ଯେଉଁ ମନ୍ତ୍ରୀ ଲାଂଚୁଆଙ୍କୁ ମାଡ଼ ଦେବା କଥା କହିଛନ୍ତି ଆଗ ତାଙ୍କଠୁ ଆରମ୍ଭ ହେଉ : ସୁର ରାଉତରାୟ

103

କନକ ବ୍ୟୁରୋ : ଲାଂଚ ମାଗୁଥିବା ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କୁ ଜୋତାରେ ମାର । ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ଏଭଳି ମାଡ ତତ୍ୱକୁ ନେଇ ରାଜନୀତି ସରଗରମ । ସଭା ମଂଚରୁ ମନ୍ତ୍ରୀଙ୍କ ଏଭଳି ଆହ୍ୱାନକୁ ବିରୋଧ କରିଛି କଂଗ୍ରେସ୍ । ସୁର ରାଉତରାୟ କହିଛନ୍ତି ଯେଉଁ ମନ୍ତ୍ରୀ ଏହି ମାଡ଼ କଥା କହିଛନ୍ତି ଆଗ ତାଙ୍କଠୁ ଆରମ୍ଭ ହେଉ । ଗତକାଲି ଯୋଗାଣ ମନ୍ତ୍ରୀ କହିଥିଲେ ଲାଂଚ ମାଗୁଥିବା ଅଧିକାରୀ ଓ ପଂଚାୟତ ପ୍ରତିନିଧିଙ୍କୁ ଚପଲରେ ପିଟ ।

ଦିଗପହଣ୍ଡିରେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ଏଭଳି ଆହ୍ୱାନ କରିଛନ୍ତି ମନ୍ତ୍ରୀ । ଆଉ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଏଇଥି ପାଇଁ ଯେ, ଦିନେ ବିଜୁ ବାବୁ ମଧ୍ୟ ଏଭଳି ଆହ୍ୱାନ କରିଥିଲେ । ଦୁର୍ନୀତିଗ୍ରସ୍ତ ବାବୁ ମାନଙ୍କୁ ମାଡ ମାରିବାକୁ କହିଥିଲେ । ପ୍ରଶ୍ନ ଉଠୁଛି, କଣ ବିଜୁ ବାବୁଙ୍କ ନାଁରେ ଗଠିତ ଦଳ ତାଙ୍କ ମାଡ ତତ୍ତ୍ୱକୁ ଆପଣେଇ ନେଇଛି । ତେବେ ସଭା ମଂଚରୁ ମନ୍ତ୍ରୀଙ୍କ ଏଭଳି ଆହ୍ୱାନକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି ।

ଚର୍ଚ୍ଚା ହେଉଛି ବିଜୁ ପଟ୍ଟନାୟକଙ୍କ ନାଁରେ ଗଠିତ ବିଜେଡି, ବିଜୁ ବାବୁଙ୍କ ମାଡ ତତ୍ୱକୁ ଆପଣେଇ ନେଇଛି କି ? କାରଣ ୧୯୯୩ ମସିହାରେ ଦୁର୍ନୀତିଗ୍ରସ୍ତ ସରକାରୀ ବୁବୁମାନଙ୍କୁ ମାଡ ମାରିବାକୁ ଆହ୍ୱାନ କରିଥିଲେ ତତକାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଅଭିଯୋଗ ଅନୁସାରେ ଦୁର୍ନୀତିର ଗନ୍ତାଘର ପାଲଟିଥିଲା ରାଜ୍ୟ ସଚିବାଳୟ । ଲାଂଚ ନଦେଲେ ହେଉନଥଲା ଫାଇଲ କାମ । ଆଉ ବିଜୁ ବାବୁଙ୍କ ପାଖରେ ଏହି ଅଭିଯୋଗ ପହିଂଚିବା ପରେ ସେ ଲାଂଚ ମାଗୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ମାଡ ମାରିବାକୁ ଆହ୍ୱାନ ଦେଇଥିଲେ । ଆଉ ଏବେ ତାଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଜଣେ ଦାୟିତ୍ୱବାନ ମନ୍ତ୍ରୀ ଦୋହରାଇଛନ୍ତି ସେହି ମାଡ ତତ୍ୱ ।

କୁହାଯାଉଛି ଜିଲ୍ଲାପାଳଙ୍କ ସମ୍ମିଳନୀରେ ପିସି କାରବାର ସଂପୂର୍ଣ୍ଣ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପଂଚାୟତ ସ୍ତରରେ ଲାଂଚ କାରବାର ବିରୋଧରେ କଡା ଆଭିମୁଖ୍ୟ ଆପଣେଇଛି ଶାସକ ଦଳ । ହେଲେ ମନ୍ତ୍ରୀଙ୍କ ଏଭଳି ଖୋଲାଖୋଲି ମାଡ ଆହ୍ୱାନକୁ ବିରୋଧ କରାଯାଇଛି ।

ପିସି ବିରୋଧରେ ସରକାରଙ୍କ କଡା ଆଭିମୁଖ୍ୟ ସ୍ୱାଗତଯୋଗ୍ୟ । ହେଲେ କଥା ଅଟକିଛି ମନ୍ତ୍ରୀଙ୍କ ମାଡ ତତ୍ୱ ଉପରେ ।
୧- ଯଦି ମନ୍ତ୍ରୀଙ୍କ କଥାରେ ଲୋକେ ମାଡ ମାରନ୍ତି ସେଥିପାଇଁ କିଏ ଦାୟୀ ରହିବ?
୨- ମାଡ ମାରିଥିବା ବ୍ୟକ୍ତି ଆଇନ ଅନୁଯାୟୀ ଦଣ୍ଡିତ ହେବେ ନା ନାହିଁ?
୩- ଆଇନ ଅନୁଯାୟୀ କୌଣିସି କାର୍ୟ୍ୟାନୁଷ୍ଠାନ ହେବ ନେହିଁ ବୋଲି ସରକାର ନିଶ୍ଚିତ କରିବେ କି?
୪- ଲାଂଚୁଆଙ୍କୁ ମାଡ ନେଇ ସରକାର କ’ଣ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିପାରିବେ?