ଶୁଭୁଛି ସ୍ୱାଭିମାନ ଅଂଚଳର ଗର୍ଜନ। ପ୍ରଜାମେଳିରେ ଦୁଃଖ ବଖାଣିଲେ ସ୍ୱାଭିମାନୀ ମଣିଷ। ଗ୍ରାଉଣ୍ଡଜିରୋରେ ପହଁଞ୍ଚି ଦୁଃଖ ଦୁର୍ଦ୍ଦଶା ପଚାରି ବୁଝିଲା କନକ ନ୍ୟୁଜ

329

କନକ ବ୍ୟୁରୋ: ଆଶାନ୍ତ ଲାଲଗଡ । ମେଳି ପରେ ମେଳି କରି ନିଜର ଅସନ୍ତୋଷ ଜାହିର କରୁଛନ୍ତି ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ମଣିଷ । ଦୁର୍ଗମ ନାକାମାମୁଡି ପଂଚାୟତ ଅନ୍ତର୍ଗତ ଖଜୁରିଗୁଡା ଗାଁରେ ପୁଣି ଏକ ପ୍ରଜାମେଳି କରି ଗଣମାଧ୍ୟମ ସମ୍ମୁଖରେ ନିଜ ଦାବୀ ବଖାଣିଛନ୍ତି । ଦାବି ଜଣାଇବା ପାଇଁ ଏକାଠି ହୋଇଥିଲେ ୪ଟି ପଂଚାୟତର ପ୍ରାୟ ଏକ ହଜାରରୁ ଅଧିକ ଲୋକ । ଆଉ ଦୀର୍ଘ ୩ ଘଂଟା ଧରି ମୋଟର ଡଙ୍ଗାଯାତ୍ରା କରି ଗ୍ରାଉଣ୍ଡଜିରୋରେ ପହଁଚି ଥିଲା କନକ ନ୍ୟୁଜ ।

ବାଲିମେଳା ଜଳଭଣ୍ଡାରରେ ୩ ଘଂଟାର ନୌକା ଯାତ୍ରା । ଏକ ମୋଟର ଡଙ୍ଗାରେ ଯାତ୍ରା କରି ଖଜୁରିଗୁଡା ଘାଟରେ ପହିଁଚିଥିଲା ଆମ ଟିମ । ଆଉ ଗଣମାଧ୍ୟମର ଆସିବା ବାଟକୁ ଚାହିଁ ବସିଥିଲେ ଅସନ୍ତୁଷ୍ଟ ସ୍ୱାଭିମାନ ଅଂଚଳବାସୀ । ମୁଦୁଲିଗୁଡାକୁ ଏକ ନୁତନ ପଂଚାୟତ ଭାବେ ଘୋଷଣା କରିବା ସହ ମୌଳିକ ସମସ୍ୟାର ସମାଧାନ ଦାବି ଏକାଠି ନାକାମୁମୁଡି ପଂଚାୟତ ଖଜୁରୀଗୁଡା ଗାଁରେ ହୋଇଥିଲେ ହଜାର ହଜାର ଲୋକେ । ଜଙ୍ଗଲ, ପାହଡ ଓ ନଈ ନାଳ ଅତିକ୍ରମ କରି ଖଜୁରୀଗୁଡାରେ ମେଳି ବାନ୍ଧିଥିଲେ ଅଣ୍ଡ୍ରାପାଲି, ପଣସପୁଟ, ନାକାମାମୁଡି, ଯନ୍ତ୍ରୀ ପଂଚାୟତର ସ୍ୱାଭିମାନୀ ମଣିଷ । ଶୋଭାଯାତ୍ରା କରିବା ସହ ପ୍ରଜାମେଳି କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରସ୍ତୁତ କରିଥିଲେ ଗ୍ରାମବାସୀ ।

ପି.ଡି.ଏସ୍ ଚାଉଳ ଠାରୁ ଆରମ୍ଭ କରି ଶିକ୍ଷା,ସ୍ୱାସ୍ଥ ପରି ମୌଳିକ ସୁବିଧା ଏବେ ବି ବୁଡି ଅଂଚଳ ପାଇଁ ଅପହଁଚ । ଲୋକଙ୍କ ଅଭିଯୋଗ ଅନୁସାରେ, କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଂଚାୟତର ବହୁ ଗ୍ରାମବାସୀ ପିଡିଏସ୍ ସାମଗ୍ରୀ ପାଇଁ ପ୍ରାୟ ୪୦ କିଲୋମିଟର ରାସ୍ତା ଅତିକ୍ରମ କରିଥାନ୍ତି । ହେଲେ ଏବେ ଯୋଗାଣ ସାମଗ୍ରୀ ଯୋଗାଉଥିବା ଡିଲର ମୁଦୁଲିପଡାରେ ଅସ୍ଥାୟୀ କ୍ୟାମ୍ପ କରି ପିଡିଏ ଚାଉଳ ଯୋଗାଇ ଦେଉଛନ୍ତି । ତେଣୁ ମୁଦୁଲିପଡାକୁ ଏକ ନୂତନ ପଂଚାୟତ ଭାବେ ଘୋଷଣା କରିବାକୁ ବର୍ଷ ବର୍ଷ ଧରି ଦାବୀ ହେଉଛି । ତେବେ ଦାବୀ ପୁରଣ ନ ହେଲେ ଆଗାମି ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଚେତାଇ ଦେଇଛନ୍ତି ସ୍ୱାଭିମାନ ଅଂଚଳ ବାସିନ୍ଦା ।

୨୦୧୮ ଜୁଲାଇ ମାସରେ ଗୁରୁପ୍ରୀୟା ସେତୁ ଉଦଘାଟନ ହେବା ପରେ କେବଳ ସ୍ୱାଭିମାନ ଅଚଂଳର ୪ଟି ପଂଚାୟତ ସହ ଯୋଗାଯୋଗ ହୋଇପାରିଛି । ଏବେ ବି ୭ଟି ପଂଚାୟତ ବାସିନ୍ଦା ସେଇ ବୁଡି ଅଂଚଳର ଯନ୍ତ୍ରଣା ସହ ଜୁଝିହେଉଛନ୍ତି ।