ସୁପ୍ରିମକୋର୍ଟରେ ହାଇଦ୍ରାବାଦ ଏନକାଉଣ୍ଟର ମାମଲାର ଶୁଣାଣୀ । ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ବିଚାରପତି

୩ ଜଣିଆ ତଦନ୍ତ କମିସନ ଗଠନ; ମୃତ ଅଭିଯୁକ୍ତ ଶବକୁ ସଂରକ୍ଷିତ ରଖିବାକୁ ଦେଲେ ନିର୍ଦ୍ଦେଶ

282

କନକ ବ୍ୟୁରୋ: ହାଇଦ୍ରାବାଦ ଏନକାଉଣ୍ଟର ମାମଲର ବିଚାର ବିଭାଗୀୟ ତଦନ୍ତ ହେବ । ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ପୋଡି ଦେବା ମାମଲାରେ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିବା ପରେ ନିରପେକ୍ଷ ତଦନ୍ତ କରିବାକୁ ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ତିନି ଜଣିଆ ତଦନ୍ତ କମିସନ ଗଠନ କରାଯାଇଛି । ଏହାର ଅଧ୍ୟକ୍ଷ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଭିଏସ ଶ୍ରୀପୁରକର ଓ ଅନ୍ୟ ଦୁଇ ସଦସ୍ୟ ହେଲେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ରେଖା ବଲଦୋଟା ଏବଂ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଡିଆଇ କାର୍ତିକେୟନ ।

୬ ମାସ ଭିତରେ ତଦନ୍ତ ଶେଷ କରି କୋର୍ଟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖଣ୍ଡପୀଠ । ଏଥିସହ ଖଣ୍ଡପୀଠ କହିଛନ୍ତି ପରବର୍ତି ନିର୍ଦ୍ଦେଶ ନ ଆସିବା ଯାଏଁ ଏହି ମାମଲାର ଶୁଣାଣି ଅନ୍ୟ କୌଣସି କୋର୍ଟ କରିପାରିବେ ନାହିଁ । ଚିଫ ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏସ ଅବଦୁଲ ନଜିର ଓ ଜଷ୍ଟିସ ସଂଜିବ ଖନ୍ନାଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶୁଣାଣି ସମୟରେ ସିଜେଆଇ କହିଥିଲେ ଲୋକଙ୍କୁ ହାଇଦ୍ରାବାଦ ଏନକାଉଁଟର ଘଟଣାର ସତ ଜାଣିବା ଅଧିକାର ରହିଛି । ତେଲେଙ୍ଗାନା ପୁଲିସ ଓ ସରକାରଙ୍କ ପକ୍ଷ ରଖି ଓକିଲ ମୁକୁଲ ରୋହତଗି କହିଥିଲେ ତେଲେଙ୍ଗାନା ସରକାର ଏନକାଉଁଟର ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି । ଏହାପରେ ଚିଫି ଜଷ୍ଟିସ ପଚାରିଥିଲେ, ୪ଜଣ ଅଭିଯୁକ୍ତ ଯାହାଙ୍କୁ ଏନକାଉଁଟର କରାଗଲା ସେମାନେ କଣ ଅଭ୍ୟାସଗତ ଅପରାଧୀ ଥିଲେ କି ? ଜବାବ ଦେଇ ଓକିଲ ମୁକୁଲ ରୋହତଗି କହିଥିଲେ, ନା ସେମାନେ ଲରି ଡ୍ରାଇଭର ଓ କ୍ଲିନର ଥିଲେ ।

ଏହାପରେ ଚିଫ ଜଷ୍ଟିସ ପ୍ରଶ୍ନ କରିଥିଲେ ଏନକାଉଁଟରରେ ମୃତ ୪ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଚାଲିବ କି ? ତେଲେଙ୍ଗାନା ସରକାରଙ୍କ ଆଭିମୁଖ୍ୟ ପୁଲିସକୁ ସୁରକ୍ଷା ଦେବା ଭଳି ମନେ ହେଉଥିବା କହିଥିଲେ ଚିଫ ଜଷ୍ଟିସ ଏସଏ ବୋବଡେ । ହାଇଦ୍ରାବାଦ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ଜାଳି ଦେବା ସହ ଅଭିଯୁକ୍ତଙ୍କୁ ଏନକାଉଁଟର ଘଟଣାର କ୍ରମ ଥିଲା ଏହିପରି । ନଭେମ୍ବର ୨୭ ତାରିଖରେ ହସ୍ପିଟାଲରୁ ଘରକୁ ଫେରିବା ବେଳେ ନିଖୋଜ ହୋଇ ଯାଇଥିଲେ ମହିଳା ଭେଟେନାରୀ ଡାକ୍ତର । ନଭେମ୍ବର ୨୮ ତାରିଖରେ ସାଦନଗରର ଏକ କଲଭଟ ତଳୁ ମହିଳା ଡାକ୍ତରଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଥିଲା । ଏହାପରେ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ହାଇଦ୍ରାବାଦ ପୁଲିସ ।

ନଭେମ୍ବର ୩୦ରେ ୪ ଅଭିଯୁକ୍ତଙ୍କୁ ୧୪ ଦିନିଆ ରିମାଣ୍ଡରେ ପୁଲିସ ନେଇଥିଲା । ଡିସେମ୍ବର ୬ ତାରିଖ ସକାଳେ ପୁଲିସ ୪ ଅଭିଯୁକ୍ତଙ୍କୁ ମହିଳା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାସ୍ଥଳ ଠାରୁ ଅଳ୍ପ ଦୂରରେ ଏନକାଉଁଟର କରିଥିଲା । ତେଲେଙ୍ଗାନା ପୁଲିସର କହିବା ଅନୁସାରେ ୪ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ରିକ୍ରିଏସନ କରିବା ପାଇଁ ନିଆଯାଇଥିଲା । ହେଲେ ପୁଲିସର ପିସ୍ତଲ ଛଡାଇ ନେଇ ସେମାନେ ଫେରାର ହେବାକୁ ଉଦ୍ୟମ କରିଥିଲେ । ଆଉ ଆତ୍ମରକ୍ଷା ପାଇଁ ୪ ଜଣଙ୍କୁ ଏନକାଉଁଟର କରିଥିବା ସ୍ପଷ୍ଟ କରିଛି ତେଲେଙ୍ଗାନା ପୁଲିସ । ଏହି ଏନକାଉଣ୍ଟର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।