ଫୋନି ୭ ମାସ ପରେ ବି ଛିଡୁନି ହିସାବ: ସହାୟତା ପାଇନଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଅସନ୍ତୋଷ; ଲୋକାୟୁକ୍ତଙ୍କ ନିକଟରେ ଗୁହାରି କଲେ କ୍ଷତିଗ୍ରସ୍ତ

ସେପଟେ ଗୃହରେ ସରକାର ରଖିଲେ ଫୋନି ସହାୟତାର ହିସାବ

207

କନକ ବ୍ୟୁରୋ: ବାତ୍ୟା ଫନିର ୭ ମାସ ପରେ ବି ସହାୟତାକୁ ନେଇ ଛିଣ୍ଡୁନି ହିସାବ । ପୁରୀ ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ଫନି ସହାୟତା ପାଇନଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଆଜି ପୁରୀ ଜିଲ୍ଲାର ଶତାଧିକ ଲୋକ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟକୁ ଆସି ଏନେଇ ଅଭିଯୋଗ କରିଛନ୍ତି । ସେପଟେ ଗତକାଲି ସାଲେପୁରରେ ୩ ସରାକାରୀ ଅଧିକାରୀଙ୍କୁ ବେଶ କିଛି ସମୟ ଧରି ଅଟକାଇ ରଖିଥିଲେ ସ୍ଥାନୀୟ ବାସିନ୍ଦା । ଆଉ ଏସବୁ ଭିତରେ ଫନି ସହାୟତାର ହିସାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

ରାସ୍ତା ମଝିରେ ସରକାରୀ ବାବୁ ହଟହଟା । ଫୋନି ସହାୟତା ପାଇଁ ଘେରିଲେ ଲୋକ । ଫୋନି ସହାୟତା ରାଶି କିଏ ପାଇଲେ, କିଏ ଭୁଲ ବଶତଃ ପାଇଲେ ଏବଂ କିଏ ପାଇଲେ ନାହିଁ । ଏସବୁ ଦିଗରେ ତଦନ୍ତ କରିବାକୁ ଆସିଥିଲେ ସରକାରୀ ଟିମ । ହେଲେ ଫୋନି ସହାୟତା ପାଇନଥିବା କ୍ଷତିଗ୍ରସ୍ତ ସରକାରୀ ବାବୁଙ୍କୁ ଅଚନାକ୍ ଘେରିଗଲେ । ମଝି ରାସ୍ତାରେ ଅଟକି ଗଲା ଗାଡି । ବେଶ କିଛି ସମୟ ଧରି ପାଟତୁଣ୍ଡ ହେବା ପରେ ଅତିରିକ୍ତ ସହକାରୀ ଜିଲ୍ଲାପାଳ ଏବଂ ଅତିରିକ୍ତ ତହସିଲଦାରଙ୍କୁ ଘେରିଗଲେ ଲୋକେ । ଆଉ ଅଭିଯୋଗ ଥିଲା, ଫୋନି ସହାୟତା ପାଇଁ ଠିକ୍ ହିତାଧିକାରୀ ଚୟନ ହୋଇନି ।
ଆଉ ଇଏ ହେଉଛି ଭୁବନେଶ୍ୱରର ଚିତ୍ର । ଯେତେବେଳେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ ପୁରୀ ଜିଲ୍ଲା ଶତାଧିକାରୀ ଲୋକ । ଏମାନଙ୍କର ଅଭିଯୋଗ କରିଛନ୍ତି, ଫୋନି ସହାୟତା ବଂଟନରେ ବ୍ୟାପକ ଭାବରେ ଅନିୟମିତତା ହୋଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ମିଳିଥିବା ବେଳେ ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିଛନ୍ତି ।

ଏପଟେ ଅସ୍ତରଙ୍ଗ ବ୍ଲକରେ ଦେଖାଦେଇଛି ଅଭାବନୀୟ ସ୍ଥିତି । ବ୍ୟାଙ୍କ ଖାତାରେ ଅଛି ବାତ୍ୟା ସହାୟତା । ହେଲେ ଟଙ୍କା ଉଠାଇ ଘର ମରାମତି କରିପାରୁନାହାନ୍ତି ହିତାଧିକାରୀ । କାରଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ହୋଲ୍ଡ ବା ସାମୟିକ ଭାବେ ଅଚଳ କରି ଦେଇଛନ୍ତି ସରକାର । ଅଯୋଗ୍ୟ ହିତାଧିକାରୀଙ୍କ ଚଂଚକତା ଯୋଗୁଁ ଫସି ଯାଇଛନ୍ତି ନିରୀହ ଯୋଗ୍ୟ ହିତାଧିକାରୀ । ଫନି ସହାୟତା ପାଇ ବି ହନ୍ତସନ୍ତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ ।ତେବେ ଫୋନି ସହାୟତାକୁ ନେଇ ଆସୁଥିବା ଏହି ତମାମ୍ ଅଭିଯୋଗ ଭିତରେ ପ୍ରଭାବିତଙ୍କୁ କ୍ଷତିପୁରଣ ନେଇ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ।

-ଫୋନି ସହାୟତା ପାଇଁ ମୋଟ୍ ୧୮ ଶହ ୩୨ କୋଟି ୫୫ଲକ୍ଷ ପ୍ରଦାନ କରାଯାଇଛି

-ପୁରୀ ଜିଲ୍ଲାରେ ସର୍ବାଧିକ ୧୨ ଶହ ୮୧ କୋଟି ୨୩ଲକ୍ଷ

-କଟକ ଜିଲ୍ଲାରେ ୧୭୯ କୋଟି ୫୧ ଲକ୍ଷ

-ଖୋର୍ଦ୍ଧା ଜିଲ୍ଳାରେ ୨ଶହ ୨୫ କୋଟି ୫୯ ଲକ୍ଷ ଟଙ୍କା ଫୋନି ସହାୟତା ଦିଆଯାଇଛି

ତେବେ ଗୋଟିଏ ପଟେ ଫୋନି ସହାୟତା ନେଇ ୧୮ଶହ ୩୨ କୋଟି ଟଙ୍କା ଦିଆଯାଇଥିବା ନେଇ ସରକାର ହିସାବ ଦେଇଥିବା ବେଳେ ଆଉ ଗୋଟିଏ ପଟେ ସହାୟତା ନପାଇଥିବା ନେଇ ଚାରି ଆଡୁ ଅଭିଯୋଗ ହେଉଛି ।