ଆଜି ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ, ଅପରାହ୍ନ ୪ଟାରୁ ଆରମ୍ଭ ହେବ ଦର୍ଶନ ।

ଆଜି ରଥଯାତ୍ରାର ଏଗାର ତମ ଦିନରେ ରଥ ଉପରେ ଶ୍ରୀଜିଉଙ୍କ ହେବ ସୁନାବେଶ ।

311
କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ବାହୁଡା ଯାତ୍ରାରେ ଶ୍ରୀଜିଉଙ୍କ ତିନି ରଥ ସିଂହଦ୍ୱାର ଆଗରେ ଲାଗି ସାରିଛି । ଆଜି ରଥଯାତ୍ରାର ଏଗାର ତମ ଦିନରେ ରଥ ଉପରେ ଶ୍ରୀଜିଉଙ୍କ ହେବ ସୁନାବେଶ । ଏହି ବେଶରେ ମହାପ୍ରଭୁ ପ୍ରାୟ ୨ ଶହ କେଜି ସୁନା ଅଳଙ୍କାରରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ ।
source : google

ମହାପ୍ରଭୁଙ୍କର ଶ୍ରୀ ଜଗନ୍ନାଥଙ୍କ ଏହି ବେଶକୁ ରାଜ ରାଜେଶ୍ୱର ବେଶ ବୋଲି ମଧ୍ୟ କୁହାଯାଇଥାଏ । ଆଜି ଅପରାହ୍ନ ୪ଟାରୁ ଦେଖିବାକୁ ମିଳିବ ମହାପ୍ରଭୁଙ୍କ ଏହି ପବିତ୍ର ସୁନାବେଶ । ସୁନାବେଶ ଦର୍ଶନ ଅପରାହ୍ନ ୪ଟାରୁ ରାତି ୧୧ ଟା ଯାଏଁ ଚାଲିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସୁନାବେଶ ଦର୍ଶନ ପାଇଁ ବଡଦାଣ୍ଡରେ ବ୍ୟାରିକେଡ୍ ସହିତ ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା ହୋଇଛି । ବାହୁଡା ଯାତ୍ରା ଅବସରରେ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ ଦାଣ୍ଡରେ । ବିଶ୍ୱାସ ରହିଛି ରଥ ଉପରେ ମହାପ୍ରଭୁଙ୍କ ସୁନା ବେଶ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ଶ୍ରୀମନ୍ଦିରର ପରମ୍ପରା ଅନୁସାରେ ବର୍ଷକୁ ୪ ଥର ସୁନାବେଶରେ ଦର୍ଶନ ଦେଇଥାନ୍ତି ମହାପ୍ରଭୁ । ମନ୍ଦିର ଭିତରେ ତିନୋଟି ସୁନାବେଶ ରତ୍ନ ସିଂହାସନ ଉପରେ ହୋଇଥାଏ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବାହୁଡା ଯାତ୍ରାରେ ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ । ଆଡକାନି, ଘାଘରାମାଳି, କିରିଟି, ବାଘ ନଖ, ପାନପତିରି ପରି ସୁବର୍ଣ୍ଣ ଧାତୁରେ ମଣ୍ଡିତ ହେବେ ଶ୍ରୀଜିଉ । ମହାପ୍ରଭୁଙ୍କ ସୁନାବେଶ ସମୟରେ ସୁନା ଅଳଙ୍କାରରେ ମହାପ୍ରଭୁ ସଜ୍ଜିତ ହୋଇଥିବା ବେଳେ , ରୂପାରେ ତିଆରି ପଂଚଜନ୍ୟ ଶଙ୍ଖକୁ ଧାରଣ କରିଥାନ୍ତି । ଆଜି ସୁନା ବେଶ ସରିବା ପରେ ଆସନ୍ତା ୧୪ ତାରିଖରେ ଅଧରପଣା ନୀତି ଓ ୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ । ବାହୁଡା ଯାତ୍ରାରେ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବାକୁ ଶୁକ୍ରବାର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା ।