ଅତୀତରେ ଯେମିତି, ଏବେବି ସେମିତି… ପୁରୁଣା ହେଲେ ବି ନୂଆନୂଆ ଲାଗୁଛି ୮୦ ଦଶକର ରାମାୟଣ । ଲକଡାଉନ ବେଳେ ପୁଣି ଲୋକଙ୍କ ପ୍ରିୟ ପାଲଟିଲା, ଟେଲିଭିଜନ ଜଗତରେ ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଲା

3,084

କନକ ବ୍ୟୁରୋ: ବାହାରେ କରୋନା, ଘରେ ମଣିଷ । ୨୧ ଦିନିଆ ଲକଡାଉନ ପାଇଁ ଘରେ ରହିଛି ସାରା ଭାରତ । କରୋନା ମୁକାବିଲା ପାଇଁ ଏବଂ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପୂରା ଦେଶକୁ ତାଲାବନ୍ଦ କରାଯାଇଛି । ବାହାରକୁ ନବାହାରି ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ସମାଜିକ ଦୂରତା ପାଇଁ ବି ପରାମର୍ଶ ଦେଉଛନ୍ତି । ତେବେ ଘରେ ରହି ଲୋକେ ଯେମିତି ବିରକ୍ତ ନହୁଅନ୍ତି, ସେଥିପାଇଁ ସରକାର ମନୋରଞ୍ଜନର ବ୍ୟବସ୍ଥା ମଧ୍ୟ କରିଛନ୍ତି । ତାଲାବନ୍ଦ ବେଳେ ୩୩ ବର୍ଷ ତଳର ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣକୁ ପୁନଃ ପ୍ରସାରଣ କରାଯାଇଛି । ଆଉ ଏତିକି ବେଳେ ରାମାୟଣକୁ ନେଇ ଆସିଛି ବଡ ଖବର ।

୮୦ ଦଶକରେ ଲୋକେ ରାମାୟଣକୁ ଯେତିକି ପସନ୍ଦ କରୁଥିଲେ ଆଧୁନିକ ଯୁଗରେ ଅଧିକ ପସନ୍ଦ କରୁଛନ୍ତି । ଘରେ ଘରେ ପରିଚିତ ରାମାନନ୍ଦ ସାଗରଙ୍କ ରାମାୟଣକୁ ଆଜି ବି ଲୋକେ ଗ୍ରହଣ କରୁଛନ୍ତି ଆଉ ପ୍ରସାରଣ ସମୟକୁ ଚାତକ ପରି ଚାହିଁ ବସୁଛନ୍ତି । କରୋନା ମୁକାବିଲା ପାଇଁ ଲୋକେ ସାମାଜିକ ଦୂରତା ଯେତିକି ବଜାୟ ରଖୁଛନ୍ତି ଟିଭିରେ ଦୂରଦର୍ଶନକୁ ମଧ୍ୟ ସେତିକି ଦେଖୁଛନ୍ତି । କାରଣ ଗତ ସପ୍ତାହେରେ ଦୂରଦର୍ଶନରେ ପ୍ରସାରିତ ରାମାୟଣ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି । ୫ ବର୍ଷ ଭିତରେ ଟିଭି ଜଗତରେ ଆଜି ଯାଏଁ କୌଣସି ସିରିଏଲକୁ ଏତେ ଲୋକ ଦେଖି ନାହାନ୍ତି । ତେଣୁ ରାମାୟଣ ପୂର୍ବଭଳି ଏବେବି ଲୋକଙ୍କ ପ୍ରିୟ ସିରିଏଲ ହୋଇଥିବା ବ୍ରୋଡକାଷ୍ଟିଂ ଅଡିଆନ୍ସ ରିସର୍ଚ୍ଚ କାଉନସିଲ ସୂଚନା ଦେଇଛି ।

ତେବେ ୨୮ ମାର୍ଚ୍ଚ ଠାରୁ ପ୍ରତିଦିନ ସକାଳ ୯ଟା ଏବଂ ରାତି ୯ଟାରେ ପ୍ରସାରିତ ହେଉଛି ରାମାୟଣ । ପ୍ରସାରଣର ଦୁଇ ଦିନରେ ଅର୍ଥାତ ଶନିବାର ଏବଂ ରବିବାରରେ ପ୍ରସାରିତ ହୋଇଥିବା ୪ଟି ଅଧ୍ୟାୟକୁ ୧୭ କୋଟି ଲୋକ ଦେଖିଛନ୍ତି । ଶନିବାର ସକାଳେ ପ୍ରସାରିତ ହୋଇଥିବା ପ୍ରଥମ ଅଧ୍ୟାୟକୁ ୩୪ ଲକ୍ଷ ଲୋକ ଦେଖିଥିଲେ ଆଉ ଏହି ସୋ’ର ଟିଆରପି ୩.୪ ପଏଣ୍ଟ ଆସିଥିଲା । ମାତ୍ର ସେହି ଦିନ ରାତି ୯ଟାରେ ହିଁ ସକାଳ ଅପେକ୍ଷା ଅଧିକ ଲୋକ ଦେଖିଥିଲେ । ରାତିରେ ୪୫ ଲକ୍ଷ ଲୋକ ଦେଖିଥିବା ବେଳେ ଟିଆରପି ୫.୨ ପଏଣ୍ଟ ଆସିଥିଲା । ତେବେ ବାର୍କର ସୂଚନା ଅନୁସାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାମାୟଣର ରେଟିଂ ପଏଣ୍ଟ ଗତ ୫ ବର୍ଷ ଭିତରେ ଅନ୍ୟ ମନୋରଞ୍ଜନ ହିନ୍ଦୀ ସୋ ଅପେକ୍ଷା ବହୁତ ଅଧିକ ରହିଛି ।
ସବୁଠାରୁ ବଡ କଥା ହେଉଛି ରାମାୟଣର ଏହି ରେକର୍ଡ ପଛରେ ରହିଛି ଯୁବପିଢିଙ୍କ ହାତ । ଆଧୁନିକ ଯୁଗର ପିଲା ବି ୮୦ ଦଶକର ପୌରାଣିକ କଥାଚିତ୍ର ଦେଖିବାକୁ ଆଗ୍ରହୀ ଅଛନ୍ତି । ୟୁଟ୍ୟୁବ୍, ସର୍ଟ ଫିଲ୍ମ ଆଉ ୱେବସିରିଜି ଜମାନାରେ ବି ଯୁବବର୍ଗ ରାମାୟଣ ଦେଖିବାକୁ ସବୁକାମ ଛାଡି ରଙ୍ଗୀନ ଟିଭି ଆଗରେ ହାଜର ହୋଇ ପିଲାଦିନର କଳାଧଳା ସ୍ମୃତିକୁ ଜାଗ୍ରତ କରୁଛନ୍ତି ।

ତେବେ ୨୭ ମାର୍ଚ୍ଚରେ ରାମାୟଣର ପୁନଃ ପ୍ରସାରଣ ପାଇଁ କେନ୍ଦ୍ର ସରକାର ଯେତେବେଳେ ନିଷ୍ପତ୍ତି ନେଇଥିଲେ ସେତେବେଳେ ଅନେକ ଲୋକଙ୍କ ପିଲାଦିନ ସ୍ମୃତି ମନେପଡିଥିଲା । ୩୩ ବର୍ଷ ତଳେ ଏକାଠି ବସି କେମିତି ଗାଁ ସାରା ଲୋକେ ରାମାୟଣ ଦେଖୁଥିଲେ ଆଉ ସିରିଏଲ ଆରମ୍ଭରୁ ରାମସୀତାଙ୍କୁ ଜୁହାର ହେଉଥିଲେ ସେ କଥାକୁ ଅନେକ ଲୋକ ବଖାଣିଥିଲେ । ଆଉ ପ୍ରସାରଣ ପରେ ରାମାୟଣର ଫଟୋ ସହ ନିଜ ପିଲାଦିନର ସ୍ମୃତିଭିଜା ଲେଖା ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।