ଥଣ୍ଡା, ଜ୍ୱର ହେଉଥିଲେ ସାବଧାନ ! ମାଡି ଆସୁଛି ଭୟଙ୍କର ଭାଇରସ ? ମୁମ୍ବାଇର ୨ ଆକ୍ରାନ୍ତ ହେବା ପରେ ଭାରତକୁ ଘାରିଛି ଭୂତାଣୁ ଭୟ । ଜାଣନ୍ତୁ କଣ ଏହି ଭାଇରସର ଲକ୍ଷଣ ? କେମିତି କରିବେ ମୁକାବିଲା?

3,328

କନକ ବ୍ୟୁରୋ: କୋରୋନା ପାଇଁ କୋକୁଆ ଭୟ । ଚୀନରେ ଭାଇରସ ବ୍ୟାପୁଛି, ସାରା ବିଶ୍ୱର ଚିନ୍ତା ବଢୁଛି । ଭୁତାଣୁ ଭୟ ଏବେ ଚୀନ ଡେଇଁ ଭାରତରେ ପହଞ୍ଚିଛି । ଭାଇରସ ସଂକ୍ରମଣ ଫଳରେ ଚୀନର ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଶହରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ମୁମ୍ବାଇର ୨ ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିବା ପରେ ଏବେ ସବୁ ଭାରତୀୟଙ୍କୁ ଘାରିଛି ଭୂତାଣ ଭୟ ।

ତେବେ କଣ ଏହି କୋରୋନା ଭାଇରସ ? ସଂକ୍ରମିତ ଭୂତାଣୁର ଲକ୍ଷଣ କଣ ? ଆଉ କେଉଁ ପ୍ରତିଷେଧକ ବ୍ୟବସ୍ଥା ଆପଣେଇ ଏହି ଭାଇରସର କରିହେବ ମୁକାବିଲା ? ସାରା ବିଶ୍ୱର କୋରୋନା ପାଇଁ କୋକୁଆ ଭୟ ଖେଳି ଯାଇଥିବା ବେଳେ ଜାଣନ୍ତୁ କମେିତି କରିହେବ ମୁକାବିଲା ?

କୋରୋନା ଭାଇରସ ପଶୁଙ୍କ ଠାରୁ ବ୍ୟାପିଥାଏ । ଓଟ, ବିରାଡି, ବାଦୁଡି, ଘୁଷୁରି, ସାପ ସମେତ ଅନ୍ୟ କିଛି ପଶୁପକ୍ଷୀମାନଙ୍କ ଠାରୁ ଏହି ଭୂତାଣୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥାଏ । ତେବେ ସବୁଠାରୁ ବଡ କଥା ହେଉଛି ଏହି ଭାଇରସ ବ୍ୟାପିବା ପଛରେ ସି-ଫୁଡ୍ ମଧ୍ୟ ଅନ୍ୟତମ ପ୍ରମୁଖ କାରଣ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରକାଶ କରିଛି ।

ତେବେ ଭାଇରସର ପ୍ରାଥମିକ ଲକ୍ଷଣ ହେଉଛି ଥଣ୍ଡା ଏବଂ ଜ୍ୱର ହେବା । ଅତ୍ୟଧିକ ସର୍ଦ୍ଦିହେବା, ଦେହରେ କ୍ଲାନ୍ତି ଅନୁଭବ କରିବା, ଶୁଖିଲା କାଶ ହେବା ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା କୋରୋନା ଭାଇରସ ସଂକ୍ରମଣର ମୁଖ୍ୟ କାରଣ । ସବୁଠାରୁ ବଡ କଥା ହେଉଛି ଏହି ଭାଇରସ ଫଳରେ କିଡନୀ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ଥାଏ । ଶରୀରକୁ କୋରୋନା ଅତ୍ୟଧିକ କବଜା କରିଦେଲେ ନିମୋନିଆ ହେବା ସହ ମୃତ୍ୟୁର ଅନେକ ଆଶଂକା ରହିଥାଏ ।

ଭାଇରସ ପାଇଁ କୌଣସି ଔଷଧ ବାହାରି ନଥିବାରୁ ଏହି ଭୂତାଣୁରୁ ବର୍ତ୍ତିବାକୁ କେତେକ ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦିଆଯାଇଛି ।
* ତେବେ ଯେଉଁମାନଙ୍କୁ ଥଣ୍ଡା ହୋଇଛି ବା ସେମାନଙ୍କ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଉଛି ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।
* ଖାଇବା ପୂର୍ବରୁ ବା ମୁହଁରେ ହାତ ମାରିବା ପୂର୍ବରୁ ସାବୁନ କିମ୍ବା ହାଣ୍ଡୱାସରେ ଭଲକି ସଫା କରନ୍ତୁ ।
* କାଶିବା ବା ଛିଙ୍କିବା ବେଳେ ମୁହଁରେ ରୁମାଲ କିମ୍ବା ମୋଟା କପଡା ବ୍ୟବହାର କରନ୍ତୁ ।
* ଖାଦ୍ୟକୁ ଭଲଭାବେ ଗରମ କରି ଖାଆନ୍ତୁ । ମାଂସ, କିମ୍ବା ଅଣ୍ଡାକୁ ଅତ୍ୟଧିକ ଗରମ କରନ୍ତୁ ପରେ ଖାଆନ୍ତୁ ।
* ପଶୁପକ୍ଷୀଙ୍କ ଠାରୁ ଯେତେ ଦୂର ସମ୍ଭବ ଦୂରେଇ ରୁହନ୍ତୁ । ଏସବୁ ପ୍ରତିଷେଧକମୂଳକ ପଦକ୍ଷେପ ଆପଣେଇଲେ କୋରୋନା ଭାଇରସର ମୁକାବିଲା କରାଯାଇପାରେ ।