ ଜିତିବା ପରେ ମହିଳାଙ୍କ ପାଇଁ ବିଭିନ୍ନ ସମୟରେ ସ୍ୱର ଉତ୍ତୋଳନ କରିଛନ୍ତି ରଞ୍ଜିତା ।

kanakସେ ଘର ହେଉ ଅବା ସମାଜ, ସବୁଠି ନିଷ୍ପତି ନିଏ ପୁରୁଷ । ନିଷ୍ପତି ନେବାର ଅଧିକାର ଯେପରି ମହିଳାଙ୍କ ନାହିଁ । କେଉଁଠାକୁ ଯିବେ? କେତେବେଳେ ଯିବେ? କେଉଁଠି ପଢିବେ? କଣ ପଢିବେ? କେଉଁ ଚାକିରି କରିବେ? କାହାକୁ ବିବାହ କରିବେ? କେତୋଟି ଛୁଆ ଜନ୍ମ କରିବେ? ଏସବୁ ନିଷ୍ପତି ନେବାର ଅଧିକାର ସାଧାରଣତଃ ମହିଳାଙ୍କ ପାଇଁ ନଥାଏ । ରାଜନୈତିକ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି । ବର୍ତମାନ ସଂସଦୀୟ ଏବଂ ବିଧାନସଭା କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ବହୁତ କମ୍ । ସଂସଦୀୟ କ୍ଷେତ୍ରରେ ୧୧.୮ ପ୍ରତିଶତ ଏବଂ ରାଜ୍ୟ ବିଧାନସଭାରେ ୭.୪୮ ପ୍ରତିଶତ । ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ତେବେ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ମହିଳା ସଂରକ୍ଷଣ ବିଲ୍ରେ ପ୍ରସ୍ତାବ ରହିଛି । ରାଜନୈତିକ ଦଳମାନେ ମଧ୍ୟ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦିଅନ୍ତି ନାହିଁ । ପ୍ରାୟ ସବୁ ସେକ୍ଟରରେ ମହିଳାଙ୍କ ଉପସ୍ଥିତି କମ୍ ନଚେତ୍ ନାମକୁ ମାତ୍ର । ମନ୍ତ୍ରିମଣ୍ଡଳରେ ହାତଗଣତି ମହିଳା ମନ୍ତ୍ରୀ, ବିଶ୍ୱବିଦ୍ୟାଳୟରେ କମ୍ ସଂଖ୍ୟାରେ କୁଳପତି ତଥା ଅଧ୍ୟକ୍ଷ, ମିଡିଆ ହାଉସରେ ବହୁତ କମ୍ ମହିଳା ଏଡିଟର, କର୍ପୋରେଟ୍ ହାଉସ ଏବଂ ବ୍ୟାଙ୍କରେ କମ୍ ସଂଖ୍ୟାରେ ମହିଳା ସିଇଓ, ଗୋଟିଏ ଗୋଟିଏ ଉଦାହରଣ ।

ଯେଉଁଠି ନିଷ୍ପତି ନେବାର ଅଧିକାର ମହିଳାଙ୍କୁ ଦିଆଯାଇଛି ,ନିଜ ଦକ୍ଷତା ଦେଖାଇଛନ୍ତି ମହିଳା । ପୁରୁଷଙ୍କ ଠାରୁ ବି ଭଲ କରିଛନ୍ତି । ତେଣୁ ଦେଶର ଉନ୍ନତି ପାଇଁ ମହିଳାଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ମିଳିବା ଜରୁରୀ । ମହିଳାଙ୍କୁ ଅଗ୍ରାଧିକାର ଦେବା କ୍ଷେତ୍ରରେ ଅକ୍ସଫାମ୍ ଇଣ୍ଡିଆ ଓ କନକ ନ୍ୟୁଜର ମିଳିତ ଭାବେ ନୂଆ କରି ଭାବିବା, ହିଂସାମୁକ୍ତ ସମ୍ପର୍କ ଗଢିବା ଭଳି ଏକ ଅଭିଯାନ ଆରମ୍ଭ କରିଛନ୍ତି । ଯାହା ମହିଳାଙ୍କୁ ସମାଜର ମୁଖସ୍ରୋତକୁ ଆଣିବାରେ ସହାୟକ ହେବ ।