ଅନ୍ଧାରୀ କୋଠରୀରୁ ଅପରାଧର ବ୍ଲୁ-ପ୍ରିଣ୍ଟରଚୁଛି ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସ ! କଟକ ଗୁଳିକାଣ୍ଡ ପାଇଁ ଜେଲ ଭିତରୁ ଆତଙ୍କର ଜାଲ ବୁଣିଥିଲା ସୁଶାନ୍ତ ଧଳସାମନ୍ତ

39

କନକ ବ୍ୟୁରୋ : ଅପରାଧ ଘଟାଇବା ପରେ ଜେଲ ଭିତରେ ଦିନ କାଟୁଛନ୍ତି ଗ୍ୟାଙ୍ଗଷ୍ଟର, ହେଲେ ଅନ୍ଧାରି କୋଠରୀ ଭିତରୁ ଚଳାଇଛନ୍ତି ଅପରାଧର ଦୁନିଆ । ଗତମାସରେ କଟକ ଗୁଳିକାଣ୍ଡର ପର୍ଦ୍ଦାଫାସ କରିଛି କମିସନରେଟ୍ ପୋଲିସ । ଅଭିଯୁକ୍ତ ଗିରଫ ହେବା ପରେ ପୋଲିସ ଜାଣିବାକୁ ପାଇଛି, ଏହି ଗୁଳିକାଣ୍ଡ ପାଇଁ ଜେଲ ଭିତରୁ ଆତଙ୍କର ଜାଲ ବୁଣିଥିଲା ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସ । ଜେଲ ଭିତରୁ ଅପରାଧର ସାମ୍ରାଜ୍ୟ ଚଳାଇଥିବା ସୁଶାନ୍ତ ଧଳ ସାମନ୍ତକୁ ରିମାଣ୍ଡ ଆଣିବାକୁ ପ୍ରସ୍ତୁତ ହେଉଛି କମିସନରେଟ୍ ପୋଲିସ ।

ଜେଲ ଚାରିକାନ୍ଥ ଭିତରେ ଥାଇ ଅପରାଧର ବ୍ଲୁ-ପ୍ରିଂଟ୍ ରଚୁଛି ଗ୍ୟାଙ୍ଗଷ୍ଟର ଡି ବ୍ରଦର୍ସ । ଗତ ମାସ ୨୩ ତାରିଖ ଦିନ କଟକ ବାଲିକୁଦା ବାରଙ୍ଗ ଅଂଚଳରେ ବାଲି ବ୍ୟବସାୟୀ ତଥା ଡି ବ୍ରଦର୍ସଙ୍କ ପୂର୍ବ ସହଯୋଗୀ ବିଜନ ପାଲଙ୍କ ଉପରକୁ ଗୁଳିମାଡ ହୋଇଥିଲା । ତେବେ ଏହି ଗୁଳିମାଡ କରିଥିବା ଅଭିଯୋଗରେ ସାର୍ପ ସୁଟର ମିକୁ ଓରଫ ଅର୍ନ୍ତଯ୍ୟାମୀ ନାୟକ ଗିରଫ ହେବା ପରେ ଖୋଲିଛି ଗୁମର । ଗିରଫ ପରେ ମିକୁ କହିଛି ସୁଶାନ୍ତ ଧଳସାମନ୍ତଙ୍କ ଇଂଗିତରେ ଏହି ଗୁଳିକାଣ୍ଡ ଘଟାଇଛି ।

ଝାରପଡା ଜେଲରେ ସୁଶାନ୍ତ ଧଳସାମନ୍ତ ସହ ସାର୍ପସୁଟର ମିକୁର ସଂପର୍କ ହୋଇଥିଲା । ଡି ବ୍ରଦର୍ସଙ୍କ ସହଯୋଗୀ ବିଜନ ପାଲଙ୍କୁ ପୂର୍ବରୁ ପୋଲିସ ଗିରଫ କରିଥିଲା ଓ ପରେ ସେ ଜାମିନରେ ଆସିଥିଲେ । ତେବେ ସୁଶାନ୍ତ କ’ଣ ପାଇଁ ନିଜ ସହଯୋଗୀ ଉପରେ ଗୁଳିମାଡ଼ କରାଇଥିଲେ ତା’ର କାରଣ ଖୋଜୁଛି କମିଶନରେଟ ପୋଲିସ । ପୂରା ପ୍ଲଟ ଜାଣିବା ପାଇଁ ସୁଶାନ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କଟକ ଡିସିପି ।ତେବେ ସବୁଠୁ ବଡ଼ କଥା ହେଉଛି ଜେଲ ବାହାରେ ଗ୍ୟାଙ୍ଗଷ୍ଟାର ଯେପରି ଅପରାଧର ସାମ୍ରାଜ୍ୟ ଚଳାଉଥିଲେ, ସେହିପରି ଜେଲ ଭିତରେ ମଧ୍ୟ ରଚୁଛନ୍ତି ଆତଙ୍କର ନକସା ।