ତାଳଚେରବାସୀନି ମା’ ହିଙ୍ଗୁଳା…ଶ୍ରୀକ୍ଷେତ୍ର ଧାମ ସହ ଠାକୁରାଣୀଙ୍କ ପୀଠର ରହିଛି ନିବିଡ ସଂପର୍କ…ମହାପ୍ରଭୁଙ୍କ ମହାପ୍ରସାଦକୁ ସ୍ୱାଦିଷ୍ଟ କରିବା ଲାଗି ଶ୍ରୀମନ୍ଦିର ପାକଶାଳାରେ ସ୍ୱୟଂ କରିଛନ୍ତି ବିଜେ

847

କନକ ବ୍ୟୁରୋ: ଶକ୍ତି କେବେ ସୁନ୍ଦର ତ କେବେ ଭୟଙ୍କର ।ତାଳଚେର ସ୍ଥିତ ମା’ ହିଙ୍ଗୁଳା ଅଷ୍ଟମହାବିଦ୍ୟାଙ୍କ ମଧ୍ୟରେ ଅନ୍ୟତମ । ମା’ଙ୍କ ପୀଠ ଯେତିକି ପ୍ରାଚୀନ ସେତିକି ମଧ୍ୟ ବୈଚିତ୍ୟମୟ । ଏପରିକି କିମ୍ବଦନ୍ତୀ କହେ ଶ୍ରୀକ୍ଷେତ୍ର ଧାମ ସହ ମା’ ଙ୍କ ପୀଠର ରହିଛି ନିବିଡ ସମ୍ପର୍କ । କାରଣ ମା’ ହେଉଛନ୍ତି ଶ୍ରୀକ୍ଷେତ୍ର ରୋଷଘର ଠାକୁରାଣୀ । ସେଥିପାଇଁ ତ ଅଗ୍ନି ରୂପରେ ମା’ ହିଙ୍ଗୁଳା ଜଗନ୍ନାଥଙ୍କ ପୀଠରେ ବିରାଜମାନ କରିଛନ୍ତି ।

ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନକ ଚତୁର୍ଦ୍ଦଶୀରେ ପାଳନ କରାଯାଏ ମା’ ଙ୍କର ବାର୍ଷିକ ଉତ୍ସବ । ସେହିଦିନ ମା ଅଗ୍ନୀ ରୁପରେ ପ୍ରକଟ ହୋଇ ୯ ଦିନ ଧରି ପୂଜା ପାଆନ୍ତି । ଏହାକୁ ମା’ ଙ୍କର ନବ ଦିନାତ୍ମକ ଯାତ୍ରା ବୋଲି ମଧ୍ୟ କୁହାଯାଏ । ଆଶ୍ବିନ ଆସିଲେ ଶାରଦୀୟ ଦୁର୍ଗା ପୂଜାରେ ମା’ ଙ୍କ ପୀଠ ହୋଇଉଠେ ଲୋକାରଣ୍ୟ । ଷୋଡ଼ଶ ଉପଚାରରେ ମା’ ଙ୍କର ନବରାତ୍ର ପୂଜା କରାଯାଏ । ଏହି ପୀଠରେ ଦେହୁରୀ ସେବକ ମାନେ ମା’ ଙ୍କର ପୂଜାର୍ଚ୍ଚନା କରନ୍ତି । ତେବେ ମା’ ଧାରଣ କରୁଥିବା ସମସ୍ତ ଆୟୂଧ, ଖଡ଼ଗ, ଚକ୍ର, ତ୍ରିଶୂଳ ଆଦି ନବରାତ୍ରରେ ପୂଜିତ ହୁଏ । ନଅଦିନ ଧରି ସହସ୍ରକ୍ଷର୍ଚ୍ଚନା, ଚଣ୍ଡୀ ପାଠ, ଯଜ୍ଞ , ମନ୍ତ୍ର, ଶ୍ଲୋକ ସହ ମା’ ଙ୍କର ସ୍ବତନ୍ତ୍ର ପୂଜା କରାଯାଇଥାଏ । ଏହି ସମୟରେ ଲକ୍ଷାଧିକ ଭକ୍ତ ପୂଜାରେ ନିଜକୁ ସାମିଲ କରି ଅଭୀଷ୍ଟ ପୂରଣ ପାଇଁ ହୋଇଥାନ୍ତି ମା’ ଙ୍କ ଶରଣାପର୍ଣ୍ଣ ।

ସେହିଭଳି ହିଙ୍ଗୁଳା ମା’ ଶ୍ରୀକ୍ଷେତ୍ରରେ ବିରାଜମାନ ପଛରେ ରହିଛି ଏକ ଅଲୌକିକ କିମ୍ବଦନ୍ତୀ । ନଳ ରାଜା ମା’ ହିଙ୍ଗୁଳାଙ୍କର ପରମ ଭକ୍ତ ଥିଲେ । ପୁରୀରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ କିପରି ଅତ୍ୟନ୍ତ ସ୍ବାଦଯୁକ୍ତ ହେବ ସେଥିପାଇଁ ଗଜପତି ମହାରାଜ ସର୍ବଦା ଚିନ୍ତିତ ରହୁଥିଲେ। ସ୍ବପ୍ନାଦେଶ ପାଇ ସେ ମା ହିଙ୍ଗୁଳାଙ୍କ ଶରଣାପନ୍ନ ହେଲେ । ମହାରାଜାଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇ ମାଆ ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳାକୁ ବିଜେ କଲେ । ତାଙ୍କରି ମହିମାରୁ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗସାମଗ୍ରୀ ସ୍ବାଦିଷ୍ଟ ହେଲା । ଏହି ପୀଠରେ ଭକ୍ତଙ୍କଠାରୁ ମା’ ନୈବେଦ୍ୟ ଗ୍ରହଣ କରିଥାନ୍ତି । ଏଥିପାଇଁ କୌଣସି ସେବାୟତ ବା ପୂଜକଙ୍କର ଆବଶ୍ୟକତା ବି ପଡିନଥାଏ ।

ମା’ ହିଙ୍ଗୁଳାଙ୍କ ସମ୍ପର୍କରେ ଅନେକ କିମ୍ବଦନ୍ତୀ ଲୋକ ଲୋଚନରୁ ଶୁଣିବାକୁ ମିଳେ । ବର୍ଷ ତମାମ ପୀଠରେ ମାନସିକ ରଖି ଭକ୍ତମାନେ ପୂଜାର୍ଚ୍ଚନା କରିଥାନ୍ତି । ମା’ ପ୍ରତ୍ୟେକ୍ଷ ଠାକୁରାଣୀ ଡାକିଲେ ଓ କରନ୍ତି ବୋଲି ଭକ୍ତମାନେ କୁହନ୍ତି ।