ଜମ୍ମୁ-କାଶ୍ମୀର ବାନ୍ଦିପାରା ଜିଲ୍ଲାରେ ସିଆରପିଏଫ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ! ପ୍ରତି ଜବାବରେ ୪ ଆତଙ୍କବାଦୀ ମୃତ

27

କନକ ବ୍ୟୁରୋ: ଜମ୍ମୁୃ-କଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ବଡ ଧରଣର ଆତଙ୍କବାଦୀ ହମଲା । ବାନ୍ଦିପୋରାର ସମ୍ଭଲରେ ଥିବା ସିଆରପିଏଫ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଉତର କଶ୍ମୀରରେ ସିଆରପିଏଫର ୪୫ ବାଟାଲିୟନର ମୁଖ୍ୟାଳୟକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ଆତଙ୍କବାଦୀଙ୍କ ଆକ୍ରମଣର କଡା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ସୁରକ୍ଷାକର୍ମୀଙ୍କ ପ୍ରତି ଜବାବରେ ୪ ଜଣଙ୍କ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏମାନଙ୍କ ନିକଟରୁ ଗ୍ରେନେଡ, ଏକେ ଫର୍ଟି ସେଭେନ ଓ ଗୁଳି ଆଦି ବହୁ ବିସ୍ଫୋରକ ଜବତ ହୋଇଛି  । ସଂପୃକ୍ତ ଅଂଚଳକୁ ଘେରାବନ୍ଦୀ କରାଯାଇ ସର୍ଚ ଅପରେସନ ଜାରି ରହିଛି ।

ଆକ୍ରମଣ ଆଜି ଭୋରରୁ ପ୍ରାୟ ୩ଟାରେ ହୋଇଥିଲା ।  ଆତଙ୍କବାଦୀମାନେ ସିଆରପିଏଫ କ୍ୟାମ୍ପ ଭିତରେ ପଶିବାକୁ ଉଦ୍ୟମ କରିଥିଲେ । ଆତଙ୍କବାଦୀଙ୍କ ଆକ୍ରମଣକୁ ଦେଖି ସିଆରପିଏଫ ପକ୍ଷରୁ ପ୍ରତି ଆକ୍ରମଣ କରାଯାଇଥିଲା । ଉଭୟ ପକ୍ଷରୁ ପ୍ରାୟ ଏକଘଂଟା ଧରି ଗୁଳିବିନିମୟ ଚାଲିଥିଲା । ଆତଙ୍କବାଦୀମାନେ ବିସ୍ଫୋରକ ଓ ଗୋଳାବାରୁଦ ଧରି କ୍ୟାମ୍ପ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ସେମାନଙ୍କ ଉଦ୍ଦେଶ୍ୟ ଥିଲା, କ୍ୟାମ୍ପ ଭିତରେ ବଡ ଧରଣର ଆତ୍ମଘାତୀ ଆକ୍ରମଣ କରିବା । କିନ୍ତୁ ଆତଙ୍କବାଦୀଙ୍କ ଏହି ଉଦ୍ୟମ ଫେଲ ମାରିଛି । ସିଆରପିଏଫ ଓ ଜମ୍ମୁ-କଶ୍ମୀର ପୋଲିସର ପ୍ରତି ଜବାବରେ ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।