ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ତଥାଗତ ସତପଥୀ ! ଭଦ୍ରକରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ନେଇ କଲେ ଆଲୋଚନା

26

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସାଂସଦ ତଥାଗତ ସତପଥୀ । ଦିଲ୍ଲୀସ୍ଥିତ ବାସଭବନରେ ନବୀନଙ୍କୁ ଭେଟିଛନ୍ତି ତଥାଗତ । ଗତ କିଛିଦିନ ତଳେ ତଥାଗତଙ୍କ ଟ୍ୱିଟକୁ ନେଇ ବିଜେଡି ରାଜନୀତିର ଝଡ ସୃଷ୍ଟି ହୋଇଥିଲା । ଏଥିରେ ସେ ଭାରତୀୟ ଜନତା ପାର୍ଟି ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ଉଲ୍ଲେ୍ଖ କରିଥିଲେ । ବିଜେଡିର ଜଣେ ସାଂସଦ ସହଯୋଗ କରୁଥିବା ସେ କହିଥିଲେ । ଏହା ପରେ ପରେ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ପ୍ରତିକ୍ରିୟା ରଖି ଥିଲେ ଏବଂ ପରୋକ୍ଷରେ ତଥାଗତଙ୍କୁ ଟାର୍ଗେଟ କରି ଟ୍ୱିଟ୍ କରିଥିଲେ ।

ଏହା ପରେ ଏକ ଦୈନିକ ଖବରକାଗଜରେ ବିଜେଡିର ଆତ୍ମସମୀକ୍ଷା ପାଇଁ ପରାମର୍ଶ ଦେଇ ବୈଜୟନ୍ତ ଏକ ପ୍ରବନ୍ଧ ଲେଖିଥିଲେ । ଏହାକୁ ନେଇ ବେଶ୍ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ଏହି ସମୟରେ ଦିଲ୍ଲୀରେ ନବୀନ ଓ ତଥାଗତଙ୍କ ଭେଟକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ କୌଣସି ରାଜନୈତିକ ବିଷୟରେ ଆଲୋଚନା ହୋଇନାହିଁ । କେବଳ ଭଦ୍ରକରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିବେଶ ନେଇ ଆଲୋଚନା ହୋଇଥିଲା ବୋଲି କହିଛନ୍ତିି ସାଂସଦ ତଥାଗତ ସତପଥୀ । କିନ୍ତୁ ଟ୍ୱିଟ୍ ବିବାଦ ନେଇ ନବୀନଙ୍କ ସହ ଆଲୋଚନା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନକୁ ଆଡେଇଯାଇଥିଲେ ତଥାଗତ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-