ଓଡ଼ିଶା ଫେରିଲା ସ୍ୱାଇନ୍ ଫ୍ଲୁ ! ରାଜଧାନୀରେ ୫ ରୋଗୀ ଚିହ୍ନଟ, ବିଭିନ୍ନ ଘରୋଇ ହସପିଟାଲରେ ଚାଲିଛି ଚିକିତ୍ସା

0

କନକ ବ୍ୟୁରୋ : ରାଜଧାନୀର ବିଭିନ୍ନ ଘରୋଇ ମେଡିକାଲରେ ଏବେ ୫ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଶରୀରକୁ ରାଜ୍ୟ ଭିତରେ ନା ବାହାରୁ ସ୍ୱାଇନ ଫ୍ଲୁ ଭୂତାଣୁ ପ୍ରବେଶ କରିଛି ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ସ୍ଥିତିକୁ ନଜରରେ ରଖି ଆଗୁଆ ପଦକ୍ଷେପ ନେଇଛି ସ୍ୱାସ୍ଥ୍ୟ ବିଭାଗ । କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ସବୁ ଜିଲ୍ଲା ଓ ଉପଖଣ୍ଡ ମେଡିକାଲରେ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା ହୋଇଛି । ସେହିପରି ସବୁ ମେଡିକାଲ କଲେଜରେ ଭେଂଟିଲେଟର ସୁବିଧା ଥିବା ସ୍ୱାଇନ ଫ୍ଲୁ ୱାର୍ଡର ବ୍ୟବସ୍ଥା କରାଯାଇଛି ।

୨୦୦୯ ମସିହାରେ ଭାରତରେ ପ୍ରଥମ ଥର ପାଇଁ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୩୫ ଜଣଙ୍କ ଜୀବନ ଯାଇଥିଲା । ୨୦୦୯ ଓ ୨୦୧୦ରେ ଓଡିଶାରେ ମଧ୍ୟ ସ୍ୱାଇନ୍ ଫ୍ଲୁରେ ବହୁ ରୋଗୀ ମୃତ୍ୟୁ ବରଣ କରିଥିଲେ । ତେଣୁ ଚଳିତ ବର୍ଷ ସ୍ୱାଇନ୍ ଫ୍ଲୁର ପ୍ରଥମ ଖବର ଆସିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

ଏବେ ନଜର ପକାନ୍ତୁ କେମିତି ସ୍ୱାଇନ ଫ୍ଲୁକୁ ଚିହ୍ନଟ କରିହେବ । ଏନେଇ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟଣ ରହିଛି ।

• ଜ୍ୱର,କାଶ ଓ ଛିଙ୍କ ଲାଗି ରହିବା
• ନାକ ଜାମ୍ ହେବା
• ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା
• ମୁଣ୍ଡବିନ୍ଧା ଓ ଶରୀର ବିନ୍ଧା
• ସ୍ଥଳ ବିଶେଷରେ ବାନ୍ତି ଓ ରକ୍ତ ବାନ୍ତି ହେବା

୨୦୦୯ ମସିହା ଅପେକ୍ଷା ସ୍ଥିତି ବଦଳିଛି । ଏଣୁ ସ୍ୱାଇନ ଫ୍ଲୁ କୁ ଏଚ୍ ୧ ଏନ୍ ୧ ଭୂତାଣୁ ବଦଳରେ ସିଜନାଲ ଇନଫ୍ଲୁଏଞ୍ଜା କୁହାଯାଉଛି । ଏହା ସହ ଜିଲ୍ଲା ସ୍ତରରୁ ସ୍ୱାଇନ ଫ୍ଲୁ ଚିହ୍ନଟ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଶିଶୁ,ବୃଦ୍ଧ ଓ ଗର୍ଭବତୀଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ପ୍ରାଥମିକ ସ୍ତରରୁ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇଲେ ସ୍ୱାଇନ୍ ଫ୍ଲୁ ରୋଗୀ ଖୁବଶୀଘ୍ର ସୁସ୍ଥ ହୋଇ ପାରିବେ ।

Comments are closed.