କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣା : ସୁରେଶ ପୂଜାରିଙ୍କ ଅଭିଯୋଗ, ଚାପରେ ଦଫା ବଦଳାଇଲା ପୁୁଲିସ୍

35

କନକ ବ୍ୟୁରୋ : ଚାପରେ ଦଫା ବଦଳାଇଦେଲା ପୁୁଲିସ୍ । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଲାଗିଥିବା ଦଫା କୋର୍ଟ ଚାଲାଣ ସମୟରେ ବଦଳାଇ ଦିଆଗଲା । ଏଭଳି ଅଭିଯୋଗ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ଉପରକୁ ଅଣ୍ଡାମାଡ କଲେ ୩୦୭ ଦଫା ଲଗାଯାଉଥିବାବେଳେ କେନ୍ଦ୍ରମନ୍ତ୍ରୀଙ୍କ ଉପରକୁ ଢେଲାମାଡ ପାଇଁ ପୁୁଲିସ୍ କାହିଁକି ସମାନ ଦଫା ଲଗାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ ।

ସେହିପରି ଅଭିଯୋଗ ଆଧାରରେ ପ୍ରଥମେ ୧୪୭, ୧୪୮, ୧୪୯, ୩୪୧, ୨୯୪, ୫୦୬ ଓ ୩୩୬ ଦଫାରେ କେସ କରିଥିଲା ପୁୁଲିସ୍ । ପରେ ଓଭର ରାଇଟ କରି ୩୦୭ ଦଫା ଲଗାଇଥିବାବେଳେ କୋର୍ଟ ଚାଲାଣ ବେଳକୁ ପୁଣି ବଦଳାଇ ଦିଆଗଲା । ସେହିପରି ଘଟଣାରେ ଯେଉମାନଙ୍କୁ ଗିରଫ କରାଯାଇଛି ସେମାନେ ପ୍ରକୃତ ଅପରାଧୀ ନୁହନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ଘଟଣାରେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ କାଠଗଡାରେ ଛିଡା କରିଛନ୍ତି ସୁରେଶ । କହିଛନ୍ତି ଘଟଣାଦିନ ବରଗଡ ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ଏସପିଙ୍କୁ ବାରମ୍ବାର ଫୋନ୍ କରିବାର କାରଣ କଣ ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛନ୍ତି ।

ସେପଟେ ବରଗଡ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ସମୀର ଦାସ । ଏନେଇ ବରଗଡ ବିଜେଡି ନେତାଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ ।  ଆଲୋଚନା ପରେ ଯାହା ନିଷ୍ପତି ବାହାରିବ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସମୀର ଦାସ ।