ତେଲେଙ୍ଗାନାରେ ଆଗୁଆ ନିର୍ବାଚନକୁ ଝଟକା ! ଜାତକ ଗଣନା ଅନୁସାରେ ହେବନାହିଁ ନିର୍ବାଚନ, ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ କମିଶନର ।

24

କନକ ବ୍ୟୁରୋ : ଜାତକ ଗଣନା ଅନୁସାରେ କରାଯିବ ନାହିଁ ନିର୍ବାଚନ । ତେଲେଙ୍ଗାନା ବିଧାନସଭା ନିର୍ବାଚନ ସହ ଅନ୍ୟ ୪ଟି ରାଜ୍ୟର ଏକାସାଙ୍ଗରେ ନିର୍ବାଚନକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଏକାସାଙ୍ଗରେ ନିର୍ବାଚନ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ନିର୍ବାଚନ କମିଶନର । ତେଲେଙ୍ଗାନା ନିର୍ବାଚନ ସମୟ ଜ୍ୟୋତିଷ ଗଣନା ଆଧାରରେ କରାଯିବ ନାହିଁ ବୋଲି ନିର୍ବାଚନ କମିଶନର ଓପି ରାୱତ କହିଛନ୍ତି ।

୪ଟି ରାଜ୍ୟ ସହ ତେଲେଙ୍ଗାନା ନିର୍ବାଚନ ଏକାସାଙ୍ଗରେ କରିବା ସମ୍ଭବ କି ନୁହେଁ ସେ ନେଇ କୌଣସି ନିଷ୍ପତି ନିଆଯାଇନାହିଁ । ଏବଂ ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ପରେ ହିଁ ନିଷ୍ପତି ନିଆଯିବ ବୋଲି ଓପି ରାୱତ ସ୍ପଷ୍ଟ କରିଛନ୍ତି । ନିର୍ବାଚନର ତାରିଖ କିଛି ଜ୍ୟୋତିଷ ଗଣନା ଆଧାରରେ ସମ୍ଭବ ନୁହେଁ । ଗୁରୁବାର ଦିନ ଟିଆରଏସ୍ ସରକାର ରାଜ୍ୟ ବିଧାନସଭାକୁ ନିର୍ଦ୍ଧାରିତ ସମୟର କିଛି ମାସ ଆଗରୁ ଭଙ୍ଗ କରିଛି । ତେଲେଙ୍ଗାନା ସରକାରଙ୍କ ବିଧାନସଭା ଭଙ୍ଗ ପ୍ରସ୍ତାବକୁ ମଂଜୁରୀ ଦେଇଥିଲେ ରାଜ୍ୟପାଳ । ଆଗୁଆ ନିର୍ବାଚନ କରିବା ରଣନୀତିର ଅଂଶବିଶେଷ ଭାବରେ ସମୟ ପୂର୍ବରୁ ବିଧାନସଭାକୁ ଭଙ୍ଗ କରିଛି ଟିଆରଏସ୍ । ସେପଟେ ଟିଆରଏସ୍ ଦଳର ମୁଖ୍ୟ ଚନ୍ଦ୍ରଶେଖର ରାଓଙ୍କ ଉପରେ ଏବେ ବି ଆସ୍ଥା ବଜାୟ ରଖିଛି ଦଳ ।