ଜିଲ୍ଲାପାଳ ହେବ ତ ଏମିତି ! ପାଇଖାନା ନିର୍ମାଣ କାର୍ଯ୍ୟ ଉପରେ ନଜର ରଖିବା ପାଇଁ ରାତି ସାରା ଅନିଦ୍ରା ରହିଲେ ସୁନ୍ଦରଗଡ ଜିଲ୍ଲାପାଳ 

160

କନକ ବ୍ୟୁରୋ : ରାତି ଅଧିଆ ମିଶନ ଟଏଲେଟ୍ । କଥାଟା ଶୁଣିବାକୁ ପୁରା ବଲିଉଡର ଫିଲ୍ମ ଟଏଲେଟ୍ ଭଳି । ଗାଁ ହେବ ବାହ୍ୟ ମଳମୂତ୍ର ଶୂନ୍ୟ । ଲୋକଙ୍କୁ ସଚେତନ କରାଇବା ସହ ୧୭ଟି ବ୍ଲକର ଗୋଟିଏ ଗାଁକୁ ବାହ୍ୟ ମଳ ମୁକ୍ତ ଗାଁ କରିବା ପାଇଁ ଅଂଟା ଭିଡିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ । ରାତି ଉଜାଗର ରହି ଖୋଦ୍ ଜିଲ୍ଲାପାଳ ଗାଁରେ ପହଂଚି ପାଇଖାନା ତିଆରି କାମର ତଦାରଖ କରିଛନ୍ତି ।

ଚାଲିଛି ଇଟା ସିମେଂଟର ଯୋଡଇ । କିଏ ବାଲି ସିମେଂଟ ଗୋଳାଇବାରେ ବ୍ୟସ୍ତ ତ କିଏ କାଂଥରେ ସିମେଂଟ ମସଲା ଛାଟି ଚାଲିଛି । ଅନ୍ଧାର ରାତି ଭିତରେ ଲାଇଟ ଲଗାଇ ଚାଲିଛି ପାଇଖାନା ନିର୍ମାଣ । ସୁନ୍ଦରଗଡ ସଦର ବ୍ଲକ ଆମସଡେଗୀ ଗାଁରେ ସ୍ୱଚ୍ଛ ଭାରତ ମିଶନରେ ଘରେ ଘରେ ପାଇଖାନା ତିଆରି କରାଯାଉଛି । ବିଶ୍ୱ ପାଇଖାନା ଦିବସରେ ଗାଁକୁ ସଂପୂର୍ଣ୍ଣ ବାହ୍ୟ ମଳମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀ ଯାଏଁ ସମସ୍ତେ ଉଜାଗର ରହି କାମରେ ଲାଗିଛନ୍ତି ।

ଖୋଲାରେ ମଳ ତ୍ୟାଗ ନକରି ପାଇଖାନା ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏଭଳି ନିଆରା ପଦକ୍ଷେପ ହାତକୁ ନେଇ ସୁନ୍ଦରଗଡ ପ୍ରଶାସନ । ପ୍ରତି ବ୍ଲକର ଗୋଟିଏ ଲେଖାଏଁ ଗାଁରୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ଗ୍ରହଣ କରାଯାଇଛି । ପ୍ରଶାସନିକ ନିର୍ଦେଶ ମୁତାବକ ହିତାଧିକାରୀ ଦିିନ ରାତି ଏକ କରି ପାଇଖାନା ତିଆରିରେ ଲାଗିଥିବେ ବେଳେ କାମର ତଦାରଖ ପାଇଁ ରାତି ଅଧରେ ଆମସଡେଗୀ ଗାଁରେ ପଂଚିଥିଲେ ଜିଲ୍ଲାପାଳ ସୁରେନ୍ଦ୍ର ମୀନା । ଆଉ ରାତି ପାହିଲା ବେଳରୁ ପାଇଖାନା ନିର୍ମାଣ ଶେଷ କରିବାକୁ ପ୍ରଶାସନିକ ଅଧିକାରୀଙ୍କ ତାଗିଦ୍ କରିଥିଲେ ଜିଲ୍ଲାପାଳ  ।