କୋଷ୍ଟଗାର୍ଡ ଗୁଳିରେ ମତ୍ସ୍ୟଜୀବୀ ମୃତ୍ୟୁ ଘଟଣା : ପାରାଦ୍ୱୀପରେ କୋଷ୍ଟଗାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଗୁଳି କରିଥିବା ଯବାନଙ୍କୁ ଗିରଫ ଓ କ୍ଷତିପୂରଣ ଦାବି

95

କନକ ବ୍ୟୁରୋ: କୋଷ୍ଟଗାର୍ଡ ଗୁଳିରେ ମତ୍ସ୍ୟଜୀବୀ ମୃତ୍ୟୁ ଘଟଣା ନେଇ ପାରାଦ୍ୱୀପରେ କୋଷ୍ଟଗାର୍ଡ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ । ଗୁଳି କରିଥିବା ତଟରକ୍ଷୀ ବାହିନୀର ଯବାନମାନଙ୍କୁ ଗିରଫ କରିବା ଓ ମୃତ ମତ୍ସ୍ୟଜୀବୀ ପରିବାରଙ୍କୁ କ୍ଷତିପୂରଣ ଦାବି କରିି କାର୍ଯ୍ୟାଳୟ ଘେରାଉ କରିଥିଲେ ପାରାଦ୍ୱୀପ ଓ ବାଲେଶ୍ୱର ଟ୍ରଲର ମାଲିକ ସଂଘର ଶତାଧିକ ମତ୍ସ୍ୟଜୀବୀ । ଏନେଇ ପାରାଦ୍ୱୀପ ଅତିରିକ୍ତ ଏସ୍.ପି ଙ୍କୁ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ତାପରେ ଭାରତୀୟ ତଟରକ୍ଷୀ ବାହିନୀ ଡିଆଇଜିଙ୍କ ସହ ମତ୍ସ୍ୟଜୀବୀ ସଂଘ ଆଲୋଚନା କରିଥିଲେ ।

ମୃତ ମତ୍ସ୍ୟଜୀବୀ ମାୟାଧରଙ୍କ ପୁଅକୁ ୧୮ବର୍ଷ ବୟସ ହେବା ପରେ ତଟରକ୍ଷୀ ବାହିନୀରେ ନିଯୁକ୍ତି, ପରିବାରକୁ କ୍ଷତିପୂରଣ ଓ ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ମତ୍ସ୍ୟଜୀବୀମାନେ ଆନ୍ଦୋଳନରୁ ଓହରିଥିବା ସଂଘ ପକ୍ଷରୁ କୁହାଯାଇଛି । ଗତ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଳା ଗହିରମଥା ଡଙ୍ଗାମୁହଁଠାରେ ସମୁଦ୍ର ଭିତରେ ମାଛ ଧରୁଥିବାବେଳେ ବିଳମ୍ବିତ ରାତିରେ ଭାରତୀୟ ତଟରକ୍ଷୀ ବାହିନୀ ଯବାନଙ୍କ ଗୁଳିରେ ମାୟାଧର ମଲ୍ଲିକ ନାମକ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।