ଗୁଣି ଗାରେଡି ସନ୍ଦେହରେ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ ! ଖୋଲା ଆକାଶ ତଳେ ପଡି ରହିଛନ୍ତି ଜୟପାଟଣାର ବିଦ୍ୟାଧର ନାୟକଙ୍କ ପରିବାର

26

କନକ ବ୍ୟୁରୋ : ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ମଣିଷ । ଏବେ ବି ଗୁଣିଗାରେଡି ସନ୍ଦେହରୁ ଗାଁରୁ କରାଯାଉଛି ବାସନ୍ଦ । ଫଳରେ ଅନ୍ଧବିଶ୍ୱାସର ଶିକାର ହୋଇ ଗଛ ମୂଳେ ପଡିରହିଛନ୍ତି ବିଦ୍ୟାଧର ନାୟକ ପରିବାର । ଆଧୁନିକ ଯୁଗରେ ବି ଲୋକଙ୍କ ମନରୁ ଦୂରେଇନାହିଁ ଅନ୍ଧବିଶ୍ୱାସ । ଅନ୍ଧବିଶ୍ୱାସ ଯୋଗୁ ଗୁଣି ଗାରେଡି ସନ୍ଦେହରେ କଳାହାଣ୍ଡି ଜୟପାଟଣା ବ୍ଲକ ଧୂଟିଗୁଡା ଗାଁର ବିଦ୍ୟାଧର ନାୟକଙ୍କ ପରିବାରକୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ । ଫଳରେ ଶରଧାପୁର ଗାଁରେ ଖରା ବର୍ଷାରେ ଖୋଲା ଆକାଶ ତଳେ ପଡିରହିଛନ୍ତି ବିଦ୍ୟାନାୟକଙ୍କ ପରିବାର । ଏନେଇ ପରିବାର ବାରମ୍ବାର ଥାନାରେ ଦ୍ୱାରସ୍ଥ ହୋଇଥିଲେ ବି ଫଳ ଶୂନ ।

ବିଦ୍ୟାଧରଙ୍କ କହିବା କଥା, ତାଙ୍କ ମା ନାଁରେ ୩୨ଏକର ଜମି ଥିବା ବେଳେ ତାକୁ ଅକ୍ତିଆର କରିବା ପାଇଁ ଗୁଣିଗାରେଡି ସନ୍ଦେହରେ ଗ୍ରାମବାସୀ ବାସନ୍ଦ କରିଛନ୍ତି । ଏନେଇ ଦୀର୍ଘଦିନରୁ ମାମଲା ରୁଜୁ କରାଯିବା ସହ ଏସପି ଓ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର । କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ହୋଇଛି ।

ଅନ୍ଧବିଶ୍ୱାସ ଦୂରେଇବା ପାଇଁ ପ୍ରଶାସନ କୌଣସି ସଚେତନ କାର୍ଯ୍ୟକ୍ରମ ହାତକୁ ନେଉନାହିଁ । ଓଲଟା ଅନ୍ଧବିଶ୍ୱାସର ଶିକାର ବ୍ୟକ୍ତିଙ୍କୁ ସହଯୋଗ ବି କରୁପାରୁନାହିଁ ।