କନକ ବ୍ୟୁରୋ: ଜଗତସିଂହପୁର ବରିଡି ବ୍ଲକରେ ଥିବା ଅଳକା ମହାବିଦ୍ୟାଳୟରେ ନାହିଁ ଛାତ୍ରୀ ନିବାସ । ଏହି ମହାବିଦ୍ୟାଳୟରେ ଶତକଡା ୭୦ ପ୍ରତିଶତ ଛାତ୍ରୀ ପାଠ ପଢୁଥିବା ବେଳେ ଛାତ୍ରୀ ନିବାସ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି । ଏହି ମହାବିଦ୍ୟାଳୟର ପାଚେରୀ ନ ଥିବାରୁ ଛାତ୍ର ଛାତ୍ରୀ ମାନେ ଅସୁରକ୍ଷିତ ମଣୁଛନ୍ତି । ଏହା ସହିତ କଲେଜ ମଧ୍ୟ ଭାଗ ଦେଇ ଏକ ଗାଁ ରାସ୍ତା ଯାଇଥିବାରୁ ଗାଡି ମଟର ଯାତାୟତ ଯୋଗୁଁ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବାର ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଜଗତସିଂହପୁର ବରିଡିରେ ଥିବା ଅଳକା ମହାବିଦ୍ୟାଳୟରେ ଆଖପାଖ ଅଂଚଳର ପ୍ରାୟ ହଜାରେରୁ ଉଦ୍ଧ୍ୱ ଛାତ୍ରଛାତ୍ରୀ ନିର୍ଭର କରନ୍ତି । ଏଠାରେ ପ୍ରାୟ ୭୦ ପ୍ରତିଶତ ଛାତ୍ରୀ ପାଠ ପଢୁଥିବା ବେଳେ ଛାତ୍ରୀ ନିବାସ ନଥିବାରୁ ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଦୀର୍ଘ ଦିନ ଧରି ୨ଟି ଛାତ୍ରୀନିବାସ ପାଇଁ ଅର୍ଥ ମଂଜୁର ହୋଇ କାମ ଆରମ୍ଭ ହୋଇଥିଲେ ବି ଏହା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଅପରପକ୍ଷରେ କଲେଜର ପାଚେରୀ ନ ଥିବା ବେଳେ କଲେଜ ଭିତର ଦେଇ ଗାଁ ରାସ୍ତା ଯାଇଛି । ଫଳରେ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହେଉଛି । ଜିଲ୍ଲାର ବିଭିନ୍ନ ଅଂଚଳର ଛାତ୍ରଛାତ୍ରୀ ଏହି କଲେଜ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି । ହଷ୍ଟେଲ ନଥିବାରୁ ଘର ଭଡା ନେଇ ରହି ଛାତ୍ରଛାତ୍ରୀ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଏଥିପ୍ରତି କାହାର ନଜର ନାହିଁ । ଅପରପକ୍ଷରେ ନୂତନ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ କଲେଜର ସମସ୍ୟାର ସମାଧାନ କରାଯିବ ବୋଲି ଉପ-ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କୁ ପ୍ରତିଶୃତି ଦେଇଛନ୍ତି ।