ଗୁପ୍ତ ମତଦାନ ଦାବି ନେଇ ତାମଲିନାଡୁ ବିଧାନସଭାରେ ହଙ୍ଗାମା ! ଚେୟାର ଓ ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ଡିଏମକେ ବିଧାୟକ

17

କନକ ବ୍ୟୁରୋ: ତାମିଲନାଡୁ ବିଧାନସଭାରେ ତାମସା । ବାଚସ୍ପଚିଙ୍କ ମାଇକ ଓ ଚେୟାର ଭାଙ୍ଗିଛନ୍ତି ବିରୋଧୀ ବିଧାୟକ । ଡିଏମକେ ସଦସ୍ୟଙ୍କ ହଙ୍ଗାମା ଫଳରେ ପଲାନିସ୍ୱାମୀଙ୍କ ଆସ୍ଥା ଭୋଟରେ ବିଭ୍ରାଟ ଦେଖାଦେଇଛି । ବାଚସ୍ପତିଙ୍କ ଭୋଟ ବିଭାଜନ ନିଷ୍ପତିକୁ ବିରୋଧ କରି ଗୃହରେ ପ୍ରବଳ ପାଟିତୁଣ୍ଡ କରିଛନ୍ତି ଡିଏମକେ ସଦସ୍ୟ । ଭୋଟ ବିଭାଜନ ପରିବର୍ତେ ଗୁପ୍ତ ମତଦାନ ଦାବି କରୁଛନ୍ତି ବିରୋଧୀ ।

ଏଆଇଏଡିଏମକେ ସାଧାରଣ ସଂପାଦିକା ଶଶିକଳା ଜେଲ ଯିବା ପୂର୍ବରୁ ପଲାନିସ୍ୱାମୀଙ୍କୁ ବିଧାୟକ ଦଳ ନେତା ପଦରେ ବସାଇଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିବା ଲାଗି ତାଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ଜୟଲଳିତାଙ୍କ ଦେହାନ୍ତ ପରେ ତାମିଲନାଡୁ ବିଧାନସଭାରେ ମୋଟ ସଦସ୍ୟ ସଂଖ୍ୟା ୨୩୩ । ତେଣୁ ଆସ୍ଥା ଭୋଟରେ ୧୧୭ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଛନ୍ତି ପଲାନିସ୍ୱାମୀ । ତାଙ୍କ ସପକ୍ଷରେ ୧୨୪ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରୁଛନ୍ତି ପଲାନିସ୍ୱାମୀ ।

ହେଲେ ମିଳିଥିବା ସୂଚନା ଅନୁସାରେ ୧୧ ଏଆଇଡିଏମକେ ବିଧାୟକଙ୍କ ସମର୍ଥନ ପନିରସେଲଭମଙ୍କ ପ୍ରତି ରହିଛି । ଏମାନେ ଯଦି ପଲାନିସ୍ୱାମୀଙ୍କ ବିରୋଧରେ ଭୋଟ ଦିଅନ୍ତି ତେବେ ତାଙ୍କ ପାଇଁ ଗୃହରେ ବହୁମତ ସାବ୍ୟସ୍ତ କରିବା ଅସମ୍ଭବ ହୋଇପଡିବ । ଶଶିକଳା ଓ ପନିରସେଲଭମଙ୍କ କ୍ୟାମ୍ବ ମଧ୍ୟରେ ଲାଗିରହିଥିବା ଏହି ଛକାପଂଝା, ତାମିଲନାଡୁ ରାଜନୀତିକୁ ରୋଚକ କରିଛି ।