ବେଲଗାମ ତୁଣ୍ଡ ପାଇଁ ବିବାଦରେ ବିଜେପି ନେତା । କହିଲେ, ଆତଙ୍କବାଦୀ ହେଉଛନ୍ତି ତ୍ୟାଗ ଓ ବଳିଦାନର ପ୍ରତୀକ

176
ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କମର କଷୁଛନ୍ତି ବିଭିନ୍ନ ରାଜନୈତିକ ଦଳ । ଏପରିକି ପରସ୍ପରକୁ ଟାର୍ଗେଟ କରିବାକୁ ମଧ୍ୟ ଭୁଲୁନାହାନ୍ତି । ଆଉ ଏଭଳି ତତଲା ମାହୋଲର ଆଉ ଟିକିଏ ତାତି ବଢାଇ ଦେଇଛନ୍ତି ମଧ୍ୟପ୍ରଦେଶ ବିଜେପି ଅଧ୍ୟକ୍ଷ ରାକେଶ ସିଂ । ନିଜ ବେଲଗାମ ତୁଣ୍ଡ ପାଇଁ ଏବେ ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ରାକେଶ । ଏକ ନିର୍ବାଚନ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରୁଥିବା ବେଳେ ରାକେଶ ଏମିତି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଆତଙ୍କବାଦୀ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ । ଏଭଳି କିଛି କହି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି ବିଜେପି ନେତା ରାକେଶ ସିଂ । ନିର୍ବାଚନ ସଭାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କୁ ରାକେଶ ଟାର୍ଗେଟ କରିଥିବା ବେଳେ ତାଙ୍କ ତୁଣ୍ଡ ସାଥ୍ ଦେଇନଥିଲା ।  ଜୋଶରେ କହୁ କହୁ ରାକେଶ କହିଥିଲେ, ଗେରୁଆ ବସ୍ତ୍ର ଧାରଣ କରିଥିବା ବ୍ୟକ୍ତି କେବେ ଆତଙ୍କବାଦୀ ହୋଇନଥାନ୍ତି । ଆତଙ୍କବାଦୀ ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ ହୋଇଥାଏ । ରାକେଶ ସିଂଙ୍କ ଏଭଳି ବୟାନ ସେତେବେଳେ ଆସିଛି ଯେତେବେଳେ ସ୍ୱାଧୀ ପ୍ରଜ୍ଞାଙ୍କୁ ଭୋପାଳ ଲୋକସଭା ଆସନରୁ ଟିକେଟ ଦେଇଛି ଦଳ । ଯାହାକୁ ନେଇ କଂଗ୍ରେସ ବିଜେପିକୁ କାଠଗଡାକୁ ଟାଣିଛି ।

ସେହିଭଳି ହେଲିକପ୍ଟର ଓହ୍ଲାଇବାକୁ ଅନୁମତି ନ ମିଳିବାରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ କଂଗ୍ରେସକୁ ଚେତାବନୀ ଦେଇଛନ୍ତି । ନିର୍ବାଚନ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ଶିବରାଜ କହିଛନ୍ତି, ପଶ୍ଚିମବଙ୍ଗରେ ମମତା ଦିଦି ହେଲିକପ୍ଟର ଓହ୍ଲାଇବାକୁ ଦେଉନାହାନ୍ତି । ମମତା ଦିଦିଙ୍କ ପରେ ମଧ୍ୟପ୍ରଦେଶରେ କମଳନାଥ ଦାଦା  ମଧ୍ୟ ସମାନ ରାସ୍ତା ଆପଣାଇଛନ୍ତି ।  କିନ୍ତୁ ଆମର ସମୟ ମଧ୍ୟ ଖୁବଶୀଘ୍ର ଆସିବ ସେତେବେଳେ କଣ ହେବ ବୋଲି ପରୋକ୍ଷରେ ଧମକାଇଛନ୍ତି ଶିବରାଜ । ନିର୍ବାଚନ ପୂର୍ବରୁ ବିଜେପି ଓ କଂଗ୍ରେସ ମଧ୍ୟରେ ଏହି ବୟାନବାଜି ଲଢେଇକୁ ନେଇ ଏବେ ଜୋରଦାର ଚର୍ଚ୍ଚା ହେଉଛି ।