ନିର୍ବାଚନ ପାଣ୍ଠିର ହିସାବ ଦିଅ । ରାଜନୈତିକ ନିର୍ବାଚନ ଚାନ୍ଦାର ହିସାବ ମାଗିଲେ ସୁପ୍ରିମକୋର୍ଟ, ମେ’ ୩୦ ସୁଦ୍ଧା ବିବରଣୀ ଦେବାକୁ ନିର୍ଦ୍ଦେଶ 

106

କନକ ବ୍ୟୁରୋ : ନିର୍ବାଚନ ପାଣ୍ଠି ସଂପର୍କରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦେବେ ରାଜନୈତିକ ଦଳ । କାହାଠୁ କେତେ ଟଙ୍କା ଆସିଛି ଏବଂ କେଉଁ ବାଟରେ ଆସିଛି, ସେ ସଂପର୍କରେ ସୂଚନା ଦେବେ ରାଜନୈତିକ ଦଳ । ଆଜି ଏଭଳି ଏକ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଦଳ ଗୁଡିକୁ  ମିଳିଥିବା ନିର୍ବାଚନ ଚାନ୍ଦାର ବିବିରଣୀ ମେ ୩୦ ସୁଦ୍ଧା ବନ୍ଦ ଲଫାଫାରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଚାନ୍ଦା ଦେଇଥିବା ଲୋକଙ୍କ ତଥ୍ୟ ବି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ବାଚନ ପାଣ୍ଠି ମାମଲାରେ ରାଜନୈତିକ ଦଳଗୁଡିକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ରାଜନୈତିକ ଦଳ ଗୁଡିକୁ ମିଳିଥିବା ଅର୍ଥରାଶିର ବିବରଣୀ ମେ’୩୦ ସୁଦ୍ଧା ବନ୍ଦ ଲଫାପାରେ ଦେବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଚାନ୍ଦା ଦେଇଥିବା ବ୍ୟକ୍ତିଙ୍କ ନାମ, ଠିକଣା ଓ ବ୍ୟାଙ୍କ ଆକାଉଂଟ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ନିର୍ବାଚନ ସମୟରେ ଇଲେକ୍ଟୋରାଲ ବଣ୍ଡ ବିକ୍ରି ନକରିବାକୁ କୋର୍ଟ ଆଦେଶ ଦେଇଛନ୍ତିି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଛନ୍ତି ।

ନିର୍ବାଚନୀ ବଣ୍ଡ ବିକ୍ରିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଏକ ଏନଜିଓ । ଇଲେକ୍ଟୋରାଲ ବଣ୍ଡ ଜାରି କରିବା ଉପରେ ରୋକ୍ ଲଗାଇବା ପାଇଁ ଆବେଦନ କରାଯାଇଥିଲା । ଏହାସହ ନିର୍ବାଚନୀ ପ୍ରକ୍ରିୟାକୁ ସ୍ୱଛ ରଖିବାକୁ କିଏ ଏହି ବଣ୍ଡ କିଣୁଛନ୍ତି ତାହା ସାର୍ବଜନୀନ କରିବାକୁ ଅପିଲ କରିଥିଲା ଏନଜିଓ । ଏହାର ଶୁଣାଣୀ କରି ଖଣ୍ଡପୀଠ କହିଥିଲେ ଯଦି ଇଲେକଟୋରାଲ ବଣ୍ଡ କିଣୁଥିବା ଲୋକ ବିଷୟରେ ସରକାରଙ୍କ ପାଖରେ ତଥ୍ୟ ନଥାଏ ତେବେ ଆୟକର ଆଇନ ଉପରେ ଏହା ବଡ ପ୍ରଭାବ ପକାଇବ । ତେବେ ବ୍ୟାଙ୍କ ମାଧ୍ୟମରେ ବଣ୍ଡ କିଣାଯାଉଥିବାରୁ କିଣୁଥିବା ଲୋକର କେୱାଇସି ଜଣାଥାଏ ବୋଲି କହିଥିଲେ ଆଟର୍ଣ୍ଣି ଜେନେରାଲ କେ. କେ. ଭେନୁଗୋପାଳ ।  ଇଲେକ୍ଟୋରାଲ ବଣ୍ଡ ଜାରି କରି ବିଭିନ୍ନ ରାଜନୈତିକ ଦଳ ନିର୍ବାଚନୀ ପାଣ୍ଠି ସଂଗ୍ରହ କରିଥାନ୍ତି ।