ଅଯୋଧ୍ୟା ଉପରେ ହୋଇପାରେ ଆତଙ୍କୀ ହମଲା ! ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ ୫ଶହ ବିଶୃଙ୍ଖଳାକାରୀଙ୍କୁ ବାନ୍ଧିଲା ପୋଲିସ୍, ସମ୍ବେଦନଶୀଳ ସ୍ଥାନରେ ପୋଲିସର କଡ଼ା ପ୍ରହରା

1,225

କନକ ବ୍ୟୁରୋ : ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବାବ୍ରୀ ମସଜିଦ୍ ଜମି ବିବାଦର ରାୟ ଆସନ୍ତା ସପ୍ତାହରେ ଆସିବାକୁ ଥିବାବେଳେ ଅଯୋଧ୍ୟା ଉପରେ ହୋଇପାରେ ଆତଙ୍କୀ ହମଲା । ଏନେଇ ଗୁଇନ୍ଦା ବିଭାଗ ସତର୍କ କରାଇଥିବାବେଳେ ଉତ୍ତରପ୍ରଦେଶରେ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏପରିକି ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରେ ୩୦ ଜଣ ବମ୍ ସ୍କ୍ୱାର୍ଡଙ୍କୁ ନିୟୋଜିତ କରାଯାଇଛି ।
ଅନ୍ୟପଟେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ ଆସନ୍ତା ୧୭ ତାରିଖରେ ଅବସର ନେବାକୁଥିବାବେଳେ ଆସନ୍ତା ୭ ଦିନ ମଧ୍ୟରେ ବାବ୍ରୀ ମସଜିଦ୍ ଜମି ବିବାଦ ମାମଲାର ଶୁଣାଣି ହୋଇପାରେ । ଆଉ ଏଭଳି ପରିସ୍ଥିତିରେ ଆତଙ୍କବାଦୀମାନେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ଦଙ୍ଗାକାଣ୍ଡ ଘଟାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେଣୁ ଆସନ୍ତା ୧୨ତାରିଖ ସୁଦ୍ଧା ଧର୍ମଶାଳାକୁ ସମ୍ପୂର୍ଣ୍ଣ ଖାଲି କରିବାକୁ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ସେପଟେ ଦଙ୍ଗାକୁ ଦୃଷ୍ଟିରେ ରଖି ଅଯୋଧ୍ୟା ରାୟ ପୂର୍ବରୁ ଉତ୍ତର ପ୍ରଦେଶରେ ଅପ୍ରୀତିକର ପରିସ୍ଥିତି ଭିଆଉଥିବା ୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବାବେଳେ ୧,୬୫୯ ଜଣଙ୍କ ସୋସିଆଲ ଆକାଉଣ୍ଟ ଉପରେ ନଜର ରଖାଯାଇଛି । ଯେମିତି କୌଣସି ଅଘଟଣ ନଘଟେ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି ଉତ୍ତର ପ୍ରଦେଶ ଡିଜିପି ଓପି ସିଂ କହିଛନ୍ତି । ସୁପ୍ରିମକୋର୍ଟର ରାୟ ପୂର୍ବରୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯବାନମାନଙ୍କ ରହଣି ପାଇଁ ସରକାରୀ ଓ ଘରୋଇ ସମସ୍ତ ସ୍କୁଲକୁ ନିଯାଇଥିଲା ବେଳେ, ହୋଟେଲ ଲଜ୍ , ଓ ଗେଷ୍ଟହାଉସ ଗୁଡିକୁ ବୁକ୍ କରାଯାଇଛି ।

ରାଜ୍ୟର ପ୍ରତ୍ୟେକ ସମ୍ବେଦନଶୀଳ ଅଂଚଳରେ ପର୍ଯ୍ୟାପ୍ତ ପୁଲିସ ମୁତୟନ କରିବାକୁ କେନ୍ଦ୍ର ପକ୍ଷରୁ ସତର୍କସୂଚନା ଜାରି କରାଯାଇଛି । ସେହିପରି ଦଙ୍ଗାକୁ ଦୃଷ୍ଟିରେ ରଖି ଅଯୋଧ୍ୟାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ତେବେ ନଭେମ୍ବର ୨୦ ପୂର୍ବରୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟରେ ଏକାଧିକ ବିବାହ ଥିଲା ବେଳେ, ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି ।