ସୁଷମା: ଅସହାୟର ମା…ସାହାଯ୍ୟର ଅନ୍ୟ ଏକ ନାଁ…

201

କନକ ବ୍ୟୁରୋ: ସୁଷମା ଯୁଗର ଅବସାନ, ସ୍ୱରାଜ ଯୁଗର ଅବସାନ ଅର୍ଥାତ ଦେଶରେ ‘ସୁଷମା ସ୍ୱରାଜ’ ଯୁଗର ଅବସାନ ଘଟିଛି । ମଙ୍ଗଳବାର ରାତିରେ ଦେଶର ମହାନେତ୍ରୀ ମହାନିଦ୍ରାରେ ଶୋଇଯିବା ପରେ ଦେଶରୁ ‘ସ୍ୱରାଜ’ ଶେଷ ହେଲା ଭଳି ଲାଗୁଛି । ନିଜେ ଶେଷ ନିଦ୍ରାରେ ଶୋଇ ନିଜ ସମର୍ଥକଙ୍କ ଆଖିରୁ ନିଜ ନେଇ ଯାଇଛନ୍ତି ସୁଷମା । ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଦେହାନ୍ତ ହେବା ପରେ ସାରା ଦେଶ ଦୁଃଖରେ ଭାଙ୍ଗିପଡିଛି ଆଉ ନିଜ ଗେହ୍ଲୀ ଝିଅକୁ ହରାଇ କଇଁକଇଁ କାନ୍ଦୁଛି ଭାରତ ମାତା ।

ତେବେ ସୁଷମାଙ୍କ ପରଲୋକ ପରେ ସ୍ୱରାଜ ଯୁଗର ସମାପ୍ତ ଘଟିଛି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । କାରଣ ସୁଷମା ଦେଶର ଅନେକ ଲୋକଙ୍କୁ ନୂଆ ଜୀବନ ଦେଇଛନ୍ତି, ସ୍ୱରାଜ (ସ୍ୱାଧୀନତା) ଦେଇଛନ୍ତି । ପରାଧୀନ ଆଉ ବନ୍ଦୀ ଜୀବନରୁ ମୁକ୍ତ କରି ଅନେକଙ୍କୁ ସ୍ୱାଧୀନତାର ସ୍ୱାଦ ଚଖାଇଛନ୍ତି ସୁଷମା । ତେଣୁ ସୁଷମା ସେମାନଙ୍କ ପାଇଁ ସବୁଦିନ ମନେ ରହିବେ ।

ସୁଷମା: ଦେବଦୂତର ଅନ୍ୟ ଏକ ନାଁ

ପାକିସ୍ତାନ ଜେଲରେ ଫସି ରହିଥିବା ହମିଦଙ୍କ ପାଇଁ ହେଉ ବା ହନିମୁନ ପାଇଁ ପତିପତ୍ନୀଙ୍କୁ ମିଶାଇବା ପାଇଁ ହେଉ ଅବା ହେଉ କୁଳଭୂଷଣଙ୍କୁ ତାଙ୍କ ମାଆ ସହ ସାକ୍ଷାତ କରାଇବାରେ ସୁଷମା ସାଜିଥିଲେ ଦେବଦୂତ । ବିଭିନ୍ନ ସମୟରେ ବିଦେଶରେ ରହୁଥିବା ଲୋକଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଇଥିଲେ ସୁଷମା ।
ମୁମ୍ବାଇର ସଫ୍ଟୱେୟାର ଇଂଜିନିୟର ହମିଦ ନିହାଲ ଅନସାରୀ ପାକିସ୍ତାନ ଜେଲରେ ୬ ବର୍ଷ ବନ୍ଦୀ ରହିବା ପରେ ୨୦୧୮ ଫେରିଥିଲେ । ଅନଲାଇନରେ ଜଣେ ଯୁବତୀଙ୍କ ସହ ବନ୍ଧୁତା ପରେ ଆଫଗାନିସ୍ତାନରୁ ବେଆଇନ ଭାବେ ପାକିସ୍ତାନରେ ପଶିଥିଲେ ଏହି ଯୁବ ଇଂଜିନିୟର । ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରି ତାଙ୍କୁ ପେଶାୱର ଜେଲରେ ରଖାଯାଇଥିଲା । ଆଉ ତାଙ୍କ ମୁକ୍ତି ପାଇଁ ଇସଲାମାବାଦ ଉପରେ ପ୍ରବଳ ଚାପ ପକାଇଥିଲେ ସୁଷମା । ଶେଷରେ ହମିଦ ପାକିସ୍ତାନରୁ ଫେରିଥିଲେ ଆଉ ସୁଷମାଙ୍କୁ ଭେଟି ଲୁହ ଝରାଇଥିଲେ । ନିଧନ ପରେ ତାଙ୍କ ଜୀବନରେ ବଡ କ୍ଷତି ହୋଇଥିବା ହମିଦ କହିଛନ୍ତି ।

ସେହିପରି କାବୁଲରେ ଆତତାୟୀଙ୍କ ଦ୍ୱାରା ପଣବନ୍ଦୀ ହୋଇଥିବା କୋଲକାତାର ମହିଳାଙ୍କୁ ମଧ୍ୟ ସେ ଭାରତ ଫେରାଇ ଆଣିଥିଲେ । ପାକିସ୍ତାନରେ ୧୫ ବର୍ଷ ହେବ ବନ୍ଦୀ ଜୀବନ କାଟୁଥିବା ଦିବ୍ୟାଙ୍ଗ ଝିଅ ଗୀତାକୁ ମଧ୍ୟ ସୁଷମା ପାକିସ୍ତାନରୁ ଭାରତକୁ ଫେରାଇ ଆଣିଥିଲେ । ସବୁ ଠାରୁ ବଡ କଥା ହେଉଛି ପାକ୍ ଜେଲରେ ବନ୍ଦୀ ଥିବା କୁଳଭୂଷଣଙ୍କୁ ମଧ୍ୟ ନିଜ ମାଆଙ୍କ ସାଙ୍ଗରେ ଦେଖା କରାଇବାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ ସୁଷମା । ପାକ୍ ଜେଲରେ ମାଆପୁଅଙ୍କ ମିଳନ କେବଳ ସୁଷମାଙ୍କ ପାଇଁ ସମ୍ଭବ ହୋଇପାରିଥିଲା । ଟ୍ୱିଟରୁ ଲୋକଙ୍କ ଦୁଃଖ କଥା ଶୁଣି ସାହାଯ୍ୟର ହାତ ବଢାଉଥିବା ଏ ମମତାମୟୀଙ୍କ ଦେହାନ୍ତ ସାହାଯ୍ୟ ପାଇଥିବା ଲୋକଙ୍କ ପାଇଁ ଏକ ‘ସ୍ୱରାଜ’ ଯୁଗର ଅବସାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସୁଷମା ଯୁଗରେ ଏମ୍ସ

ସୁଷମା ଖୁବ କମ ସମୟ ପାଇଁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ସୁଷମା ଆଉ ସେହି ସମୟରେ ସାରା ଦେଶରେ ୬ଟି ଏମସ ଖୋଲିଥିଲା । ଲୋକଙ୍କୁ ଉନ୍ନତ ସ୍ୱସ୍ଥ୍ୟସେବା ଦେବାକୁ ଭୁବନେଶ୍ୱରରେ ମଧ୍ୟ ସୁଷମାଙ୍କ ସମୟରେ ଏମ୍ସ ପ୍ରତିଷ୍ଠା ହୋଇଥିଲା ।

ବିରୋଧୀଙ୍କୁ ସାବାଡ କରୁଥିଲେ

ଲୋକସଭାରେ ବିରୋଧୀଙ୍କୁ ସାବାଡ କରିବାରେ ଓସ୍ତାଦ ଥିଲେ ସୁଷମା । ବିଭିନ୍ନ ପ୍ରସଙ୍ଗରେ ବଳିଷ୍ଠ ଯୁକ୍ତି ଉପସ୍ଥାପନା କରି ବିରୋଧୀଙ୍କ ମୁହଁ ବନ୍ଦ କରିଦେଉଥିଲେ ସୁଷମା । ଗୃହରେ ବିରୋଧୀଙ୍କୁ ସୁଷମା ଚେକ ଦେଉଥିଲେ ବି ପରେ ସେମାନଙ୍କ ସହ ନିବିଡ ଭାବେ ମିଶୁଥିଲେ ସୁଷମା । ସଂସଦରେ ସୁଷମାଙ୍କ ଏହି ଗୁଣ ପାଇଁ ବିରୋଧୀ ମଧ୍ୟ ତାଙ୍କୁ ସମ୍ମାନ ଜଣାଉଥିଲେ । ଯାହାର ବଡ ଉଦାହରଣ ହେଉଛି ଆଜି ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ବିରୋଧୀଙ୍କ ମେଳି ।

ଭାଷଣକୁ ଭୁଲି ହେବନି

ସଂସଦ ହେଉ କି ସଂସ୍କୃତ ସଭାରେ, ନିର୍ବାଚନୀ ସଭା ହେଉ କି ଜାତିସଂଘରେ । ସବୁଠି ସବୁ ସ୍ଥାନରେ ନିଜର ଓଜସ୍ୱନୀ ଆଉ ଅଗ୍ନିବର୍ଷା ଭାଷଣ ପାଇଁ ଚର୍ଚ୍ଚାରେ ରହୁଥିଲେ ସୁଷମା । ଜାତିସଂଘରେ ବେଦ, ଉପନିଷଦ ଆଉ ସଂସ୍କୃତ ଶ୍ଲୋକ ମାଧ୍ୟମରେ ନିଜର ଭାଷଣ ରଖି ପାକିସ୍ତାନ ଉପରେ ପ୍ରବଳ ବର୍ଷୁଥିଲେ । ପାକର ଆତଙ୍କୀ ମୁଖାକୁ ସୁଷମା ହିଁ ଜାତିସଂଘ ଆଗରେ ଖୋଲିବାକୁ ସାହସ ଜୁଟାଇଥିଲେ । ତେଣୁ ତ ତାଙ୍କୁ ଆଇରନ ଲେଡି ବୋଲି କୁହାଯାଏ । ସୁଷମା ସ୍ୱରାଜଙ୍କ ନିଧନ ପରେ ଏକ ଯୁଗର ଅନ୍ତ ହୋଇଛି, ଏକ କିମ୍ବଦନ୍ତୀର ଅନ୍ତ ହୋଇଛି । ଯାହା ପୂରଣ ହେବା ସହଜ ନୁହେଁ…