ଟମାଟୋର ଲୁଚକାଳି ଖେଳ ! କେବେ ୧୦୦ ତ ପୁଣି କେବେ ୨ । ମୁଣ୍ଡରେ ହାତ ଦେଲେଣି ଚାଷୀ, ବିଲରେ ସଢୁଛି ବିଲାତି

33

କନକ ବ୍ୟୁରୋ : ଟମାଟୋ କିଲୋପିଛା ଦର କେବେ ୧୦୦ ତ ପୁଣିକେବେ ୨ ଟଙ୍କା । ୮ ମାସରେ ଟମାଟୋକୁ ନେଇ ଯେଉଁ ଉଦବେଗ ଜନକ ଚିତ୍ର ସାମ୍ନାକୁ ଆସିଛି ତାହା ଚାଷୀକୂଳର ଦୁରବସ୍ଥାକୁ ଦର୍ଶାଉଛି । ସମ୍ବଲପୁରରେ ଏବେ ୧ କିଲୋ ଟମାଟୋ ବିକ୍ରି ହେଉଛି ମାତ୍ର ୨ ଟଙ୍କାରେ । ପରିସ୍ଥିତି ଏମିତି ହୋଇଛି ଯେ, ଚାଷୀଙ୍କଠାରୁ ଟମାଟୋ କିଣିବାକୁ ଆଗ୍ରହ ଦେଖାଉ ନାହାନ୍ତି ବ୍ୟବସାୟୀ । ଧାର ଉଧାର କରି ଟମାଟୋ ଚାଷ କରିଥିବା ଚାଷୀ ମୂଳଧନ କେମିତି ଫେରି ପାଇବେ ସେହି ଚିନ୍ତାରେ । ପରିଣାମ ସ୍ୱରୁପ କିଆରି କିଆରି ବିଲରେ ବିଲାତି ସଢିବାକୁ ବସିଛି ।

ଗତବର୍ଷ ଜୁନ୍ ମାସର କଥା ଯେତେବେଳେ ମନୋଜ ଆଉ ରାଧିକା ସେମାନଙ୍କ ପଂଚମ ବିବାହ ବାର୍ଷିକୀ ପାଳନ କଲାବେଳେ ଜଣେ ବନ୍ଧୁ ଦେଇଥିଲେ କିଲେ ଟମାଟୋର ଉପହାର । କାରଣ ସେତେବେଳେ ଟମାଟୋର କିଲୋପିଛା ବଜାର ଦର ଥିଲା ୧୦୦ ଟଙ୍କା । ବନ୍ଧୁ ଜଣକ ହୁଏତ ମଜା ମଜାରେ ଏହି ଉପହାର ଦେଇଥିଲେ, କିନ୍ତୁ ବନ୍ଧୁଙ୍କ ଏଭଳି ଉପହାରରେ ବେଶ ଖୁସି ହୋଇଥିଲେ ମନୋଜ ଆଉ ରାଧିକା ।

ମନୋଜ ଓ ରାଧିକାଙ୍କ ସେହି ବନ୍ଧୁ ଯଦି ଏବେ ୧୦୦ ଟଙ୍କାର ଟମାଟୋ ଉପହାର ଦେବା କଥା ଚିନ୍ତା କରନ୍ତି ତାହେଲେ ତାଙ୍କୁ ହୁଏତ ଗୋଟିଏ ଟ୍ରଲି ଭଡା କରିବାକୁ ପଡିବ । କାରଣ ସମ୍ବଲପୁରରେ ଏବେ ଚାଷୀ ଗୋଟିଏ କ୍ୟାରେଟ ଅର୍ଥାତ ୨୫ କିଲୋ ଟମାଟୋ ୫୦ ଟଙ୍କାରେ ବ୍ୟବସାୟୀଙ୍କୁ ବିକ୍ରି କରୁଛି । ଖାଲି ଦର କମିନାହିଁ ଚାହିଦା ବି କମିଯାଇଛି । ଯେତେବେଳେ ଟମାଟୋ ଦର ୧୦ ଟଙ୍କା ଥିଲା ସେତେବେଳେ ବେପାରୀ ଅଗ୍ରୀମ ଦେଇ ଚାଷୀଙ୍କଠାରୁ ଟମାଟୋ କିଣୁଥିଲେ । ଏବେ ବଜାର ଦର ଏତେ ଶସ୍ତା ଯେ ବେପାରୀ ବାକିରେ ଟମାଟୋ ଉଠାଉଛନ୍ତି ।

ଗୋଟିଏ କିଲୋ ଟମାଟୋ ଉତ୍ପାଦନ ପାଇଁ ମଞ୍ଜି, ଖତ, ସାର, ପାଣି ମଡାଇବାକୁ ବିଜୁଳିଠାରୁ ଆରମ୍ଭ କରି ଅମଳ ପାଇଁ ଶ୍ରମିକ ଓ ପରିବହନ ଖର୍ଚ୍ଚ ମିଶିଲେ ୧୦ ଟଙ୍କାରେ ବିକ୍ରି ହେଲେ ମଧ୍ୟ ମୂଳଧନ ଉଠିବା ମୁସ୍କିଲ । ସେଠି କିଲେ ଟମାଟୋ ୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ବେପାରୀଙ୍କୁ ନଦେଇ ନିଜେ ବଜାରରେ ବିକ୍ରିକଲେ ଅଢେଇ କିଲୋକୁ ୧୦ ଟଙ୍କାରେ ବିକ୍ରି କରିବାକୁ ପଡୁଛି । ନିକଟରେ କେନ୍ଦ୍ର ସରକାର ଚାଷୀର ସମସ୍ତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ ଘୋଷଣା କରିଥିଲେ । ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ଅଲଗା ଭାବେ କୃଷି ବଜେଟ ଉପସ୍ଥାପନ କରୁଛନ୍ତି । ହେଲେ ପନିପରିବା ଚାଷ କରୁଥିବା ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର କିଭଳି ଉଚିତ ମୂଲ୍ୟ ମିଳିବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମ ଆଖିଦୃଶିଆ ହେଉନାହିଁ ।