କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଭିତରେ ଓ ବାହାରେ ଧାଡ଼ି ବ୍ୟବସ୍ଥା କରିହେବ। ଲୋକମାନେ ବର୍ତ୍ତମାନ ପରି ମାଗଣା ଦର୍ଶନ କରିପାରିବେ। କିନ୍ତୁ ଟିକେଟ୍‌ ବ୍ୟବସ୍ଥା ବି ରହିବ। ବିଶେଷ କରି ସକାଳ ଓ ସନ୍ଧ୍ୟା ସମୟରେ ଦର୍ଶନ ପାଇଁ ଟିକେଟ୍‌ ନିର୍ଦ୍ଧାରଣ କରାଯିବ। ଟିକେଟ୍‌ କରିଥିବା ଲୋକଙ୍କୁ ଅଲଗା ଧାଡ଼ିରେ ପ୍ରବେଶ କରିବାକୁ ପଡ଼ିବ। ଏହା ସହ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯାଇପାରିବ।

ଶ୍ରୀମନ୍ଦିର ପରିଚାଳନାରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ତିନି ଜଣିଆ କମିଟି ସୁପ୍ରିମକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏମିତି ମତ ଦେଇଛି। ସାଧାରଣ ଦର୍ଶନ ପାଇଁ ସିଂହଦ୍ୱାରରୁ ପ୍ରବେଶ ଏବଂ ପ୍ରସ୍ଥାନ ଅନ୍ୟ ଗେଟ୍‌ ଦ୍ୱାରା କରାଇବାକୁ ରିପୋର୍ଟରେ କୁହାଯାଇଛି। ଏହି ଦର୍ଶନ ବ୍ୟବସ୍ଥା ସହ ମୋଟ୍‌ ୧୮ଟି ବ୍ୟବସ୍ଥା ଲାଗୁ କରିବାକୁ କମିଟି ସୁପାରିସ୍‌ କରିଛି। ଶ୍ରୀମନ୍ଦିର ପରିକ୍ରମା ପାଇଁ ନିର୍ଦ୍ଧାରଣ କରାଯାଇଥିବା ମନ୍ଦିରର ବାହାର କାନ୍ଥକୁ ଉଚିତ ରୂପେ ଆବରଣ ତଥା ଉଚିତ ଆଲୋକର ବ୍ୟବସ୍ଥା ସହ ଶୌଚାଳୟ ଓ ବସିବା ସ୍ଥାନ ନିର୍ଦ୍ଧାରଣ କରାଯିବ। ଏହାଦ୍ୱାରା ଭକ୍ତମାନେ ସେହି ସ୍ଥାନକୁ ରାସ୍ତାର ଟ୍ରାଫିକ୍‌ ସତ୍ତ୍ୱେ ବିନା ଦ୍ୱିଧାରେ ବ୍ୟବହାର କରିପାରିବେ। ପେଡେଷ୍ଟ୍ରିଆନ୍‌ ଜୋନ୍‌ରେ ଭିକ୍ଷାବୃତ୍ତି ଓ ଅସ୍ଥାୟୀ ଦୋକାନ ଗୁଡ଼ିକ ନିଷିଦ୍ଧ କରିବାପାଇଁ ମଧ୍ୟ ସୁପାରିସରେ କୁହାଯାଇଛି। ଘଣ୍ଟା, ମୋବାଇଲ ଓ ଜୋତାଷ୍ଟାଣ୍ଡ୍‌କୁ ପେଡେଷ୍ଟ୍ରିଆନ୍‌ ଜୋନ୍‌, କ୍ୟୁ କମ୍ପ୍ଲେକ୍ସର ଆରମ୍ଭରୁ ସ୍ଥାପନ କରିବା ପାଇଁ
ପ୍ରସ୍ତାବ ଦିଆଯାଇଛି।

ଅମୃତସର ସ୍ୱର୍ଣ୍ଣ ମନ୍ଦିରର ହେରିଟେଜ୍‌ ଜୋନ୍‌କୁ ଯେଭଳି ସମସ୍ତ ପ୍ରକାର ଆଧୁନିକ ସୁବିଧାରେ ବିକଶିତ କରାଯାଇଛି ପେଡେଷ୍ଟ୍ରିଆନ୍‌ ଜୋନ୍‌କୁ ମଧ୍ୟ ହେରିଟେଜ୍‌ ଜୋନ୍‌ରେ ବିକଶିତ କରାଯାଇପାରିବ। ଏହି ଜୋନ୍‌ରେ କେବଳ ଭିଭିଆଇପି ମାନଙ୍କୁ ବାଦ୍‌ଦେଇ ଅନ୍ୟମାନଙ୍କୁ ଯାନବାହନର ପ୍ରବେଶକୁ ବାରଣ କରାଯିବ। ଏତଦ୍‌ ବ୍ୟତୀତ ସରକାରଙ୍କ ଦ୍ୱାରା ମନ୍ଦିର ବାହାରେ ଜମି ଅଧିଗ୍ରହଣ ସହ ଭକ୍ତମାନଙ୍କ ପାଇଁ ସମସ୍ତ ସୁବିଧାସୁଯୋଗ ଓ ଦର୍ଶନ ସମୟରେ ଦାନ ସଂଗ୍ରହ ପ୍ରଣାଳୀ ତଥା ତୁଳସୀ ବିତରଣକୁ ବନ୍ଦ କରିବା ପାଇଁ ଏବଂ ପର‌୍ୟ୍ୟାପ୍ତ ମାତ୍ରାରେ ହୁଣ୍ଡି ଓ ଦାନବାକ୍ସ ଗୁଡ଼ିକୁ ମନ୍ଦିର ବାହାରେ ଅଲଗା ଅଲଗା ସ୍ଥାନରେ ରଖିବା ବ୍ୟବସ୍ଥା କରିବା ପାଇଁ ରିପୋର୍ଟରେ କୁହାଯାଇଛି। ମୁକ୍ତି ମଣ୍ଡପ ପାଖରେ ଭକ୍ତମାନଙ୍କୁ ତୁଳସି ଦିଆଯାଇପାରିବ, ମନ୍ଦିର ପ୍ରଶାସନକୁ ଭବିଷ୍ୟରେ ତିରୁପତି ଓ ବୈଷ୍ଣୋଦେବୀ ମନ୍ଦିରରେ ଲାଗୁ କରାଯାଇଥିବା ଯାତ୍ରୀ ପଞ୍ଜିକରଣ ପଦ୍ଧତିକୁ ଅନୁସରଣ କରି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଉପରେ କଟକଣା ଲଗାଇ ହେବ ବୋଲି ରିପୋର୍ଟରେ କୁହାଯାଇଛି।

ଭକ୍ତଙ୍କ ପ୍ରବେଶ କଟକଣା ସମ୍ପର୍କରେ ରିପୋର୍ଟରେ କୁହାଯାଇଛି, ଶ୍ରୀମନ୍ଦିରର ସମସ୍ତ ୪ଟି ଦିଗରେ ୪ଟି ପ୍ରବେଶ ଦ୍ୱାର ଦେଇ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରିଥା’ନ୍ତି। ତିରୁପତି ଓ ବୈଷ୍ଣୋଦେବୀ ମନ୍ଦିରରେ ଭକ୍ତମାନଙ୍କର ସର୍ବାଧିକ ସଂଖ୍ୟାରେ ପ୍ରବେଶକୁ ନେଇ କଟକଣା ଧାର‌୍ୟ୍ୟ କରା ଯାଇଛି। କିନ୍ତୁ ଶ୍ରୀମନ୍ଦିରରେ ଏକା ସମୟରେ କେତେ ସଂଖ୍ୟାରେ ଭକ୍ତ ପ୍ରବେଶ କରିବେ, ସେ ନେଇ ଆଜି ପର‌୍ୟ୍ୟନ୍ତ କୌଣସି ପ୍ରକାର କଟକଣା ଜାରି ହୋଇ ନାହିଁ। ପ୍ରତ୍ୟେକ ଦିନ ଶ୍ରୀମନ୍ଦିରକୁ ପାଖାପାଖି ୭୦ ହଜାର ଭକ୍ତ ପ୍ରବେଶ କରୁଥିବା ବେଳେ ସପ୍ତାହର ଶେଷ ଦିନଗୁଡ଼ିକରେ ଏହି ସଂଖ୍ୟା ଏକ ଲକ୍ଷ ଛୁଇଁଯାଏ। କାର୍ତ୍ତିକ ପୂର୍ଣ୍ଣିମା, ପଞ୍ଚୁକ ଓ ନୂଆବର୍ଷ ପରି ଦିନରେ ୩ରୁ ୫ ଲକ୍ଷ ଲୋକ ମନ୍ଦିରକୁ ଆସନ୍ତି। ପ୍ରତ୍ୟେକ ଦିନ ୧୦ରୁ ୧୫ ହଜାର ସ୍ଥାନୀୟ ଭକ୍ତ ସକାଳ ଓ ସନ୍ଧ୍ୟାରେ ମନ୍ଦିର ପରିଦର୍ଶନ କରିଥା’ନ୍ତି। ଏମାନଙ୍କ ମଧ୍ୟରେ ବୟସ୍କଙ୍କ ସଂଖ୍ୟା ଅଧିକ। ଚାରିଧାମରୁ ପୁରୀ ଏକ ପ୍ରମୁଖ ପର‌୍ୟ୍ୟଟନ ସ୍ଥଳ ହୋଇଥିବାରୁ ବର୍ଷ ତମାମ ପର‌୍ୟ୍ୟଟକମାନଙ୍କ ଆଗମନ ଲାଗି ରହିଥାଏ। ରଥଯାତ୍ରାର ୧୫ ଦିନ ଅବଧିରେ ପାଖାପାଖି ୩୦ ଲକ୍ଷ ଭକ୍ତଙ୍କର ସମାଗମ ହୋଇଥାଏ। ବିଶ୍ୱର କୋଣ ଅନୁକୋଣରୁ ହିନ୍ଦୁ ଭକ୍ତମାନେ ଶ୍ରୀମନ୍ଦିର ପରିଦର୍ଶନ କରିଥା’ନ୍ତି। ଶ୍ରୀମନ୍ଦିରର ନୀତି ଓ ପରମ୍ପରା ଅତ୍ୟନ୍ତ ଜଟିଳ ଓ ବିସ୍ତତ। ୮୦୦ ବର୍ଷରୁ ଊର୍ଦ୍ଧ୍ୱ ପରମ୍ପରା ଅତୁଟ ରହିଛି। ୧୦୦ ଶ୍ରେଣୀର ସେବକ ମନ୍ଦିରର ସେବାପୂଜା ବର୍ଷ ତମାମ କରିଥା’ନ୍ତି। ମନ୍ଦିରର ରେକର୍ଡ ଅଫ୍‌ ରାଇଟ୍‌ସ ଅନୁସାରେ ଅଧିକାଂଶ ସେବକମାନେ ପୂଜା କରିବାର ବଂଶାନୁଗତ ଅଧିକାର ପାଇଛନ୍ତି। ସମୟକ୍ରମେ ସେବକମାନଙ୍କ ସଂଖ୍ୟା ୨୨୦୦କୁ ପହଞ୍ଚିଥିବା ବେଳେ ସେବକମାନଙ୍କ ଦ୍ୱାରା ପାଳି ଅନୁଯାୟୀ ପୂଜା କାର‌୍ୟ୍ୟ ସମ୍ପୂର୍ଣ୍ଣ କରାଯାଇଥାଏ ବୋଲି ରିପୋର୍ଟରେ ଉଲ୍ଳେଖ ଅଛି।

ଶ୍ରୀମନ୍ଦିରର କେତେକ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ସମ୍ପର୍କରେ ରିପୋର୍ଟରେ ଦିଆଯାଇଥିବା ବିବରଣୀରେ ପ୍ରତ୍ୟେକ ଦିନ ମନ୍ଦିର ପରିସରରେ ମହାପ୍ରସାଦ ରନ୍ଧାଯିବା ସମ୍ପର୍କରେ ଉଲ୍ଲେଖ ହୋଇଛି। ୨୫୦ଟି ଓଭେନ୍‌ ଦ୍ୱାରା ଦିନକୁ ତିନି ଥର ମହାପ୍ରସାଦ ରନ୍ଧା ଯାଉଥିବା କୁହାଯାଇଛି। ମନ୍ଦିରର ନୀତି ଓ ଭୋଗ ବ୍ୟବସ୍ଥା ଯୋଗୁଁ ଠାକୁର ଦର୍ଶନରେ ବାରମ୍ବାର ବ୍ୟାହତ ହେଉଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ରନ୍ଧନ କାର‌୍ୟ୍ୟରେ ଏକ ନିର୍ଦ୍ଦିଷ୍ଟ ବଂଶର ସଦସ୍ୟମାନେ ନିୟୋଜିତ ହୋଇ ରୋଷଘରକୁ ପ୍ରବେଶ କରିଥା’ନ୍ତି। କୋଠ ଭୋଗ ରାନ୍ଧିବା ପାଇଁ ମନ୍ଦିର ପ୍ରଶାସନ କେବଳ କଞ୍ଚାମାଲ୍‌ ଯୋଗାଇ ଦେଇଥାଏ, ହେଲେ ପରମ୍ପରା ଅନୁସାରେ ଏହାର ତଦାରଖ କରି ନ ଥାଏ ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି।

ଆସନ୍ତା ମାସ ପ୍ରଥମ ସପ୍ତାହରେ ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥା ନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ରିପୋର୍ଟରେ ଯେଉଁସବୁ ପ୍ରସ୍ତାବ ଗୁଡ଼ିକ ଦିଆଯାଇଛି ସେନେଇ କୋର୍ଟ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ। ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ସରକାରଙ୍କ ଟିମ୍‌ ଗୁଜରାଟର ସେମାନାଥ ମନ୍ଦିର ଓ ଦ୍ୱାରିକା ଧାମ ପରିଦର୍ଶନ କରି ସେଠାର ପରିଚାଳନାଗତ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଏହି ବ୍ୟବସ୍ଥା ପୁରୀ ଶ୍ରୀମନ୍ଦିରରେ କିଭଳି ଲାଗୁ କରାଯାଇପାରିବ ସେନେଇ ଅଲଗା ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବେ। ରାଜ୍ୟ ସରକାରଙ୍କ ଦ୍ୱାରା ଶ୍ରୀମନ୍ଦିର ପରିଚାଳନା ସମ୍ପର୍କିତ ରିପୋର୍ଟ ଦାଖଲ କରାଯାଇଥିବାବେଳେ କେନ୍ଦ୍ର ସରକାର ଓ ଆମିକସ୍‌ କ୍ୟୁରିଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରାଯାଇନାହିଁ। ସୂଚନାଯୋଗ୍ୟ ଯେ ଦେଶର ୪ଟି ପ୍ରମୁଖ ମନ୍ଦିରର ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରି ରାଜ୍ୟ ସରକାରଙ୍କ ତିନି ଜଣିଆ କମିଟିର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି।