ଶେଷ ମୁହୂର୍ତ୍ତରେ ସୃଷ୍ଟି ହେଲା ଜଟିଳ ସ୍ଥିତି ! ଅଧାରେ ରହିଲା ଜହ୍ନକୁ ଯାତ୍ରା ! ଜାଣନ୍ତୁ ପୃଥିବୀରୁ ଚନ୍ଦ୍ର ଯାଏଁ, ‘ଚନ୍ଦ୍ରଯାନ-୨’ର ପୂରା କାହାଣୀ ।

1,232

କନକ ବ୍ୟୁରୋ : ୧୧ ବର୍ଷର ଅପେକ୍ଷା । ଦୀର୍ଘ ୪୭ ଦିନ ଧରି ମହାକାଶରେ ଯାତ୍ରା । ହେଲେ ଏହା ପରେ ସାରା ଦେଶବାସୀ ଚନ୍ଦ୍ର ଯାନ ୨ ଠାରୁ ଯେଉଁ ଖବର ଆଶା କରିଥିଲେ ତାହା ମିଳିପାରିନାହିଁ । ହଠାତ୍ ସବୁ କିଛି ମହାକାଶରେ ଅଟକି ଯାଇଛି । ରାତି ୨ଟା ୧ ମିନିଟ ପରଠାରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରୁଥିବା ଲ୍ୟାଣ୍ଡର ବିକ୍ରମ ଠାରୁ କୌଣସି ତଥ୍ୟ ମିଳୁନାହିଁ । ଆଉ ଏସବୁ ଭିତରେ ଭାରତର ମିଶନ ଚନ୍ଦ୍ର ଯାନ ୨ ଅଧାରେ ରହିଯାଇଛି । ତେବେ ଆସନ୍ତୁ ଜାଣିବା ‘ଚନ୍ଦ୍ରଯାନ-୨’ର ପୁରା କାହାଣୀ ।

ଜୁଲାଇ ୨୨ ତାରିଖ । ଅପରାହ୍ନ ୨ଟା ୪୩ ମିନିଟ୍ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ଲଂଚ ହେଲା ଚନ୍ଦ୍ରଯାନ-୨ । ଚନ୍ଦ୍ରଯାନକୁ ଧରି ମହାକାଶ ଅଭିମୁଖେ ମାଡିଚାଲିଲା ଜିଏସଏଲଭି-ଏମକେ-୩ ରକେଟ । ଏହା ସହ ଆଗକୁ ଚାଲିଲା ଶହେ କୋଟି ଭାରତୀୟଙ୍କ ସ୍ୱପ୍ନ ।

ଜୁଲାଇ ୨୨ ତାରିଖ । ଅପରାହ୍ନ ୨ଟା ୫୯ ମିନିଟ୍ । ଭୂପୃଷ୍ଠ ଛାଡିବାର ମାତ୍ର ୧୬ ମିନିଟ୍ ପରେ ପୃଥିବୀ କକ୍ଷପଥରେ ପହଁଚିଗଲା ମହାକାଶ ଯାନ । ୧୭୦ କିଲୋମିଟର ନିକଟ ୪୫ ହଜାର ୪୭୫ କିଲୋମିଟର ଦୂର ବିଶାଳ କକ୍ଷପଥରେ ପୃଥିବୀ ଚାରିପଟେ ବୁଲିବା ଆରମ୍ଭ କରିଥିଲା ଚନ୍ଦ୍ରଯାନ-୨ ।

ଜୁଲାଇ ୨୪ ତାରିଖ । ଦ୍ୱିତୀୟ କକ୍ଷପଥକୁ ଉଠିଲା ଚନ୍ଦ୍ରଯାନ-୨ । ଯୋଜନା ଅନୁଯାୟୀ ପ୍ରଥମ ଅର୍ବିଟରେ ସଫଳତାର ସହ ବୁଲିବା ପରେ ପୃଥିବୀ ଚାରିପଟେ ଦ୍ୱିତୀୟ କକ୍ଷପଥରେ ଘୁରିବା ଆରମ୍ଭ କଲା ଭାରତର ଅନ୍ତରୀକ୍ଷ ଯାନ । ଜୁଲାଇ ୨୨ରୁ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ପୃଥିବୀ ଚାରିପଟେ ଅଣ୍ଡାକୃତିରେ ଘୁରି ବୁଲିଥିଲା ଚନ୍ଦ୍ରଯାନ-୨ । ୫ ଥର ପୃଥିବୀ ଚାରିପଟେ ବୁଲିବା ପରେ ଚନ୍ଦ୍ରର ମାଧ୍ୟାକର୍ଷଣ କ୍ଷେତ୍ରର ନିକଟବର୍ତି ହୋଇଥିଲା । ୧,୦୫,୨୯୨ କିଲୋମିଟର ଲମ୍ବ ତେରଛା କକ୍ଷପଥ ଦେଇ ଶେଷ ପ୍ରଦକ୍ଷଣ କରିବା ପରେ ଆରମ୍ଭ ହୋଇଥିଲା ଚନ୍ଦ୍ର ଅଭିମୁଖେ ଯାତ୍ରା । ଛାଡ଼ିଲା ପୃଥିବୀ କକ୍ଷପଥ । ଚନ୍ଦ୍ର ଆଡ଼କୁ ମୁହାଁଇଲା ଚନ୍ଦ୍ରଯାନ-୨ । ଇସ୍ରୋ ଯେମିତି ଯୋଜନା କରିଥିଲା, ମହାକାଶରେ ଠିକ୍ ସେହିପରି ଯାତ୍ରା କରିଥିଲା ସ୍ପେସକ୍ରାଫ୍ଟ ।

ଅଗଷ୍ଟ ୧୪ ତାରିଖ । ରାତି ୨ଟା ୨୧ ମିନିଟ୍ । ଲିକ୍ୟୁଡ୍ ଆପୋଜି ମୋଟର, ୧୨୦୩ ସେକେଣ୍ଡ ଅର୍ଥାତ୍ ୨୦ ମିନିଟ୍ ୦୩ ସେକେଣ୍ଡ ଜଳିବା ପରେ ଚନ୍ଦ୍ର କକ୍ଷପଥକୁ ଉଠିଥିଲା ଚନ୍ଦ୍ରଯାନ-୨ । ପୃଥିବୀ କକ୍ଷପଥକୁ ଛାଡ଼ି ଘଂଟାକୁ ୩୯ ହଜାର ୨୯୪ କିଲୋମିଟର ବେଗରେ ଗତି କରିଥିଲା ସ୍ପେସକ୍ରାଫ୍ଟ । ଶବ୍ଦ ଠାରୁ ପ୍ରାୟ ୩୦ ଗୁଣ ଅଧିକ ବେଗରେ ୩ ଲକ୍ଷ ୮୪ ହଜାର କିଲୋମିଟରର ମାରାଥନ ଯାତ୍ରା ଆରମ୍ଭ କରିଥିଲା ଚନ୍ଦ୍ରଯାନ-୨ ।

ଅଗଷ୍ଟ ୨୦ ତାରିଖ । ସକାଳ ୯ଟା ୩୦ ମିନିଟ୍ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ ହେବାର ଠିକ୍ ୩୦ ଦିନରେ ଚନ୍ଦ୍ର କକ୍ଷପଥରେ ପହଁଚିଥିଲା ଚନ୍ଦ୍ରଯାନ-୦୨ । ଚନ୍ଦ୍ର ଚାରିପଟେ ଅଣ୍ଡାକାର ଆକୃତିର କକ୍ଷପଥରେ ଘୁରିବା ଆରମ୍ଭ କରିଥିଲା । ଏହା ଏପରି ଏକ ମୁହୂର୍ତ ଥିଲା ଯାହାକୁ ବର୍ଣ୍ଣନା କରି ଇସ୍ରୋ ମୁଖ୍ୟ କେ ଶିଭନ୍ କହିଥିଲେ, ଚନ୍ଦ୍ରଯାନ-୨କୁ ଚନ୍ଦ୍ରର କକ୍ଷରେ ଅବସ୍ଥାପିତ କରିବା ବେଳେ ସତେ ଯେମିତି ବୈଜ୍ଞାନିକଙ୍କ ହୃଦସ୍ପନ୍ଦନ ବନ୍ଦ ହୋଇଯାଉଥିଲା ।

ସେପ୍ଟେମ୍ବର ୧ ତାରିଖ, ସଂଧ୍ୟା ୬ଟା ୨୧ । ଚନ୍ଦ୍ରର ପଂଚମ କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୨ । ଇସ୍ରୋ ଯେପରି ଆକଳନ କରିଥିଲା, ଠିକ୍ ସେହିଭଳି ଗତି କରିଥିଲା ଭାରତର ମହାକାଶଯାନ । ୧୩ ଦିନର ଯାତ୍ରା ପରେ ରବିବାର ସଂଧା ୬ଟା ୨୧ ମିନିଟରେ ଚନ୍ଦ୍ରର ପଂଚମ ତଥା ଶେଷ କକ୍ଷପଥକୁ ପ୍ରବେଶ କରିଥିଲା ଚନ୍ଦ୍ରଯାନ-୨ । ଅନ୍ତରୀକ୍ଷ ଯାନର ଲିକ୍ୟୁଡ୍ ଆପୋଜି ମୋଟର, ୫୨ ସେକେଣ୍ଡ ଜଳିବା ପରେ ସଫଳ ହୋଇଥିଲା ଏହି ଅଭିଯାନ । ଚନ୍ଦ୍ରପୃଷ୍ଠର ଆହୁରି ନିକଟତର ହୋଇଥିଲା ଚନ୍ଦ୍ରଯାନ । ଏହି ପର୍ଯ୍ୟନ୍ତ ଅର୍ବିଟର, ଲାଣ୍ଡର ଓ ରୋଭର ଏକାଠି ଯାତ୍ରା କରିଥିଲେ ।

ସେପ୍ଟେମ୍ବର ୨ ତାରିଖ । ସମୟ ଦିନ ୧ଟା ୧୫ ମିନିଟ୍ । ଅର୍ବିଟରରୁ ଅଲଗା ହେଲା ବିକ୍ରମ ଲାଣ୍ଡର । ସଫଳତାର ଗୋଟିଏ ପରେ ଗୋଟିଏ ସିଡ଼ି ଚଢିଚାଲିଥିଲା ଚନ୍ଦ୍ରଯାନ-୨ । ଇସ୍ରୋର ଯୋଜନା ମୁତାବକ ଅର୍ବିଟରରୁ ଅଲଗା ହୋଇଥିଲା ଲାଣ୍ଡର । ଅର୍ବିଟରର ପଛେ ପଛେ ଚାଲିଥିଲା ବିକ୍ରମ ଲାଣ୍ଡର । ଅର୍ବିଟରରୁ ଅଲଗା ହେବା ପରେ ଲାଣ୍ଡରର କକ୍ଷପଥକୁ ବଦଳାଇ ଦେଇଥିଲା ଇସ୍ରୋ ।

ସେପ୍ଟେମ୍ବର ୩ ତାରିଖ । ସକାଳ ୮ଟା ୫୦ ମିନିଟ୍ । କକ୍ଷ ପରିବର୍ତନ କଲା ଲାଣ୍ଡର ବିକ୍ରମ । କକ୍ଷପଥ ବଦଳାଇବାକୁ ଲାଣ୍ଡରର ଇଂଜିନକୁ ଇସ୍ରୋର କଂଟ୍ରୋଲ ରୁମରୁ ତିନି ସେକେଣ୍ଡ ଖୋଲିବା ପାଇଁ ସିଗନାଲ୍ ଦେଇଥିଲେ ଇସ୍ରୋର ବୈଜ୍ଞାନିକ । ବୈଜ୍ଞାନିକମାନେ ଯେପରି ଚାହୁଁଥିଲେ, ସେହି ଅନୁରୂପ କାମ କରିଥିଲା ଲାଣ୍ଡର । କକ୍ଷର ପରିବର୍ତନ ସହ ସଫଳତାର ଆଉ ଏକ ପାହାଚ ଅତିକ୍ରମ କରିଥିଲା ଇସ୍ରୋ । ଚନ୍ଦ୍ରର ୧୦୯ କିଲୋମିଟର ନିକଟ ଓ ୧୨୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ଘୁରିବୁଲିବା ଆରମ୍ଭ କରିଥିଲା ବିକ୍ରମ ଲାଣ୍ଡର । ଦ୍ୱିତୀୟ ଥର ପାଇଁ ଲାଣ୍ଡରର କକ୍ଷପଥ ବଦଳିଥିଲା ସେପ୍ଟେମ୍ବର ୪ ତାରିଖରେ । ପ୍ରାୟ ୩୫ କିଲୋମିଟର ନିକଟ ଓ ୧୧୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ପ୍ରାୟ ତିନି ଦିନ ଧରି ଚନ୍ଦ୍ର ଚାରିପଟେ ଘୁରି ବୁଲୁଥିଲା ବିକ୍ରମ ଲାଣ୍ଡର । ଏହି ସମୟରେ ଲାଣ୍ଡର ଓ ପ୍ରଜ୍ଞାନ ରୋଭରର ଯନ୍ତ୍ରାଂଶ ଯାଂଚ କରିଥିଲେ ଇସ୍ରୋର ବୈଜ୍ଞାନିକ । ଏହା ପରେ ଦକ୍ଷିଣ ମେରୁରେ ଅବତରଣ ପାଇଁ ଆରମ୍ଭ ହୋଇଥିଲା ପ୍ରସ୍ତୁତି ।

ଆଉ ଶେଷରେ ଆସିଯାଇଥିଲା ସେହି ପ୍ରତିକ୍ଷୀତ ମୁହୂର୍ତ୍ତ । ସବୁକିଛି ଯୋଜନା ମୁତାବକ୍ ଠିକ୍ ଠାକ୍ ଚାଲିଥିଲା । କିନ୍ତୁ ହଠାତ୍ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ରାତି ୨ଟା ୧ ମିନିଟ ପରଠାରୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରୁଥିବା ଲ୍ୟାଣ୍ଡର ବିକ୍ରମ ଠାରୁ ଆଉ କୌଣସି ତଥ୍ୟ ମିଳିପାରିଲା ନାହିଁ । ଆଉ ଏସବୁ ଭିତରେ ଭାରତର ମିଶନ ଚନ୍ଦ୍ର ଯାନ ୨ ଅଧାରେ ରହିଯାଇଛି । ସେପଟେ ଇସ୍ରୋର ମୁଖ୍ୟାଳୟରେ ଚନ୍ଦ୍ରଯାନ-୨ର ଲାଇଭ୍ ଯାତ୍ରା ଦେଖୁଥିବା ପ୍ରଧାନମନ୍ତ୍ରୀ ବୈଜ୍ଞାନିକଙ୍କ ମନୋବଳ ବଢାଇଛନ୍ତି । କହିଛନ୍ତି ସଫଳତା ବିଫଳତା ଲାଗି ରହିଥାଏ । ସାହସର ସହ ଆଗକୁ ବଢନ୍ତୁ ବୈଜ୍ଞାନିକ ।

ଅବତରଣର ସ୍ଥାନ ତ ଆଗୁଆ ସ୍ଥିର ହୋଇସାରିଥିଲା । ରାତି ୨ଟା ଯାଏଁ ସବୁକିଛି ଠିକ୍ ଠାକ୍ ଚାଲିଥିବା ବେଳେ ହଠାତ୍ ଶେଷ ସମୟରେ ଗତିପଥରେ କାହିଁକି ଅଟକିଗଲା ଲ୍ୟାଣ୍ଡର ବିକ୍ରମ । ଏହି ପ୍ରଶ୍ନ ଏବେ ସାରା ଦେଶବାସୀଙ୍କ ମନରେ ସୃଷ୍ଟି ହୋଇଛି । ଶୁକ୍ରବାର ରାତି ୨ଟା ୧ମିନିଟ୍ ପର ଠାରୁ ଲ୍ୟାଣ୍ଡର ବିକ୍ରମ ଠାରୁ ମିଳିନି କୌଣସି ତଥ୍ୟ । ଅର୍ଥାତ୍ ଏହା ସହିତ କିଛି ଅଘଟଣ ଘଟିଛି କି । ଅର୍ବିଟର ସହିତ ଏହାର ସଂପର୍କ ଛିନ୍ନ ହୋଇଯାଇଛି କି । ଚନ୍ଦ୍ର ପୃଷ୍ଠର ନିକଟବର୍ତି ହେବା ପରେ ଅବତରଣ କରିବା ବେଳେ ଏହା ସହିତ କିଛି ଅଘଟଣ ଘଟିଲା କି । ଏବେ ଏହି ପ୍ରଶ୍ନ ହିଁ ଉଙ୍କି ମାରୁଛି । ତେବେ ଏନେଇ ଏବେ ଇସ୍ରୋ ବି କିଛି ସ୍ପଷ୍ଟ କରିପାରିନି । କେବଳ ଇସ୍ରୋ ଏତିକି ସ୍ପଷ୍ଟ କରିଛି ଶନିବାର ଇସ୍ରୋ କରିବାକୁ ଥିବା ପ୍ରେସମିଟକୁ ରଦ୍ଦ କରାଯାଇଛି । ଏଭଳି ସ୍ଥିତିରେ ମହାକାଶ ବିଜ୍ଞାନୀଙ୍କ ଭରସା ଅଟକିଛି ଅର୍ବିଟର ଉପରେ । ଯାହା ଏବେ ଚନ୍ଦ୍ର ଚାରିପାଖରେ ପରିକ୍ରମଣ କରୁଛି । ଏହା ପୁଣି ଲ୍ୟାଣ୍ଡର ବିକ୍ରମ ଉପର ଭାଗ ଦେଇ ଗତି କଲା ବେଳେ ଯେଉଁ ଫଟୋ ଉତ୍ତୋଳନ କରିବ, ସେଥିରୁ କିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।