ଗଛମୂଳେ ଅଙ୍ଗନୱାଡି । କେତେବେଳେ ସାପ ତ କେତେବେଳେ ବେଲ ଡରାଉଛି, ଘରଟିଏ ନାହିଁ ବୋଲି ବାଜିରେ ଲାଗିଛି କୁନି ପିଲାଙ୍କ ଭବିଷ୍ୟତ । କେବେ ପଡିବ ସରକାରଙ୍କ ଆଖି ?

345

କନକ ବ୍ୟୁରୋ : ଖୋଲା ଆକାଶ ତଳେ ଚାଲିଛି କୁନି ପିଲାଙ୍କ ଭବିଷ୍ୟତ ଗଢା । ଗଛମୂଳରେ ଚାଲିଛି ପିଲାଙ୍କ ଅଙ୍ଗନୱାଡି କେନ୍ଦ୍ର । ଟାଣ ଖରା ହେଉ କି ବର୍ଷା ମାଡ, ଏହି ଗଛମୂଳରେ ହିଁ ପାଠ ପଢିଥାନ୍ତି ଏହି କୁନି କୁନି ପିଲା । କେତେବେଳେ ମୁଣ୍ଡ ଉପରେ ଥିବା ବେଲ ଗଛରୁ ବେଲ ଖସିଥାଏ ତ ଆଉ କେତେବେଳେ ବିଷଧର ସାପ ମଧ୍ୟ ପିଲାମାନଙ୍କ ପାଖକୁ ଚାଲିଆସିଥାଏ । ଏଭଳି କିଛି ବିପଦସଙ୍କୁଳ ଅବସ୍ଥାରେ ଚାଲିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକର ଏକ ଅଙ୍ଗନୱାଡି କେନ୍ଦ୍ର । ଏହା ଆଜି କି କାଲିର କଥା ନୁହେଁ, ଦୀର୍ଘ ୩୫ ବର୍ଷ ହେବ, ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ ଘର ଖଣ୍ଡିଏ ନାହିଁ ।

କେବଳ ଗଛମୂଳରେ ପାଠ ପଢାଯାଏ, ତାହା ନୁହେଁ, ଏହି ଅସ୍ୱାସ୍ଥ୍ୟକର ପରିବେଶରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ମଧ୍ୟ ଖାଇବାକୁ ଦିଆଯାଇଥାଏ । ଯେଉଁଥିପାଇଁ ଅନେକ ଅଭିଭାବକ ନିଜ ପିଲାମାନଙ୍କୁ ପାଠ ପଢିବା ପାଇଁ ମଧ୍ୟ ଛାଡୁନାହାନ୍ତି । କୁନି କୁନି ପିଲାମାନଙ୍କ ଭବିଷ୍ୟତ ପାଇଁ ଶିକ୍ଷା ବ୍ୟବସ୍ଥାରେ ଅନେକ ଯୋଜନା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଏହି ଯୋଜନା କେତେ କାର୍ଯ୍ୟକାରୀ କରାଯାଉଛି, ତାହା ଏହି ଚିତ୍ର ହିଁ ବୟାନ କରୁଛି । ଆଉ ପ୍ରଶ୍ନ ଉଠୁଛି, ଦୀର୍ଘ ୩୫ ବର୍ଷ ହେଲା ଏଭଳି ଅବହେଳା ଭିତରେ ଅଙ୍ଗନୱାଡି କେନ୍ଦ୍ର ଚାଲିଥିବା ବେଳେ, ସରକାର ଜାଣିପାରିଲେନି କେମିତି । ତେବେ ଗଛ ତଳେ ପାଠ ପଢୁଥିବା ଏହି କୁନି କୁନି ପିଲାମାନଙ୍କ ପାଇଁ ସରକାର କେବେ ସ୍କୁଲ ଘରଟିଏ ତିଆରି କରୁଛନ୍ତି, ତାହା ଦେଖିବାକୁ ରହିଲା ।