ଏୟାରଷ୍ଟ୍ରାଇକ୍ ନେଇ ବୈଦେଶିକ ମନ୍ତ୍ରୀଙ୍କ ବଡ ବୟାନ୍ ! LoC ଠାରୁ ୭୦କିମି ଦୂରରେ ଥିଲା ଟାର୍ଗେଟ୍ ।

331

ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ, ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ, ଏହି ଘଟଣାର ୧୨ ଦିନ ପରେ ପ୍ରତିଶୋତ ନେଇଛି ଭାରତ । ପାକିସ୍ତାନ ମାଟିରେ କଡା ଜବାବ ଦେଇଛି ଭାରତୀୟ ବାୟୁସେନା । ତେବେ ପାକିସ୍ତାନ ଉପରେ ହୋଇଥିବା ଏହି ଏୟାରଷ୍ଟ୍ରାଇକ୍ ନେଇ ବଡ ଖୁଲାସା କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସେ କହିଛନ୍ତି, ଏଲଓସି ଠାରୁ ୭୦ କିଲୋମିଟର ଆଗରେ ରହିଥିଲା ଟାର୍ଗେଟ୍ । ଆଉ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହା ଏକ ନନ୍ ମିଲିଟାରୀ ଅପରେସନ ଥିଲା । ଆଉ ଏହି ଅପରେସନ କେବଳ ଆତଙ୍କୀ କ୍ୟାମ୍ପଙ୍କ ବିରୋଧରେ ଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ପାକିସ୍ତାନ ଏହି ଘଟଣାକୁ ନେଇ ଦ୍ୱନ୍ଦରେ ଅଛି କି, କେମିତି ଭାରତକୁ ଜବାବ ଦେବ ।

୧୯୭୧ ପରେ ପାକିସ୍ତାନ ମାଟିରେ ଏହା ସବୁଠୁ ବଡ ଏୟାର ଷ୍ଟ୍ରାଇକ୍ । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ବଡ ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋରୁ ପାକିସ୍ତାନ ମାଟିରେ ପଶି ଆତଙ୍କୀ ଲଂଚପ୍ୟାଡ ଉପରେ ଜୋରଦାର ବୋମା ବର୍ଷଣ କରିଛି ଭାରତୀୟ ଯୁଦ୍ଧ ବିମାନ । ପାକ ଅଧିକୃତ କାଶ୍ମୀରର ବାଲାକୋଟ୍, ମୁଜାଫରାବାଦ ଓ ଚକୋଟିରେ ଆକାଶମାର୍ଗରୁ ଆକ୍ରମଣ କରିଛି ଭାରତ । ପୁଲୱାମା ହମଲା ପଛରେ ଥିବା ପାକିସ୍ତାନୀ ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣା ଉପରେ ହୋଇଛି ଏହି ଆକ୍ରମଣ । ଏଥିରେ ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।