‘ଶଙ୍ଖ’ ଧରିଲେ ସୁବାସ ଚୌହ୍ୱାନ । ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ହେଲେ ସାମିଲ । କହିଲେ, ନବୀନଙ୍କୁ ଯୁଧିଷ୍ଠୀର ହିସାବରେ ଦେଖିଲି ତେଣୁ ତାଙ୍କ ପକ୍ଷ ନେଲି

705

କନକ ବ୍ୟୁରୋ: ଶଙ୍ଖ ଧରିଲେ ସୁବାସ ଚୌହ୍ୱାନ । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି ସୁବାସ ଚୌହ୍ୱାନ । ସୁବାସଙ୍କୁ ବିଜେଡିରେ ଭଲ ସ୍ଥାନ ଦିଆଯିବ ବୋଲି କହିଛନ୍ତି ନବୀନ । ତେବେ ବିଜେଡିରେ ସାମିଲ ହେବାର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି ସୁବାସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷି ସୁବାସ କହିଛନ୍ତି ଯେ, ମୋତେ କୁରୁକ୍ଷେତ୍ରରେ ୨ଟି ଚରିତ୍ର ଦିଶୁଛି , ଗୋଟିଏ ଚରିତ୍ର ହେଲା ଯୁଧିଷ୍ଠୀରଙ୍କ ଏବଂ ଅନ୍ୟଟି ହେଲା ଅହଂକାରୀ ଦୁର୍ଯୋଧନର । ମୁଁ ନବୀନ ବାବୁଙ୍କୁ ଯୁଧିଷ୍ଠୀର ହିସାବରେ ଦେଖିଲି ଏବଂ ତାଙ୍କ ପକ୍ଷ ନେଲି । ଆଉ ଧର୍ମ ରୂପି ନବୀନବାବୁଙ୍କ ସହ ମିଶି ଅଧର୍ମୀ ତଥା ଅହଂକାରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଲଢେଇ ଜାରି ରଖିବୁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁବାସ ଚୌହାନ ।

 

ଟିକେଟରୁ ବାଦ ପଡିବା ପରେ ସୁବାସ ଚୌହ୍ୱାନ ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରରେ ସେ ଅନେକ କଡା କଥା ଲେଖିଥଲେ । ସୁବାସ କହିଥିଲେ କିଛି କୁଚକ୍ରୀ ଗୋଷ୍ଠୀ ସହ ମିଶି ତାଙ୍କ ଟିକେଟ କାଟିଛନ୍ତି । ଟିକେଟ କାଟି ତାଙ୍କୁ ଅପମାନ କରାଯାଇଛି ବୋଲି ସୁବାସ ଚୌହ୍ୱାନ ଅଭିଯୋଗ ଆଣିଥିଲେ । ବରଗଡ ଲୋକସଭା ଆସନରୁ ଏଥର ସୁବାସ ଚୌହ୍ୱାନଙ୍କୁ ଟିକେଟ ଦିଆଯାଇନଥିଲା । ଏଥିରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।

ସେ କହିଥିଲେ, ପଶ୍ଚିମ ଓଡିଶାର ଓବିସି ସମାଜ ପାଇଁ ଏହା ଅପମାନ । ବିଜେପିକୁ ସମର୍ଥନ କରିବା ପାଇଁ ବରଗଡବାସୀ ପ୍ରସ୍ତୁତ ଥିବା ବେଳେ ତାଙ୍କର ଲୋକସଭା ଆସନ ଟିକେଟ କାଟି ଦିଆଯାଇଛି । ଜନତାଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ହେବା ପରେ ତାଙ୍କୁ ବିଜେପୁରରୁ ଲଢିବାକୁ କୁହାଯାଇଥିଲା । ବିଜେପୁରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଲଢୁଥିବା କାରଣରୁ ଧର୍ମେନ୍ଦ୍ର ବାବୁଙ୍କ ଭଳି ଜଣେ ବିତଶାଳୀ, ଶକ୍ତିଶାଳୀ ଲୋକ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲି ବୋଲି କହିଥିଲେ ସୁବାସ ।

ତେବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପିର ଦୁଇ ବରିଷ୍ଠ ନେତା ଗୈରିକ ଦଳ ସହ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି । ନିର୍ବାଚନ ସମୟରେ ଦଳଡ଼ିଆଁ ରାଜନୀତି ଅତି ସାଧାରଣ କଥା ହେଲେ ବି ପଦ୍ମ ଶିବିରରେ ଏହାର ଗଭୀର ପ୍ରଭାବ ପଡ଼ିବ । ଦିନକ ତଳେ ମୟୁରଭଞ୍ଜର ଟାଣୁଆ ନେତା ତଥା ବିଜେପିର ଉପସଭାପତି ରାଜକିଶୋର ଦାସ ଶଂଖ ଧରିଥିବା ବେଳେ ଆଜି ମିଶିଛନ୍ତି ବରଗଡ ବିଜେପିର ଟାଣୁଆ ନେତା ସୁବାସ ଚୌହାନ । ତେବେ ଦୁଇ ଟାଣୁଆ ନେତାଙ୍କୁ ହରାଇବା ପରେ ରାଜ୍ୟ ବିଜେପିର ସମୀକରଣ ଯେ କଣ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ।