ପୁରୀ ସ୍ୱର୍ଗଦ୍ୱାରକୁ କାଠ ଯୋଗାଇବାକୁ ମନା କଲା ବନ ଉନ୍ନୟନ ନିଗମ : ବକେୟା ଅର୍ଥ ପଇଠ ନକରୁଥିବାରୁ ପୁରୀ ମୁନସିପାଲଟିକୁ ଦେଲା ଚରମ ପତ୍ର

47

କନକ ବ୍ୟୁରୋ : ଏହି ସଂଦେହ ସେତିକିବେଳେ ଉଠିଛି, ଯେତିକି ବେଳେ କାଠ ଯୋଗାଇବାକୁ ରାଜି ହେଉନାହିଁ ଓଡ଼ିଶା ଫରେଷ୍ଟ ଡେଭେଲପମେଂଟ କର୍ପୋରେସନ୍ । କାରଣ ବାରମ୍ବାର ତାଗିଦ ସତ୍ୱେ ବକେୟା ଟଙ୍କା ପଇଠ କରୁନାହିଁ ପୁରୀ ମୁନିସପାଲିଟି । ଗତ ୧୬ ତାରିଖରେ ପୁରୀ ମୁନସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖି ଚେତାବନୀ ଦେଇଛି ବନ ଉନ୍ନୟନ ନିଗମ ।

ଡିସେମ୍ବର ୧୫, ୨୦୧୭ ପର୍ଯ୍ୟନ୍ତ କାଠ ବାବଦରେ ବାକି ଥିଲା ୨୯ ଲକ୍ଷ ୯୦ ହଜାର ଟଙ୍କା । ଡିସେମ୍ବର ୧୬ ତାରଖରୁ ଜାନୁଆରୀ ୧୪ ତାରିଖ ମଧ୍ୟରେ ପୁଣି ୨୨ ଲକ୍ଷ ୮ ହଜାର ଟଙ୍କାର କାଠ ଯୋଗାଇ ଦେଇଥିଲା ଫରେଷ୍ଟ କର୍ପୋରେସନ୍ । ପୁରୀ ମୁନିସପାଲିଟି ଉପରେ ମୋଟ ୫୧ ଲକ୍ଷ ଓ ୯୮ ହଜାର ଟଙ୍କା ବକେୟା ରହିଛି । ବାରମ୍ବାର ତାଗିଦ କରିବା ପରେ ବି ଟଙ୍କା ପଇଠ କରାଯାଇନଥିବାରୁ କଠୋର ଆଭିମୁଖ୍ୟ ଦେଖାଇଛି ଓଡ଼ିଶା ଫରେଷ୍ଟ ଡେଭେଲୋପମେଂଟ କର୍ପୋରେସନ୍ । କର୍ପୋରେସନର ଡିଭିଜନାଲ ମ୍ୟାନେଜରଙ୍କ ଦସ୍ତଖତରେ ଏହି ଚିଠି ଚରମବାଣୀ ଶୁଣାଇଦେଇଛି । ସଫାସଫା କହିଦେଇଛି, ଯଦି ଆସନ୍ତା ୨୫ ତାରିଖ ସୁଦ୍ଧା ଟଙ୍କା ପଇଠ କରାନଯାଏ, ତେବେ ୨୬ ତାରିଖରୁ କାଠ ଯୋଗାଣ ବନ୍ଦ ।

ଓଡ଼ିଶାର କୋଣ ଅନୁକୋଣରୁ ପୁରୀ ସ୍ୱର୍ଗଦ୍ୱାରକୁ ପ୍ରତିଦିନ ଶତାଧିକ ଶବ ଦାହ ପାଇଁ ଆସିଥାନ୍ତି । ହରିଶ୍ଚନ୍ଦ୍ର ଯୋଜନାରେ ସେମାନଙ୍କୁ କାଠ ଯୋଗାଇ ଦିଆଯାଇଥାଏ । ତେବେ ପୁରୀ ମୁନିସପାଲିଟିର ବେପରୁଆ ମନୋଭାବ ଓ ଫରେଷ୍ଟ କର୍ପୋରେସନର କଡ଼ା ଆଭିମୁଖ୍ୟ ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରିବାକୁ ଯାଉଛି ।