କନକ ବ୍ୟୁରୋ : ଇଚ୍ଛାମୃତ୍ୟୁ ନେଇ ସୁପ୍ରିମକୋର୍ଟ ଆଜି ବଡ ନିଷ୍ପତ୍ତି ଶୁଣାଇଛନ୍ତି । ସର୍ତ୍ତ ସହ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ବଡ ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ସମ୍ମାନର ସହ ମରିବାର ଅଧିକାର ରହିଛି । କମନ କଜ୍ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏ ନେଇ ୨୦୦୫ରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏଥିରେ କୁହାଯାଇଥିଲା, ଦୀର୍ଘଦିନ ଧରି ଅସୁସ୍ଥ ଥିବା ଲୋକଙ୍କୁ ଲିଭିଙ୍ଗ ୱିଲର ଅଧିକାର ରହିଛି । ଏହାଦ୍ୱାରା ସେ କହିପାରିବ ଯେ, ସୁସ୍ଥ ହେବାର ସମସ୍ତ ଆଶା ମଉଳିବା ସ୍ଥିତିରେ ତାକୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାନଯାଉ ।

ଆଜି ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ପ୍ରଶାନ୍ତ ଭୂଷଣ ସ୍ପଷ୍ଟ କରିଥିଲେ, ଆକ୍ଟିଭ ୟୁଥାନାସିଆ ସପକ୍ଷରେ ସେ ନାହାନ୍ତି । ଏହାଦ୍ୱାରା ଇଚ୍ଛାମୃତ୍ୟୁ ପାଇଁ ରୋଗୀଙ୍କୁ ଇଂଜେକ୍ସନ ଦିଆଯାଇଥାଏ । ସେ ପାସିଭ ୟୁଥାନାସିଆ ସପକ୍ଷରେ ମତ ଦେଇଥିଲେ । ଏହି ପ୍ରକ୍ରିୟାରେ ରୋଗୀଙ୍କୁ ଭେଂଟିଲେଟର ଭଳି ଲାଇଫ ସପୋର୍ଟ ସିଷ୍ଟିମରୁ ବାହାର କରିଦିଆଯାଇଥାଏ । ଫଳରେ ରୋଗୀର ଆପେ ଆପେ ମୃତ୍ୟୁ ହୁଏ ।

ଶୁଣାଣିବେଳେ କୋର୍ଟ ପ୍ରଶ୍ନ କରିଥିଲେ ରୋଗୀ ସୁସ୍ଥ ହେବେ ନାହିଁ ବୋଲି ଚିହ୍ନଟ ହେବେ କେମିତି । ଏଥିରେ ପ୍ରଶାନ୍ତ ଭୂଷଣଙ୍କ ଉତ୍ତର ଥିଲା ଏ ବାବଦରେ ନିଷ୍ପତ୍ତି ନେବେ ଡାକ୍ତର । ବହୁଦିନ ଧରି କୋମାରେ ଥିବା ବ୍ୟକ୍ତି ତାର ଇଚ୍ଛା କେବେ ପ୍ରକାଶ କରିପାରେ ନାହିଁ । ତେଣୁ ତା ନିକଟରେ ଲେଖିବା ଅଧିକାର ରହିବା ଦରକାର ଯେ, ସେ ସୁସ୍ଥ ହେବା ସମ୍ଭାବନା କମ । ତେବେ କେନ୍ଦ୍ର ସରକାର କିନ୍ତୁ ଲିଭିଙ୍ଗ ୱିଲ ଦାବିକୁ ସମର୍ଥନ କରିନଥିଲେ । ଏହା ଆତ୍ମହତ୍ୟା ଭଳି ବୋଲି କହିଥିଲେ ସୁପ୍ରିମକୋର୍ଟ ।

ଉଇଲ ଅନୁସାରେ, ଭବିଷ୍ୟତରେ ଯଦି ଜଣେ ଦୂରାରୋଗ୍ୟ କୋମା ପରିସ୍ଥିତିକୁ ଚାଲି ଯାଆନ୍ତି, ତାଙ୍କୁ ସେତେବେଳେ ଜୀବନ ରକ୍ଷାକାରୀ ବ୍ୟବସ୍ଥାରେ ନ ରଖାଯାଉ ବୋଲି ସେ ଚାହୁଁଥାଆନ୍ତି, ସେ କଥା ସେ ଏହି ଉଇଲରେ ପୂର୍ବରୁ ଉଲ୍ଲେଖ କରି ପାରିବେ। ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଏବଂ ଜଷ୍ଟିସ ଏ କେ ସିକ୍ରି, ଏ ଏମ ଖାନଓ୍ଵିକର, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ଆଦେଶ ଦେଇଛନ୍ତି।

ବିଚାରପତିମାନେ ଚାରିଟି ଭିନ୍ନ ଭିନ୍ନ ମତ ଦେଇଥିଲେ ମଧ୍ୟ, ‘ଜୀବିତ ଇଚ୍ଛାପତ୍ର’ ବା ‘ଲିଭିଙ୍ଗ ଉଇଲ’କୁ ସେମାନେ ସର୍ବସମ୍ମତି କ୍ରମେ ଅନୁମତି ଦେଇଛନ୍ତି। କାରଣ, ଜଣେ ଜିଇଁଛନ୍ତି ମାତ୍ର ତାଙ୍କର ମସ୍ତିଷ୍କ କାର୍ୟ୍ୟ କରୁ ନାହିଁ । ଏଭଳି ଦୁର୍ଦଶାରେ ଜଣେ କଲବଲ ହୋଇ ବଞ୍ଚିବାକୁ ଚାହୁଁ ନ ଥିଲେ ତାଙ୍କୁ ନିଷ୍କ୍ରିୟ ମୃତ୍ୟୁ ବା ବିନା ଚିକିତ୍ସାରେ ମରିବାକୁ ଛାଡ଼ି ଦେବା ପାଇଁ ଅନୁମତି ଦେବା ଆବଶ୍ୟକ।