ବରଗଡ଼ ବିଜେପିକୁ ବଡ଼ ଝଟକା । ‘ପଦ୍ମ’ ଶିବିରକୁ ବାଏ ବାଏ କଲେ ସୁବାସ ଚୌହାନ ।

ବିଜେପି ଛାଡ଼ିଲେ ବରଗଡ଼ ବିଜେପିର ଟାଣୁଆ ନେତା ସୁବାସ ଚୌହାନ । ଦଳ ଅଣଦେଖା କରିଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ ।

471

କନକ ବ୍ୟୁରୋ: ବିଜେପି ଛାଡ଼ିଲେ ବରଗଡ଼ ବିଜେପିର ଟାଣୁଆ ନେତା ସୁବାସ ଚୌହାନ । ଦଳ ଅଣଦେଖା କରିଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ । ରାଜ୍ୟ ବିଜେପି ସଭାପତିଙ୍କୁ ଇସ୍ତଫା ପତ୍ର ଲେଖିଛନ୍ତି ଯେ, ମୋଦିଙ୍କ ଆଦର୍ଶ ଓ ଆପଣଙ୍କ ଆଶିର୍ବାଦ ଯୋଗୁଁ ବିଜେପିର ସଫଳତା ବାର୍ତ୍ତା ନେଇ ବରଗଡ଼ ଲୋକସଭା ଆସନ ପାଇଁ କାର୍ଯ୍ୟ କରୁଥିଲି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଦଳରେ କିଛି କୁଚକ୍ରୀ ଗୋଷ୍ଠୀ ସହିତ ଆପଣ ମିଶି ମୋର ପରିଶ୍ରମ, ନିଷ୍ଠା ଓ ତ୍ୟାଗର ମୁଲ୍ୟ ବୁଝିବ ବଦଳରେ ଅଣଦେଖା କଲେ ଏବଂ ଦଳରୁ ବାହାରିବା ପାଇଁ ସବୁପ୍ରକାର ସଡ଼ଯନ୍ତ୍ର କଲେ । ଶେଷର ମୋର ଟିକେଟ୍ ମଧ୍ୟ କାଟିଲେ ଓ ଅପମାନିତ କଲେ । ମୋତେ ଅନୁଭବ ହେଲା ଯେ, ଦଳ ଏକ ନିର୍ଦ୍ଧିଷ୍ଟ ଲୋକର ଜାଗିରି ଅଟେ। ଆଉ ତାକୁ ସୁରକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ସଂଘ ପରିବାରକୁ ଉପୋଯୋଗ କରାଯାଉଛି । ଏଭଳି ସ୍ଥିତିରେ ବିଜେପିରେ ରହି କାମ କରିବା ମୋ ପାଇଁ କଷ୍ଟ ସାଧ୍ୟ ବୋଲି କହି ଦଳ ଛାଡ଼ିବାକୁ ବାଧ୍ୟ ହେଉଛି ।

ନିକଟରେ ବରଗଡ଼ ଲୋକସଭା ଆସନ ପାଇଁ ପ୍ରମୁଖ ଦାବିଦାର ଥିଲେ ମଧ୍ୟ ଦଳ ତାଙ୍କୁ ଟିକେଟ୍ ନଦେଇ ଦଳର ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ଟିକେଟ୍ ଦେଇଥିଲା । ଯାହାକୁ ନେଇ ସୁବାଷ କ୍ଷୁବ୍ଧ ହୋଇଲେ । ଏପରିକି ସୁବାସଙ୍କ ସମର୍ଥକମାନେ ବରଗଡ଼ରେ ଦଳ ବିରୋଧୀ ନାରା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଷପୁତ୍ତଳିକା ଦାହ କରି ପ୍ରତିବାଦ କରିଥିଲେ । ଏହାପରେ ସୁବାସଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ତାଙ୍କୁ ରାଜ୍ୟ ଉପସଭାପତି ଲୋଭଦେଇ ମନାଇବାକୁ ଚେଷ୍ଟା କଲା କିନ୍ତୁ ଏହା ଲାଭଦାୟକ ହେଲାନାହିଁ । ଶେଷରେ ‘ପଦ୍ମ’ ଛାଡ଼ିଛନ୍ତି ପଶ୍ଚିମ ଓଡ଼ିଶାର ଏହି ଟାଣୁଆ ବିଜେପି ନେତା ସୁବାସ ଚୌହାନ ।

ଗତକାଲି ସୁବାସଙ୍କ ଏକ ମୋବାଇଲ ମେସେଜ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସୁବାଷ କହିଥିଲେ କି, ବିଜେପି ତରଫରୁ ୨୦୧୪ର ଲୋକସଭା ନିର୍ବାଚନ ଲଢ଼ି ଓଡ଼ିଶାର ବିଜେପି ପ୍ରାର୍ଥୀ ମାନଙ୍କ ଭିତରେ ସର୍ବାଧିକ ୩,୭୨,୦୦୦ ଭୋଟ ଦେଇ ଲୋକେ ସମର୍ଥନ କଲେ । ମୁଁ ନିର୍ବାଚନ ହାରିଲା ପରେ ମଧ୍ୟ ଲଗାତାର ୫ବର୍ଷ ପରିଶ୍ରମ କରି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ଜନତାଙ୍କର ସୁଖ ଦୁଃଖର ସାଥୀ ହେଲି । ବିଜେପିକୁ ଅକୁଣ୍ଠ ସମର୍ଥନ ଦେବାପାଇଁ ବରଗଡ଼ବାସୀ ଏଥର ପ୍ରସ୍ତୁତ ହେଉଥିବା ବେଳେ ମୋର ଟିକଟ କାଟି ଦିଆଗଲା । ଏପରିକି ଆଗାମୀ ନିର୍ବାଚନରେ ବିଜେପୁରରୁ ନବୀନଙ୍କ ବିପକ୍ଷରେ ଧର୍ମେନ୍ଦ୍ରଙ୍କୁ ଲଢ଼ିବା ପାଇଁ ଖୋଲାଖୋଲି ଆହ୍ୱାନ କରିଥିଲେ । ଯାହାକି ବିଜେପି ଶିବିରରେ ହଟଚମଟ ସୃଷ୍ଟି କରିଥିଲା ।

ଅନ୍ୟପଟେ ଇସ୍ତଫା ଦେବାପରେ ତାଙ୍କ ଆଗାମୀ ରାଜନୈତିକ ପଦକ୍ଷପ କ’ଣ ହେବ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଟିକେଟ୍ ତାଲିକା ଆସିବା ପରଠାରୁ ବିଜେପିରେ ବିଦ୍ରୋହ ଜୋର ଧରିଥିବାବେଳେ ଜଣକ ପରେ ଜଣେ ଟାଣୁଆ ନେତା ମାନେ ‘ପଦ୍ମ’ ପାଖୁଡ଼ାରୁ ଖସିଲା ଭଳି ସାଥ୍ ଛାଡ଼ିଦେଉଛନ୍ତି ଯାହା ବିଜେପିର ମିଶନ ୧୨୦କୁ ନେଇ ପ୍ରଶ୍ନ ବାଚୀ ଉଠାଇଛି ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି ।