‘ସୁନ୍ଦରୀ’ ଧରାଦେଉନି ହେଲେ ବିଜେପି ଜିଲ୍ଲା ସଭାପତିଙ୍କୁ ବାନ୍ଧିନେଲା ପୋଲିସ , ହେଲେ କାହିଁକି ?

44

କନକ ବ୍ୟୁରୋ: ସାତକୋଶିଆ ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଥିବା ସୁନ୍ଦରୀ ବାଘକୁ ନେଇ ଚାଲିଛି ଛକାପଞ୍ଝା । ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଯେ ଅନୁଗୁଳ ଜିଲ୍ଲା ବିଜେପି ସଭାପତିଙ୍କୁ ଗିରଫ କରିଛି ପୋଲିସ । ସୂଚନା ମୁତାବକ ଗତ ଅକ୍ଟୋବର ୨୧ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ଲୋକଙ୍କୁ ବାଘୁଣୀ ମାରିଦେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଉପାନ୍ତ ଅଞ୍ଚଳରେ ହିଂସାକାଣ୍ଡ ଘଟାଇଥିଲେ ସ୍ଥାନୀୟ ଲୋକେ ।

ଯେଉଁଥିରେ ଉତ୍ୟକ୍ତ ଲୋକେ ପୋଲିସଙ୍କ ଉପରକୁ ପଥର ଫିଙ୍ଗି ଆକ୍ରମଣ କରିବା ସହ ପୋଲସ୍ ବସରେ ନିଆଁ ଲଗାଇଦେଇଥିବା ପୋଲିସ୍ କହିଛି । ଏବଂ ଏନେଇ ପାଖାପାଖି ୨୦୦ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଅନୁଗୁଳ ପୋଲିସ । ମୁଖ୍ୟ କଥା ହେଲା ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ୨୯ ଜଣଙ୍କୁ ଗିରଫ କରି ପୋଲିସ ତଦନ୍ତ କରୁଛି । ଏବଂ ଏହାରି ମଧ୍ୟରେ ଘଟଣାରେ ବିଜେପି ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ୍ ।

ସେପଟେ ବିଜେପି ଏହାକୁ ରାଜନୈତିକ ମୋଡ଼ ଦେଇ ଆକ୍ରୋଶମୂଳ ଭାବେ ଭାଗିରଥୀଙ୍କୁ ଗିରଫ କରଯାଇଥିବା ଅଭିଯୋଗ କରିଛି । ବିଜେପି କାର୍ଯ୍ୟାଳୟରୁ ଜାରି ହୋଇଥିବା ଏକ ପ୍ରେସ୍ ରିଲିଜ୍ ଜରିଆରେ ବିଜେପି କହିଛି ଯେ, ଅଂଚଳବାସୀଙ୍କ ସମସ୍ୟା ଓ ଦୁର୍ଦଶାକୁ ସାମ୍ନାକୁ ଆଣି ସମାଧାନ ପାଇଁ ପ୍ରୟାସ କରୁଥିବା ଅନୁଗୁଳ ଜିଲ୍ଲା ବିଜେପି ସଭାପତିଙ୍କୁ ଜାଣିଶୁଣି ରାଜନୈତିକ ଅଭିସନ୍ଧି ରଖି ଆକ୍ରୋଶମୂଳକ ଭାବେ ଗିରଫ କରାଯାଇଛି । ରାଜନୈତିକ ହିଂସା ପରାୟଣ ହୋଇ ଆକ୍ରୋଶମୂଳକ ଭାବେ ବିରୋଧୀଙ୍କୁ ଦମନ କରି ଗଣତନ୍ତ୍ରକୁ ହତ୍ୟା କରିବା ସହ ଏକପ୍ରକାର ଆତଙ୍କରାଜ ସୃଷ୍ଟି କରୁଛି ଶାସକ ବିଜେଡି ବୋଲି ଅଭିଯୋଗ କରିଛି ବିଜେପି।