ଉନ୍ନାଓ ଓ ହାଇଦ୍ରାବାଦ ପରେ ପୁଣି ଯୌନ ରାକ୍ଷସର ଶିକାର ହେଲେ ଯୁବତୀ । ଦୁଷ୍କର୍ମ ପରେ କିରୋସିନ ଢାଳି ଜିଅନ୍ତା ଜାଳିଦେବାକୁ ସର୍ମ୍ପକୀୟ ଯୁବକଙ୍କ ଉଦ୍ୟମ, ମୃତ୍ୟୁ ସଂଗ୍ରାମ କରୁଛନ୍ତି ପୀଡିତା ।

678

ଉନ୍ନାଓ ଓ ହାଇଦ୍ରାବାଦ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଜିଅନ୍ତା ଜାଳି ହତ୍ୟା କରିବାର ଦିନ କେଇଟା ନ ବିତୁଣୁ ପୁଣିଥରେ ସେହିଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଶନିବାର ଉତ୍ତରପ୍ରଦେଶର ଫତେହପୁରରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଗୁରୁତର ଅବସ୍ଥାରେ ପୀଡିତାଙ୍କୁ କାନପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ଯୁବତୀ ଜଣକ ଘରେ ଏକା ଥିବାର ସୁଯୋଗ ନେଇ ଘରକୁ ଆସିଥିଲେ ସର୍ମ୍ପକୀୟ ଯୁବକ । ଯୁବତୀ ଜଣଙ୍କୁ ଦୁଷ୍କର୍ମ କରିବା ପରେ ଯେପରି ଘଟଣା ପ୍ରଘଟ ନ ହୁଏ ସେଥିପାଇଁ ଯୁବତୀଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ । ଆଉ ଯୁବତୀ ଜଣଙ୍କ ନିଆଁରେ ପୋଡି ହୋଇ ଚିତ୍କାର କରୁଥିବା ବେଳେ ସର୍ମ୍ପକୀୟ ଯୁବକ ଜଣକ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଝିଅ ନିଆଁରେ ଜଳୁଥିବାର ଦେଖି ପଡୋଶୀ ଦୌଡି ଆସିବା ନିଆଁ ଲିଭାଇଥିଲେ ।

ନିଆଁ ଲିଭାଇବା ସଙ୍ଗେ ସଙ୍ଗେ ପୀଡିତା ଯୁବତୀଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ସେଠାରେ ପୀଡିତାଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ କାନପୁର ସ୍ଥାନାନ୍ତର କରାଯାଇଥିଲା । ଯୁବତୀ ଜଣକ ଶରୀର ୯୦ ପ୍ରତିଶତ ଜଳି ଯାଇଥିବା ବେଳେ ପୋଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି ।

ଏହି ଘଟଣାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି । ଗ୍ରାମବାସୀଙ୍କ ସୂଚନା ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ୫ଟି ଟିମ୍ ଗଠନ କରିଛି । ଏପରିକି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି ।